ନନ୍ଦନକାନନ,୨୭ା୯(ନି.ପ୍ର):ନିର୍ମାଣାଧୀନ ଘରୋଇ ପ୍ରଶାନ୍ତି ହସ୍ପିଟାଲରୁ କପର ପ୍ଲେଟ୍ ଚୋରି ଅଭିଯୋଗରେ ନନ୍ଦନକାନନ ଥାନା ପୁଲିସ ୨ଜଣଙ୍କୁ ଗିରଫ କରି ଶନିବାର ଅଦାଲତ ଚାଲାଣ କରିଛି। ଗିରଫ ଅଭିଯୁକ୍ତଦ୍ବୟ ହେଲେ ନନ୍ଦନକାନନ ଥାନା ପଦାସାହି ଗ୍ରାମର ଶିକର ବେଉରା ଓ ଚୋରି ସାମଗ୍ରୀ ରଖିଥିବା କବାଡ଼ିଆ ବାରଙ୍ଗ ଥାନା ସୀତାରାମ ବଜାରର ସୁନିଲ କୁମାର ଗୁପ୍ତା।
ପୁଲିସ ସୂଚନା ଅନୁଯାୟୀ, ଗତ୨୧ତାରିଖ ସେମାନେ ଘରୋଇ ନିର୍ମାଣାଧୀନ ପ୍ରଶାନ୍ତି ହସ୍ପିଟାଲରୁ ୨କେଜି ୨ଶହ ଗ୍ରାମ ଓଜନର କପର ପ୍ଲେଟ୍ ଚୋରି କରି ନେଇଥିଲେ। ଏ ନେଇ ହସ୍ପିଟାଲର ସୁରକ୍ଷା କର୍ମୀ ପ୍ରତାପ କୁମାର ଜେନା ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ଶିକରକୁ ଗିରଫ କରିଥିଲା। ପଚରାଉଚରା ବେଳେ ସେ ବିକ୍ରି କରିଥିବା ଚୋରି ସାମଗ୍ରୀକୁ ଏକ କବାଡ଼ିଆ ଦୋକାନରୁ ଜବତ କରିବା ସହିତ ଦୋକାନୀକୁ ମଧ୍ୟ ଗିରଫ କରି ଅଦାଲତ ଚାଲାଣ କରିଛି।



