ରାୟଗଡ଼ା: ଆନ୍ଧ୍ରର ବର୍ଦ୍ଧିତ ପେନସନ ଲୋଭରେ ଓଡ଼ିଶାର ରାୟଗଡ଼ା ଜିଲା ସୀମାନ୍ତ ଗ୍ରାମଗୁଡ଼ିକର ବରିଷ୍ଠ ନାଗରିକମାନେ ଗାଁ ଛାଡିବାରେ ଲାଗିଛନ୍ତି। ଆନ୍ଧ୍ରରେ ପେନସନ ଭତ୍ତା ୪ ହଜାର ଏବଂ ଦିବ୍ୟାଙ୍ଗ ଭତ୍ତା ୬ ହଜାର ଟଙ୍କା ମିଳୁ ଥିବାରୁ ସୀମନ୍ତ ଓଡ଼ିଶା ଗ୍ରାମର ବହୁ ବୃଦ୍ଧ ବୃଦ୍ଧା ଆନ୍ଧ୍ରମୁହାଁ ହୋଇଛନ୍ତି। କେରେଡା ପଞ୍ଚାୟତରେ କେରଡା, ମିଟିକେରେଡା, ବୋରହାଲୁଆ, ଅଣିଜା, ଚିନାପେଡାମ, ତୁଳସୀୱାଲସା, ଆମ୍ପଲୱାଲାସ, ଖିଲିମିସଗୁଡ଼ା, ହାଟ ଶେଷଖାଲ ପଞ୍ଚାୟତର ସୁଲୁଆ, ଗଗନପେଟା, ଲୁମ୍ବେଶୁ ଜେମାଦେଇପେଣ୍ଠ ପଞ୍ଚାୟତର ସାନରାଇସିଂ ଏବଂ ଜେମାଦେଇପେଣ୍ଠର ବହୁ ବୃଦ୍ଧ ଓ ବୃଦ୍ଧା ଆନ୍ଧ୍ରର ଭତ୍ତା ପାଇବାକୁ ସେଠାକାର ନଥିପତ୍ର ପ୍ରସ୍ତୁତ କରି ବର୍ଷବର୍ଷ ଧରି ଆନ୍ଧ୍ରରେ ରହି ଆସୁଛନ୍ତି। ପୂର୍ବରୁ ଲୁମ୍ବେସୁ ଗ୍ରାମର ସିରି ପୁଆଲା ଆନ୍ଧ୍ରର ରାୟତୁ ଯୋଜନାରେ ମିଳୁଥିବା ଅର୍ଥ ପାଇବା ଲୋଭରେ ଆନ୍ଧ୍ରର ଭୋଟର ତାଲିକାରେ ନାମ ଲେଖାଇଥିଲେ। ତାଙ୍କ ମା’ ମଧ୍ୟ ଭତ୍ତା ଲୋଭରେ ଆନ୍ଧ୍ରର ବାସିନ୍ଦା ପ୍ରମାଣପତ୍ର ହାତେଇଛନ୍ତି।
ସୂଚନା ମୁତାବକ ବହୁ ଅଧିବାସୀ ନିଜର ଆଧାର କାର୍ଡ ଅପଡେଟ୍ କରୁନାହାନ୍ତି କିମ୍ୱା ଅପଡେଟ କରିବାରେ ସରକାରୀ କର୍ମଚାରୀଙ୍କୁ ସାହାଯ୍ୟ କରୁନାହାନ୍ତି। ଜେମାଦେଇପେଣ୍ଠ ଓ କେରେଡା ପଞ୍ଚାୟତରେ ବହୁ ହିତାଧିକାରୀ ପଡିକାର୍ଡରେ ନିଜ ନାମକୁ ହଟାଇ ଦେଇଛନ୍ତି। କେର଼ଡା ଓ ଜେମାଦେଇପେଣ୍ଠ ପଞ୍ଚାୟତରେ ୨୦୦ ରୁ ଅଧିକ ହିତାଧିକାରୀଙ୍କ ଆଧାର କାର୍ଡ ମିଳୁନି କି ଗ୍ରାମରେ ସେମାନଙ୍କୁ ଆଉ ଦେଖିବାକୁ ମିଳୁନି। ଅନେକ ଛାତ୍ରଛାତ୍ରୀ ଆନ୍ଧ୍ର ସରକାରୀ ଯୋଜନାରେ ଲାଭ ପାଇବା ପାଇଁ ଆଧାର କାର୍ଡ ସଂଶୋଧନ କରୁନାହାନ୍ତି।
ସୀମାନ୍ତ ଅଞ୍ଚଳର ୫୦୦ରୁ ଅଧିକ ଆଧାର କାର୍ଡ ହିତାଧିକାରୀଙ୍କ ଦେଖା ମିଳୁନି। ବହୁ ହିତାଧିକାରୀ ଆନ୍ଧ୍ର ଯୋଜନାରେ ସାମିଲ ହୋଇଥିବାରୁ ସେମାନେ ଓଡ଼ିଶା ଠିକଣାରେ କରିଥିବା ଆଧାର କାର୍ଡ ସଂଶୋଧନ କରୁନାହାନ୍ତି। ଘର ସର୍ବେକ୍ଷଣ ଦାୟିତ୍ବ ଶିକ୍ଷକଙ୍କ ହାତରେ ରହିଛି। ଏହି ଦାୟିତ୍ବରେ ରହିଥିବା ଶିକ୍ଷକଙ୍କ ମଧ୍ୟରୁ ଅଧିକାଂଶ ତେଲୁଗୁ ଭାଷାଭାଷୀ । ତେଣୁ ଆନ୍ଧ୍ରର ପେନସନ ବ୍ୟବସ୍ଥାକୁ ସେମାନେ ସ୍ବାଗତ କରୁଥିବା କୁହାଯାଉଛି। ଏହି କାରଣରୁ ସେମାନେ ଓଡ଼ିଶାର ଜିଲା ପ୍ରଶାସନକୁ ସଠିକ ସୂଚନା ଦେଉନଥିବା ଅଭିଯୋଗ ହୋଇଛି। ଘରକୁ ଘର ବୁଲି ଆଧର କାର୍ଡର ସଠିକ୍ ଯାଞ୍ଚ କରାଗେଲ ପ୍ରକୃତ ତଥ୍ୟ ସାମନାକୁ ଆସିବ। ପ୍ରକୃତ ତଥ୍ୟ ଜାଣିବା ପାଇଁ ଆଧାର କାର୍ଡ ତଥା ଲୋକସଂଖ୍ୟାକୁ ସଠିକ ଭାବେ ଯାଞ୍ଚ କରାଯିବ ବୋଲି ରାୟଗଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର କହିଛନ୍ତି।



