www.samajalive.in
Sunday, December 14, 2025
26.1 C
Bhubaneswar

ରିଲ୍ସ ବା ଭିଡିଓ କରିବା ନାଁରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ସମାଜ ବ୍ୟୁରୋ: ବିପଦପୂର୍ଣ୍ଣ ଗାଡ଼ି ଚାଳନା ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ରିଲ୍ସ ବା ଭିଡିଓ କରିବା ନାଁରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ଉପରେ ରଖାଯିବ ବିଶେଷ ନଜର । ରାସ୍ତାରେ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱ ଓ ଓ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏଭଳି ଗାଡ଼ି ଚାଳକଙ୍କ ଉପରେ ନିୟନ୍ତ୍ରଣ ଆଣିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସମସ୍ତ ଆରଟିଓଙ୍କୁ ଏ ସଂପର୍କରେ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।

– ଗାଡ଼ି ଜବତ, ପଞ୍ଜିକରଣ ସାର୍ଟିଫିକେଟ, ଡ୍ରାଇଭିଂ ଲାଇସେନ୍ସ ନିଲମ୍ବନ ଓ ଜରିମାନା ପାଇଁ ପଦକ୍ଷେପନେବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ
– ରିଲ୍ସ ନାଁରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନଓ ମଦ୍ୟପାନ କରି ଗାଡ଼ି ଚାଳନା ଉପରେ ରଖାଯିବ ବିଶେଷ ନଜର
– କୋରାପୁଟ, ଖୋର୍ଦ୍ଧା, ଭୁବନେଶ୍ୱର, ପୁରୀରେ ହେଲା ଗାଡ଼ି ଜବତ

- Advertisement -

ତ୍ୱରିତ ପଦକ୍ଷେପ ସ୍ୱରୂପ, କୋରାପୁଟ ଜିଲ୍ଲା ଜୟପୁର ଉପକଣ୍ଠ ବାରିଣିପୁଟଠାରେ ଜାତୀୟ ରାଜପଥରେ ମାଲବାହୀ ଟ୍ରକ୍ ଭାରସମ୍ୟ ହରାଇ ରାସ୍ତା ପାର୍ଶ୍ୱ ଦୋକାନ ଉପରେ ମାଡ଼ିଯିବା ଏବଂ ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ମୋଟର ଯାନ ଆଇନ ଓ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଚାଳକ ଜଣକ ନିଶା ସେବନ କରି ଗାଡ଼ି ଚଲାଉଥିବା ଜଣାପଡ଼ିଛି । ଗାଡ଼ିକୁ ଜବତ କରାଯାଇଥିବା ବେଳେ ପୋଲିସ ଡ୍ରାଇଭରଙ୍କୁ ଅଟକ ରଖିଛି । ସେହିଭଳି ଗାଡ଼ିର ପଞ୍ଜିକରଣ ସାର୍ଟିଫିକେଟ ଓ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ନିଲମ୍ବନ ପାଇଁ ପଦକ୍ଷେପ ନିଆଯାଇଛି ।
ସେହିଭଳି, ଖୋର୍ଦ୍ଧା ଜିଲ୍ଲା ହଳଦିଆର ଏକ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଚଳନ୍ତା ଚାରିଚକିଆ ଗାଡ଼ିରେ ଡ୍ରାଇଭର ଷ୍ଟିଅରିଂ ଛାଡ଼ି ରିଲ୍ସ କରୁଥିଲେ । ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଖୋର୍ଦ୍ଧା ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସ୍ଥାନୀୟ ପୋଲିସ, ଜଗତସିହପୁର ଓ ଭୁବନେଶ୍ୱର-୧ ଆରଟିଓଙ୍କ ସହଯୋଗରେ ଗାଡ଼ିକୁ ଜବତ କରିଛନ୍ତି । ଜରିମାନା ସହ ଡ୍ରାଇଭିଂ ଲାଇସେନ୍ସ ଓ ପଞ୍ଜିକରଣ ସାର୍ଟିଫିକେଟ ନିଲମ୍ବନ ପାଇଁ ପଦକ୍ଷେପ ନେଇଛନ୍ତି ।
ଭୁବନେଶ୍ୱରରେ ଏକ ବାଇକରେ ଯୁବକ-ଯୁବତୀଙ୍କ ବିପଦପୂର୍ଣ୍ଣ ଗାଡ଼ି ଚାଳନାର ଭିଡିଓ କିଛିଦିନ ତଳେ ଭାଇରାଲ ହୋଇଥିଲା । ଏହି ଘଟଣାରେ ମଧ୍ୟରେ ଭୁବନେଶ୍ୱର-୨ ଆରଟିଓ ଗାଡ଼ି ଅଟକ ରଖିଥିବା ବେଳେ ଜରିମାନା, ଲାଇସେନ୍ସ ନିଲମ୍ବନ ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଅନ୍ୟପକ୍ଷରେ, ପୁରୀରେ ମଧ୍ୟ ଏଭଳି ବିପଦପୂର୍ଣ୍ଣ ଗାଡ଼ି ଚାଳନା ଘଟଣାରେ ଆରଟିଓଙ୍କ ପକ୍ଷରୁ ମୋଟର ଯାନ ଆଇନ ଅନୁଯୀୟ ପଦକ୍ଷେପ ଗ୍ରହଣ କରି ଗାଡ଼ିକୁ ଅଟକ ରଖି ଜରିମାନା କରାଯାଇଛି ।
ରିଲ୍ସ ତଥା ସୋସିଆଲ ମିଡିଆ ଭିୟୁ ପାଇଁ ଯୁବପିଢ଼ି ବିପଦପୂର୍ଣ୍ଣ ଗାଡ଼ି ଚଳାଉଥିବାର ଭିଡିଓ ନିୟମିତ ଭାବରେ ସାମ୍ନାକୁ ଆସୁଛି । ଯାହାପାଇଁ ଅନେକ ସମୟରେ ଦୁର୍ଘଟଣା ବି ଘଟୁଛି । କେବଳ ଉକ୍ତ ଗାଡ଼ି ଚାଳକ ନୁହେଁ, ଏହା ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ବିପଦର କାରଣ ପାଲଟୁଛି । ନିୟମ ଉଲ୍ଲଙ୍ଘନର ଏଭଳି ଦୃଶ୍ୟ ଉପରେ ନିୟନ୍ତ୍ରଣ ପାଇଁ ସଡ଼କରେ ଏନଫୋର୍ସମେଣ୍ଟ ସହ ସୋସିଆଲ ମିଡିଆ ଉପରେ ମଧ୍ୟ ଏଭଳି ଘଟଣା ଉପରେ ଦୃଷ୍ଟି ରଖିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି ନେଇଛି । ଉଭୟ ମୋଟର ଯାନ ଆଇନ ଓ ଭାରତୀୟ ନ୍ୟାୟ ସଂହିତାରେ ଏଭଳି କାର‌୍ୟ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାବଧାନ ରହିଛି । ତେଣୁ ଏଭଳି ବିପଦପୂର୍ଣ୍ଣ ଗାଡ଼ି ଚାଳନାରୁ ଦୂରେଇ ରହିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories