www.samajalive.in
Sunday, December 14, 2025
14.1 C
Bhubaneswar

ମାଟି ହାଣ୍ଡି ଭିତରେ ପୂଜା ପାଉଛନ୍ତି ମା ‘ଉତ୍ତରାୟଣୀ

ପିପିଲି: ପୁରୀ ଜିଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଭାବେ ପରିଚିତ ସାତଶଙ୍ଖ ସ୍ଥିତ ମା ‘ଉତ୍ତରାୟଣୀଙ୍କ ପୀଠରେ ଶାରଦୀୟ ପୂଜା ଉତ୍ସବ ସମସ୍ତ ରୀତିନୀତି ଅନୁଯାଇ ଅନୁଷ୍ଠିତ ହେଉଅଛି । ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁମାନେ ପ୍ରତ୍ୟହ ପରମ ବୈଷ୍ଣବୀ ଠାକୁରାଣୀ ମା ‘ଉତ୍ତରାୟଣୀଙ୍କ ଦର୍ଶନ କରିବା ସହ ଠାକୁରାଣୀଙ୍କ ପାଖରେ ମାନସୀକ କରୁଥିବା ସୂଚନା ମିଳିଛି । ମା’ଙ୍କ ପ୍ରିୟ ଅଲଣା ବିରି ଜାଉ ଭୋଗକୁ ଏକ ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ କରାଯାଉଥିବା ବେଳେ ଏହାକୁ ପାଇବା ପାଇଁ ପ୍ରତ୍ୟହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହେଉଛି ।
ପିପିଲି ବ୍ଲକର ଯଶୁଆପୁର ପଞ୍ଚାୟତ ଅନ୍ତର୍ଗତ ସାତଶଙ୍ଖ ସ୍ଥିତ ସୁବଳପୁର ମୌଜାରେ ଅବସ୍ଥିତ ମା’ ଉତ୍ତରାୟଣୀ ଏକ ବଡ ମାଟି ହାଣ୍ଡି ମଧ୍ୟରେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି । ପୁରୀର ଗଜପତି ମହାରାଜା ଶ୍ରୀପୁରୁଷୋତ୍ତମଦେବଙ୍କ ରାଜତ୍ୱ ସମୟରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିବା ସୂଚନା ମିଳିଛି । ଶ୍ରୀଜଗନ୍ନାଥଙ୍କ ଉତ୍ତର ଦିଗରେ ଠାକୁରାଣୀ ଆବିର୍ଭାବ ହୋଇଥିବାରୁ ମା ‘ଉତ୍ତରାୟଣୀ ରୂପରେ ବିଦିତ ହୋଇଥିବା ଜନଶୃତିରେ ଜଣାଯାଏ । ଜବନ ମାନଙ୍କ ଆକ୍ରମଣରୁ ଦେବୀଙ୍କୁ ରକ୍ଷା କରିବା ପାଇଁ ରାଜା ଏକ ବଡ ମାଟି ହାଣ୍ଡିରେ ଉତ୍ତରାୟଣୀଙ୍କୁ ଘୋଡାଇ ରଖିଥିବା ଯୋଗୁଁ ସେହିଦିନ ଠାରୁ ଠାକୁରାଣୀ ଉକ୍ତ ମାଟି ହାଣ୍ଡି ମଧ୍ୟରେ ପୂଜା ପାଇ ଆସୁଛନ୍ତି । ଏହି ପୀଠରେ ପ୍ରତ୍ୟହ ସକାଳ ୬ଟାରେ ଦ୍ୱାରଫିଟା ନୀତି କରାଯିବା ପରେ ବାଳଭୋଗ କରାଯାଇଥାଏ । ଦ୍ୱିପହର ଖେଚୁଡି ଭୋଗରେ ଭାତ,ଡାଲି, ଖିରୀ ଓ ଖଟା ଆଦି ଭୋଗ କରାଯାଉଥିବା ବେଳେ ଅପରାହ୍ନରେ ମା’ଙ୍କ ପ୍ରିୟ ଅଲଣା ବିରି ଜାଉ ଭୋଗ କରାଯାଏ । ଏକ ସ୍ୱତନ୍ତ୍ର ପ୍ରଣାଳୀରେ ଏହି ଅଲଣା ବିରି ଜାଉ ଭୋଗ ପ୍ରସ୍ତୁତ କରାଯାଇଥାଏ, ଯେଉଁଥିରେ ଆଦୌ ଲୁଣ ବ୍ୟବହାର କରାଯାଇନଥାଏ । ଅରୁଆ ଚାଉଳ, ଗୋଟା ବିରି, ନଡିଆ, କ୍ଷୀର, ଚିନି, କାଜୁ, ଖିସମିସ୍‍, ଗୁଜୁରାତି, କର୍ପୁର ଓ ତେଜପତ୍ରରେ ପ୍ରସ୍ତୁତ ଏହି ଅଲଣା ଜାଉ ମା’ଙ୍କର ଅତି ପ୍ରିୟ ଓ ପ୍ରସିଦ୍ଧ ଭୋଗ ଅଟେ । ମା’ ଉତ୍ତରାୟଣୀଙ୍କ ପାଶ୍ୱର୍ ଦେବୀ ଭାବେ ବନଦୁର୍ଗା ଓ କନକ ଦୁର୍ଗା ପୂଜା ପାଉଥିବା ବେଳେ ତାଙ୍କ ନିକଟରେ ୧୯୯୬ ମସିହାରୁ ବଳି ପ୍ରଥା ବନ୍ଦ ହୋଇଯିବା ପରେ ଏବେ ମାଛ ଭୋଗ କରାଯାଉଛି । ମା’ ଉତ୍ତରାୟଣୀ ପ୍ରତ୍ୟହ ଭିନ୍ନ ଭିନ୍ନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଥିବା ବେଳେ ଏହାକୁ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ଓ ମାନସୀକଧାରୀ ଭକ୍ତଙ୍କ ବେଶ୍‍ ଭିଡ ଲାଗୁଥିବା ପରିଲକ୍ଷିତ ହୋଇଛି । ଅଷ୍ଟମୀରେ କାତ୍ୟାୟନୀ ବେଶ, ନବମୀରେ କାଳରାତ୍ରୀ ବେଶ  ଓ ଦଶମୀରେ ମହାଗୌରୀ ବେଶରେ ମା’ ଉତ୍ତରାୟଣୀ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ସୂଚନା ମିଳିଛି ।

Hot this week

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

Related Articles

Popular Categories