ରେଙ୍ଗାଲିକ୍ୟାମ୍ପ: ପ୍ରତିଦିନ ମୋଟର ପମ୍ପ ଯୋଗେ ପାଣି ଖଲାସ କରା ନ ଗଲେ ରାସ୍ତା ବନ୍ଦ। ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି ଅତାବିରା ବ୍ଲକ ଅନ୍ତର୍ଗତ ଲହଣ୍ଡା ପଞ୍ଚାୟତ ଅଧୀନ ଯୋଗିପାଲି ଗ୍ରାମକୁ ଯିବା ରାସ୍ତାରେ ଥିବା ଅଣ୍ଡର ପାସ୍ ରାସ୍ତାରେ। ଲଘୁଚାପ ବର୍ଷା ଯୋଗୁ ୬ଫୁଟ ଉଚ୍ଚର ପାଣି ଜମି ରହିବାରୁ ଗୁରୁବାର ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିଲା। ଯାହାଫଳରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ସ୍କୁଲ ଯାଇ ନ ପାରି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି।
ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଚାରି ଆଡେ ଶୁଷ୍କ ପଡ଼ିଥିବା ବେଳେ ଅଣ୍ଡର ପାସ୍ ରାସ୍ତାରେ ମୋଟର ପମ୍ପ ଯୋଗେ ପାଣି ଖଲାସୀ କାର୍ଯ୍ୟକ୍ରମ ଚାଲୁ ରହିଥିଲା। ଏବେ ଲଗାଣ ବର୍ଷାରେ ଏହି ରାସ୍ତାର ଅବସ୍ଥା କିପରି ହୋଇଥିବ ବେଶ ଅନୁମେୟ। ସୂଚନା ଅନୁସାରେ, ୫୩ ନମ୍ୱର ଜାତୀୟ ରାଜପଥ କଡ଼ରେ ଥିବା ବାବୁବନ୍ଧରୁ ଯୋଗୀପାଲିକୁ ଯିବା ରାସ୍ତାରେ ରହିଛି ଏକ ଡବଲ ଲାଇନ୍ ରେଳପଥ। ରେଳ ଆସିବା ସମୟରେ ଗେଟ୍ ପଡୁଥିଲା, ଲୋକେ କିଛି ସମୟ ଅପେକ୍ଷା କରୁଥିଲେ। କିନ୍ତୁ ଚାରି/ପାଞ୍ଚ ମାସ ତଳେ ଏଠାରେ ଏକ ଅଣ୍ଡର ପାସ୍ ନିର୍ମାଣ କରାଯାଇଛି ରେଳ ବିଭାଗ ପକ୍ଷରୁ। କିନ୍ତୁ ତାହା ଏତେ ଖାଲୁଆ ହୋଇଛି ଯେ ଗ୍ରୀଷ୍ମ ଋତୁରେ ମଧ୍ୟ ଆଣ୍ଠୁଏ ପାଣି ଜମି ରହୁଛି। ସେ ସମୟରେ ପଥଚାରି ଓ ବାଇକ ଚାଳକ ଯିବା ଆସିବା କରି ପାରୁ ନ ଥିଲେ । ତେଣୁ ଗ୍ରାମର ଜଣେ ଯୁବକଙ୍କ ପାଣି ପମ୍ପ ସାହାଯ୍ୟରେ ପ୍ରତିଦିନ ଜଳକୁ ଖଲାସ କରାଯାଉଥିଲା। ଏଥିପାଇଁ ଗ୍ରାମବାସୀ ଯେନତେନ ପ୍ରକାରେ ଉକ୍ତ ଯୁବକଙ୍କୁ ମୋଟର ଚାଳନା ପାଇଁ ତେଲ ଖର୍ଚ୍ଚ ଦେଉଥିଲେ। କାରଣ ପ୍ରତ୍ୟହ ଚାରି ପାଞ୍ଚ ଘଣ୍ଟା ମୋଟର ଚଳାଇବାକୁ ପଡୁଥିଲା। ନ ହେଲେ ରାସ୍ତା ବନ୍ଦ। ପରବର୍ତ୍ତୀ ସମୟରେ ଗ୍ରାମବାସୀଙ୍କ ଅଭିଯୋଗ ପରେ ରେଳ ବିଭାଗ ପକ୍ଷରୁ ଦୁଇ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଜଣେ ଦିନବେଳା ମୋଟ ଚଲାନ୍ତି ଓ ଅନ୍ୟ ଜଣେ ରାତିରେ। ତେବେ ବର୍ତ୍ତମାନ ଲଘୁଚାପ ବର୍ଷା ଯୋଗୁ ଉକ୍ତ ଅଣ୍ଡର ପାସରେ ଗୁରୁବାର ପ୍ରବଳ ପାଣି ଜମି ରହି ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ଥିଲା। ସ୍କୁଲ ଛାତ୍ରଛାତ୍ରୀମାନେ ସ୍କୁଲ ଯାଇପାରି ନ ଥିଲେ। କିଛି ସ୍କୁଲ ପିଲା ଏବଂ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ଉପରକୁ ଚଢ଼ି ଜୀବନକୁ ବାଜି ଲଗାଇ ରେଳ ଧାରଣା ପାର ହୋଇ ଯିବାଆସିବା କରିବାକୁ ବାଧ୍ୟ ହୋଇଥିଲେ। କିଛି ସ୍କୁଲ ପିଲା ରେଳ ଲାଇନ୍ ପାର ହେବା ବେଳକୁ ଟ୍ରେନ ଆସିଯାଇଥିଲା। ସୌଭାଗ୍ୟବଶତଃ ସେମାନେ ଦଉଡ଼ି ପଳାଇ ଆସିଥିଲେ। ଫଳରେ ବଡ଼ ଦୁର୍ଘଟଣା ଟଳି ଯାଇଥିଲା। ଏହି ଅଣ୍ଡର ପାସ ଲୋକଙ୍କ ସୁବିଧା ପାଇଁ ନିର୍ମାଣ ହୋଇଛି। ହେଲେ ଫଳ ତାହାର ଓଲଟା ହେଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଓଭର ବ୍ରିଜ ପାଇଁ ପ୍ରଶସ୍ତ ଭୂମି ମଧ୍ୟ ରହିଥିଲେ ହେଁ ରେଳ ବିଭାଗର ଏମିତି କାର୍ଯ୍ୟକୁ ଲୋକେ ନିନ୍ଦା କରିଛନ୍ତି।
ଏହି ରାସ୍ତା ଦେଇ ପ୍ରତ୍ୟହ ଯାଙ୍ଗେଡ଼, ଲହଣ୍ଡା, ଆମ୍ଳିପାଲି, ପାହାରଶ୍ରିଗୀଡା, ସିଲେଟ, ଖରମୁଣ୍ଡା ଆଦି ୬/୭ ଟି ପଞ୍ଚାୟତର ହଜାର ହଜାର ଲୋକେ ଯିବା ଆସିବା କରୁଛନ୍ତି । ଏଠାରେ ଓଭର ବ୍ରିଜ ନିର୍ମାଣ ହେଲେ ଏହି ରାସ୍ତା ସମ୍ବଲପୁର ମହାନଗରଠାରୁ ଆମ୍ବାଭୋନା ଭୁକ୍ତା ପର୍ଯ୍ୟନ୍ତ ସଂଯୋଗ ହୋଇଯିବ। ତେବେ ଏହି ଅଣ୍ଡର ପାସରେ ଯାତାୟାତ ଜନିତ ଅସୁବିଧାକୁ ନେଇ ଗ୍ରାମବାସୀ ଅନେକ ଥର ରେଳ ବିଭାଗକୁ ଜଣାଇଛନ୍ତି। ହେଲେ ଏଥିପାଇଁ କିଛି ସୁବ୍ୟବସ୍ଥା କରାଯାଇ ନାହିଁ। ଏହି ଅଣ୍ଡର ପାସଟି ଗ୍ରାମବାସୀଙ୍କ ପାଇଁ ଅଭିଶାପ ତୁଲ୍ୟ ହୋଇପଡିଛି । ପୁଣି ଏହି ଅସୁବିଧା ଦିନେ ଦୁଇଦିନ କିମ୍ବା ବର୍ଷେ ଦୁଇବର୍ଷ ପାଇଁ ନୁହେଁ। ଯଦି କିଛି ସୁବିଧା କରା ନ ଯାଏ, ତେବେ ଜୀବନ ସାରା ଲୋକଙ୍କୁ ଏମିତି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ରେଳ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ଅତି ଶୀଘ୍ର ବିହୀତ ପଦକ୍ଷେପ ନିଅନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।



