www.samajalive.in
Monday, December 8, 2025
13.1 C
Bhubaneswar

ଭାରତୀୟ ସଂସ୍କୃତି ଓ ଗୁରୁ-ଶିଷ୍ୟ ପରମ୍ପରା

ଭାରତୀୟ ସଂସ୍କୃତି ଗୁରୁ-ଶିଷ୍ୟ ପରମ୍ପରାକୁ ନେଇ ସମୃଦ୍ଧ। ‘ଗୁରୁ କହିଲେ ଗୋଟିଏ ଶିଷ୍ୟ ଅନୁଭବ କରନ୍ତି କୋଟିଏ’ ଅର୍ଥାତ୍‌‌ ଗୁରୁଙ୍କର ଅନୁଭବ, ଅନୁଭୂତି ଓ ଶିକ୍ଷାକୁ କଣ୍ଠସ୍ଥ ତଥା ହୃଦୟଙ୍ଗମ କରି ଏହାର ପ୍ରଚାର ଏବଂ ପ୍ରସାର କରିବାରେ ଶିଷ୍ୟମାନଙ୍କର ଭୂମିକା ଅନନ୍ୟ ଏବଂ ଉଦାହରଣୀୟ ଥିଲା। ତେବେ ଗୁରୁମାନଙ୍କର ବିଭାଗୀକରଣ କରି ଶିଷ୍ୟମାନେ ସେମାନଙ୍କୁ ଶିକ୍ଷା, ଦୀକ୍ଷା ଏବଂ ଧର୍ମ ଆଦି ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଅବଦାନକୁ ସ୍ମରଣ ତଥା ଅନୁଭବ କରିଥାଆନ୍ତି। ସାମାଜିକ ସ୍ଥିତାବସ୍ଥା ରକ୍ଷା କରିବା ସହିତ ବିକାଶ ଦିଗରେ ସେମାନଙ୍କର ଭୂମିକା ଅନନ୍ୟ ଏବଂ ଅତୁଳନୀୟ ଥିଲା। ସେଥିପାଇଁ ଶାସ୍ତ୍ରକାରମାନେ ଲେଖିଛନ୍ତି ‘ଗୁରୁଙ୍କୁ ନ ମଣିବ ନର, ଗୁରୁ ଯେ ସାକ୍ଷାତ ଈଶ୍ୱର’। ବେଦବାଣୀଗୁଡ଼ିକୁ ଗୁରୁମାନଙ୍କଠାରୁ ଶୁଣି ତାକୁ ମନେ ରଖିବା ସହିତ ଉତ୍ତର ପିଢ଼ିଙ୍କ ପାଇଁ ସେଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ଶିଷ୍ୟମାନେ ପ୍ରମୁଖ ଭୂମିକା ନିଭାଉଥିଲେ। ଯେଉଁଥିପାଇଁ ବେଦର ଅନ୍ୟନାମ ‘ଶ୍ରୁତି’ ବୋଲି ଅଭିହିତ କରାଯାଇଥାଏ।

ପୁରାକାଳରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ଜାତି ତଥା ଲିଙ୍ଗ ବୈଷମ୍ୟରେ ସଂକ୍ରମିତ ଥିଲା। ସମାଜର ଉଚ୍ଚ ବର୍ଗର ଲୋକମାନେ ସେମାନଙ୍କ କନ୍ୟାମାନଙ୍କ ପାଇଁ ଘରୋଇ ଶିକ୍ଷକ ନିଯୁକ୍ତ କରାଉଥିବା ବେଳେ ସାମୂହିକ ନାରୀ ଶିକ୍ଷାର ପ୍ରଚଳନ ପ୍ରାୟତଃ ନଥିଲା କହିଲେ ଚଳେ। ଉଚ୍ଚ ଜାତିର ଲୋକମାନେ ଶିକ୍ଷା ଲାଭ କରୁଥିବା ବେଳେ ନୀଚ ଜାତିର ଲୋକମାନେ ଏଥିରୁ ବଞ୍ଚିତ ହେଉଥିଲେ। ଦ୍ରୋଣାଚାର୍ଯ୍ୟ – ଏକଲବ୍ୟ ଉପାଖ୍ୟାନ ଏହାର ପ୍ରକୃଷ୍ଟ ଉଦାହରଣ ବୋଲି ମନେ କରାଯାଏ। ତେବେ ଗୁରୁଙ୍କ ପ୍ରତି ସମର୍ପିତ ଭାବନା ଯୋଗୁଁଁ ଶିଷ୍ୟମାନଙ୍କର ମାନ ମର୍ଯ୍ୟାଦା ବଢ଼଼ିଥିବା ବେଳେ ଗୁରୁମାନଙ୍କୁ ନିନ୍ଦିତ ହେବାକୁ ପଡ଼ିଥିଲା। ଶିଷ୍ୟ ଉପମନ୍ୟୁଙ୍କୁ ପରୀକ୍ଷା କରିବା ପାଇଁ ଗୁରୁ ଧୈାମ୍ୟ ତାଙ୍କୁ ସମସ୍ତ ଖାଦ୍ୟ ବାରଣ କରିଥିଲେ। ଶେଷରେ ଭୋକରେ ଆଉଟୁ ପାଉଟୁ ହୋଇ ଉପମନ୍ୟୁ ଅରଖ ପତ୍ର ଖାଇ ଦେବାରୁ ସିଏ ଅନ୍ଧ ହୋଇଯାଇଥିଲେ। ଅନ୍ୟ ପକ୍ଷରେ ଦାନବୀର କର୍ଣ୍ଣ ଶିକ୍ଷା ଲାଭ କରିବା ପାଇଁ ମନସ୍ଥ କରିଥିଲେ ମଧ୍ୟ ତାଙ୍କର ବଂଶର ପରିଚିତି ନଥିବାରୁ ସିଏ ଶିକ୍ଷା ଲାଭରୁ ବଞ୍ଚିତ ହେବାର ଆଶଙ୍କା କରି ବ୍ରାହ୍ମଣର ମିଥ୍ୟା ପରିଚୟ ଦେଇ ଗୁରୁ ପର୍ଶୁରାମଙ୍କ ଠାରୁ ଶିକ୍ଷା ଲାଭ କରିଥିଲେ। ବିଧିର ବିଧାନ, ସାମାନ୍ୟ ଭୁଲ ପାଇଁ ଲବ୍‌‌ଧ ଶିକ୍ଷା ତାଙ୍କର କାର୍ଯ୍ୟରେ ଆସିନଥିଲା।

- Advertisement -

ବର୍ତ୍ତମାନ ପରିପ୍ରେକ୍ଷୀରେ ଗୁରୁକୁଳ ଶିକ୍ଷାରେ ପରିବର୍ତ୍ତନ ଘଟି ଆନୁଷ୍ଠାନିକ ଶିକ୍ଷାର ପ୍ରଚଳନ ହୋଇଛି। ଦଣ୍ଡଯୁକ୍ତ ଶିକ୍ଷା, ଆଜି ଦଣ୍ଡମୁକ୍ତ ଶିକ୍ଷା ଭାବେ ସୁପରିଚିତ। ଶିକ୍ଷା ବ୍ୟବସ୍ଥାରେ ଜାତି ଓ ଲିଙ୍ଗ ଭେଦ ପ୍ରାୟତଃ ନାହିଁ। ତେବେ ଗୁରୁ – ଶିଷ୍ୟ ପରମ୍ପରାରେ କିଛି ମାତ୍ରାରେ ଅଧୋଗତି ଘଟିଛି। କେଉଁଠି ଶିକ୍ଷକଙ୍କ ତାଗିଦା ଓ ଶାସନରେ ଅତିଷ୍ଠ ହୋଇ ଛାତ୍ର ଶିକ୍ଷକଙ୍କୁ ଆକ୍ରମଣ କଲାଣି ତ ଆଉ କେଉଁଠି ଶିକ୍ଷକ ମିଛ କେସ୍‌‌ରେ ଫସି ଜେଲ ଗଲେଣି। ତଦ୍ରୂପଭାବେ ଛାତ୍ର-ଛାତ୍ରୀ ମାନେ ଗୁରୁଙ୍କ ଲୋଲୁପ ଦୃଷ୍ଟିର ଶିକାର ହୋଇ ଯୌନ ଉତ୍ପୀଡ଼ନ, ଶାରୀରିକ ଦଣ୍ଡ, ତଥା ବିଭିନ୍ନ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି। ତେଣୁ ‘ଗୁରୁଙ୍କୁ ନ ମଣିବ ନର, ଗୁରୁ ଯେ ସାକ୍ଷାତ ଈଶ୍ୱର’ ଭଳି ବାଣୀ ତାର ପ୍ରାସଙ୍ଗିକତା ହରାଇବା ଭଳି ମନେହୁଏ।

ଶିକ୍ଷାଦାନ ପ୍ରକ୍ରିୟାରେ ଉଭୟ ଛାତ୍ର ଓ ଶିକ୍ଷକ ଦୁଇ ପାର୍ଶ୍ବ। ଗୋଟିଏ ତା’ର ସତ୍ତା ହରାଇଲେ କିମ୍ବା ଚରିତ୍ର ବଦଳାଇଲେ ଅନ୍ୟ ପାର୍ଶ୍ବଟି ପ୍ରଭାବିତ ହେବା ସୁନିଶ୍ଚିତ। ଏପରି କ୍ଷେତ୍ରରେ ଆମ ସମସ୍ତଙ୍କୁ ଜାଗ୍ରତ ହେବାର ଅଛି। କେବଳ ସରକାରୀ ଆଇନ, ଭିତ୍ତିଭୂମି ଏସବୁକୁ ସଜାଡ଼ି ପାରିବ ନାହିଁ ବରଂ ଏଥିପାଇଁ ଆମ ସମସ୍ତଙ୍କୁ ସମ୍ବେଦନଶୀଳ ଭାବେ ଏସବୁ ପ୍ରସଙ୍ଗଗୁଡ଼ିକୁ ଠିକ ଭାବେ ସାମ୍ନା କରିବାକୁ ପଡ଼ିବ। ଉଭୟ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ସହିତ ସମ୍ମାନ ଦରକାର। ବହି ପାଠ ପଢ଼଼ିଦେଲେ ବା ପଢ଼଼ାଇଦେଲେ ମଣିଷର ଯେ ସମସ୍ତ ପରିବର୍ତ୍ତନ ହୋଇଯିବ ସେ କଥା ଭାବିବା ବୋକାମି। ଏସବୁ କ୍ଷେତ୍ରରେ ନୈତିକ ଶିକ୍ଷା ବାଧ୍ୟତାମୂଳକ କରାଯିବା ସହିତ ମନସ୍ତାତ୍ତ୍ୱିକ ସ୍ୱାସ୍ଥ୍ୟରକ୍ଷା ଏବଂ ତା’ର ବିଶ୍ଳେଷଣ କରିବା ବାଧ୍ୟତାମୂଳକ କରାଯିବା ଜରୁରୀ।
ଲେଖକ ଜଣେ ଅବସରପ୍ରାପ୍ତ ଶିକ୍ଷକ, ବିଲଣା, ଭଦ୍ରକ

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories