ପିପିଲି: ପୁରୀ ଅଭିମୁଖେ ଯାଉଥିବା ସରକାରୀ ଡବଲ ଡେକର ବସ୍ ପିପିଲି ନିକଟରେ ଏକ କାରକୁ ଧକ୍କା ଦେବା ଫଳରେ ସେଥିରେ ଥିବା ଦୁଇଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତା ତରାକାଜଛକ ସ୍ଥିତ ଏକ ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ପୂର୍ବାହ୍ନରେ ଏହି ଦୁର୍ଘଟଣା ଘଟିଛି । ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ଡବଲ ଡେକର ବସ୍ (ଓଡି-୩୩ଏଆର୍-୧୫୪୨)ଟି ସମ୍ମୁଖରେ ଯାଉଥିବା ଏକ କାର୍କୁ ପଛପଟୁ ଖୁବ୍ ଜୋରରେ ଧକ୍କା ଦେଇଥିଲା । ଫଳରେ କାର ପଛପାର୍ଶ୍ବ କ୍ଷତିଗ୍ରସ୍ତ ହୋଇଥିବା ବେଳେ କାରରେ ବସିଥିବା ପୁଷ୍ପଲତା ବେହେରା ଓ ତାଙ୍କ ବଡ ଭଉଣୀ ମମତା ବେହେରା ଆହତ ହୋଇଥିଲେ। ଉଭୟଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଛି। ଏ ସମ୍ପର୍କରେ କାର ଚାଳକ ସାଗର ନାୟକଙ୍କ ଲିଖିତ ଅଭିଯୋଗ ଉପରେ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଳିସ ଦୁର୍ଘଟଣାଗ୍ରସ୍ତ ଗାଡି ଦ୍ଵୟକୁ ଜବତ କରି ଘଟଣାର ତଦନ୍ତ ଜାରିରଖିଛି।



