ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆମେରିକା ବଜାରରେ ବିକ୍ରି ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟିକସ କଷି ଭାରତର ଏକ ବଡ଼ ଅର୍ଥନୈତିକ କ୍ଷତି ଘଟାଇବାକୁ ଉଦ୍ୟମ କରିଛନ୍ତି। ଏହାର ପ୍ରଭାବ ବୟନ, ରତ୍ନପଥର ଓ ଗହଣା, ବିଭିନ୍ନ ଯନ୍ତ୍ରାଂଶ, ଔଷଧ, ଚିଙ୍ଗୁଡି ରପ୍ତାନି ଭଳି ଶିଳ୍ପ ଉପରେ ପଡ଼ିବା ଆଶଙ୍କା ବଢିଛି। ତେବେ ଏହାର ମୁକାବିଲା ଲାଗି ଭାରତ ମଧ୍ୟ ସ୍ବଦେଶୀ ଅର୍ଥନୀତିକୁ ଅଧିକ ଗତିଶୀଳ କରିବା ଲାଗି ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ରେ ଲାଲକିଲା ଅଭିଭାଷଣରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ହ୍ରାସ ନେଇ ଯେଉଁ ସଙ୍କେତ ଦେଇଥିଲେ, ତାହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଦରଦାମରେ ନିୟନ୍ତ୍ରଣ ଓ କାରବାରକୁ ଅଧିକ ବଢାଇବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଜିଏସ୍ଟି ପରିଷଦର ବୈଠକରେ ଐତିହାସିକ ନିଷ୍ପତ୍ତି ନେବା ସ୍ବାଗତଯୋଗ୍ୟ। ପ୍ରଚଳିତ ୫, ୧୨, ୧୮ ଓ ୨୮ ଶତାଂଶ ଭଳି ଟିକସ ସ୍ଲାବ୍ରୁ ଦ୍ବିତୀୟ ଓ ଚତୁର୍ଥ ସ୍ଲାବ୍ ଉଚ୍ଛେଦ କରାଯାଇଛି। ଏବେ କେବଳ ୫ ଓ ୧୮ ଶତାଂଶ ଶୁଳ୍କ ବ୍ୟବସ୍ଥା ରହିବ। ରୁଟି, ପରଟା, ପନିର, ଛେନା, ପାଉରୁଟି, ପିଜା ଭଳି ଖାଦ୍ୟ ସାମଗ୍ରୀ ଓ ମ୍ୟାପ୍, ଚାର୍ଟ, ଗ୍ଲୋବ୍, ପେନ୍ସିଲ୍, ନୋଟ୍ବୁକ୍ ଭଳି ପାଠ୍ୟ ଉପକରଣକୁ ଶୁଳ୍କମୁକ୍ତ ଦ୍ବାରା ଏ କ୍ଷେତ୍ରର କାରବାର ଅଧିକ ବଢିବ।
ସବୁଠୁ ବଡ଼ ନିଷ୍ପତ୍ତି ହେଲା, ୩୩ଟି ଜୀବନ ରକ୍ଷାକାରୀ ଔଷଧ ଶୂନ୍ୟ ଜିଏସ୍ଟି ପରିସରକୁ ଆସିବା। ଏହା ବିଶେଷକରି ଦେଶର ଲକ୍ଷ ଲକ୍ଷ ରୋଗୀଙ୍କୁ ମାସିକ ଅର୍ଥବୋଝରୁ ଆଶ୍ବସ୍ତ କରିବ। ଅବଶ୍ୟ ସରକାର ସ୍ବାସ୍ଥ୍ୟକ୍ଷେତ୍ରରେ ଆୟୁଷ୍ମାନ୍ ଭାରତ, ପ୍ରଧାନମନ୍ତ୍ରୀ ବୟୋ ବନ୍ଦନା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ରାଜ୍ୟମାନେ ମଧ୍ୟ ନିଜ ନିଜ ରାଜ୍ୟରେ ସ୍ବାସ୍ଥ୍ୟବୀମା ଚଳାଇଛନ୍ତି। ଏହା ରୋଗୀଙ୍କ ଲାଗି ଚିକିତ୍ସାଳୟ ଅର୍ଥବ୍ୟୟକୁ ଲାଘବ କରିଛି। ମାତ୍ର ଚିକିତ୍ସା ପର ଔଷଧ ଖର୍ଚ୍ଚ ନେଇ ପରିବାରରେ ଯେଉଁ ଆର୍ଥିକ ସମସ୍ୟା ରହୁଥିଲା, ସେଥିରେ ୩୩ଟି ଔଷଧକୁ ଟିକସମୁକ୍ତ କରିବା ପରିବାରର ଆର୍ଥିକ ଚାପ କମାଇବ। ବ୍ୟକ୍ତିଗତ ସ୍ବାସ୍ଥ୍ୟବୀମା ଓ ଜୀବନ ବୀମା କ୍ଷେତ୍ରରେ ଥିବା ୧୮ ଶତାଂଶ ଟିକସ ଉଚ୍ଛେଦ ଏକ ଯୁଗାନ୍ତକାରୀ ନିଷ୍ପତ୍ତି। ଏହା ଦୁଇଟି ଫାଇଦା ଦେବ। ସ୍ବାସ୍ଥ୍ୟବୀମା ସଂସ୍ଥା ସଶକ୍ତ ହେବା ସହ ଲୋକେ ମଧ୍ୟ ପ୍ରିମିୟମରେ ୧୮ ପ୍ରତିଶତ ଜିଏସ୍ଟିରୁ ମୁକ୍ତି ପାଇବେ। ପ୍ରିମିୟମ ରାଶି ଏଥିଯୋଗୁଁ କମିଯିବ। ଏହା ବ୍ୟତୀତ ଡାକ୍ତରୀ ଯନ୍ତ୍ରପାତି, ପରୀକ୍ଷା ଉପକରଣ, ଯନ୍ତ୍ରାଂଶ ଉପରେ ପ୍ରଚଳିତ ୧୮ ଓ ୧୨ ପ୍ରତିଶତ ଜିଏସ୍ଟିକୁ ୫ ଶତାଂଶକୁ ଖସାଇ ଆଣିବା ବଡ଼ ପଦକ୍ଷେପ।
କେବଳ ସ୍ବାସ୍ଥ୍ୟ ନୁହେଁ; କୃଷି ଓ କୃଷକଙ୍କ ଲାଗି ଟ୍ରାକ୍ଟର, ଟାୟାର, ମାଟି ପ୍ରସ୍ତୁତି, ବିହନବୁଣା, ଅମଳ ଓ ଅନ୍ୟାନ୍ୟ କୃଷିଭିତ୍ତିକ ଯନ୍ତ୍ରାଂଶ ଉପରେ ୧୮ ଓ ୧୨ ଶତାଂଶ ଜିଏସ୍ଟିକୁ ୫%କୁ ହ୍ରାସ ଦ୍ବାରା ଏହି କ୍ଷେତ୍ରରେ ନିର୍ଭରଶୀଳ ୭୦ ଶତାଂଶ ଲୋକଙ୍କ ଫାଇଦା ହେବ। ସେହିଭଳି ଅଟୋ ମୋବାଇଲ କ୍ଷେତ୍ରରେ ପ୍ରାୟ ସବୁବର୍ଗଙ୍କୁ ସୁହାଇବା ଭଳି ଜିଏସ୍ଟି ସଂସ୍କାର କରାଯାଇଛି। ଛୋଟ କାର, ମୋଟର ସାଇକଲ, ଅଟୋରିକ୍ସାଠାରୁ ପଣ୍ୟବାହୀ ଯାନବାହନର ବ୍ୟବସାୟ କ୍ଷେତ୍ର ମଧ୍ୟ ଅଧିକ ବଢିବ। ଯାହାକି ମ୍ୟାନୁଫାକ୍ଚରିଂ ଓ ସେବା କ୍ଷେତ୍ରକୁ ସଶକ୍ତ କରିବ। ଆଗକୁ ଆସୁଛି ଦଶହରା ଓ ଦୀପାବଳି। ଏ ଦିଗରେ ଇଲେକ୍ଟ୍ରୋନିକ୍ସ ଉପକରଣ କ୍ଷେତ୍ରରେ ମଧ୍ୟ ଜିଏସ୍ଟି ରିଆତି କାରବାରକୁ ବଢାଇବ। ସରକାର ପରିବର୍ତ୍ତିତ ଜିଏସ୍ଟିକୁ ଆସନ୍ତା ୨୨ରୁ କାର୍ଯ୍ୟକାରୀ କରିବେ। ପାର୍ବଣ ପୂର୍ବରୁ ଏଭଳି ନିଷ୍ପତ୍ତି ଶିଳ୍ପ ଓ କୃଷି ଉତ୍ପାଦନ କ୍ଷେତ୍ର, ଯୁବ ଉଦ୍ୟୋଗୀ ଓ ଗୃହିଣୀଙ୍କ ଲାଗି ଆର୍ଥିକ ଅମ୍ଳଜାନ ଦେବ। ଫଳରେ ବଜାର ଦର ଅଧିକ ଚଳଚଞ୍ଚଳ ହେବା ଆଶା ରହିଛି। ଅର୍ଥନୈତିକ ରିପୋର୍ଟରେ ଦେଶର େତ୍ରୖମାସିକ ମୋଟ ଘରୋଇ ଆୟ(ଜିଡିପି) ପୂର୍ବ ଆକଳନରୁ ଉପରକୁ ଉଠି ଉତ୍ସାହପ୍ରଦ ୭.୮ ଶତାଂଶ ରହିଛି। ବଜାରକୁ ଅଧିକ ଚଳଚଞ୍ଚଳ କରିବା ଲାଗି ପୁଣି ଏବେ ଜିଏସ୍ଟି ହ୍ରାସ ଭାରତୀୟ ଅର୍ଥନୀତିକୁ ଅଧିକ ଗତିଶୀଳ କରିବ।
ତେବେ ପାନ ମସଲା, ଜର୍ଦା, ଗୁଟଖା, ସିଗାରେଟ୍ ଓ ବିଡ଼ି ଉପରେ ସରକାର ୪୦% ଟିକସ ବସାଇ ଉତ୍ପାଦନ ଓ ବ୍ୟବହାର ହ୍ରାସର ପ୍ରୟାସ କରିଛନ୍ତି। ଅନ୍ୟପକ୍ଷରେ ଆଲକହଲ(ସୁରାସାର)କୁ ଜିଏସ୍ଟି ପରିସର ବାହାରେ ରଖାଯାଇଥିବାରୁ ଏଥିରେ ରାଜ୍ୟ ପ୍ରଚଳିତ ଟିକସ ବଳବତ୍ତର ରହିବ। କେବଳ ସେତିକି ନୁହେଁ; ସୌଖୀନ ଜାତୀୟ ଆମଦାନୀ ସାମଗ୍ରୀ ଉପରେ ମଧ୍ୟ ୪୦ ପ୍ରତିଶତ ଲାଗୁ ଆତ୍ମନିର୍ଭର ଭାରତ ଓ ‘ଲୋକାଲ ଫର୍ ଭୋକାଲ’ ଅର୍ଥାତ୍ ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିବ। ଆଉ ଏକ କଥା ହେଲା- ପେଟ୍ରୋଲ ଓ ଡିଜେଲକୁ ଜିଏସ୍ଟିମୁକ୍ତ କରିବାକୁ ପୂର୍ବରୁ ଜନମତ ବଢୁଥିବାବେଳେ ଏଥର ମଧ୍ୟ ସେ ଦିଗରେ ପଦକ୍ଷେପ ନିଆଯାଇନି। ଯେହେତୁ ଭାରତ ନିଜ ଚାହିଦାର ୮୧ ଶତାଂଶ ବାହାରୁ ଆମଦାନୀ କରୁଛି, ତେଣୁ ଜିଏସ୍ଟି ପରିସରକୁ ଏହାକୁ ଆଣିବା ଅର୍ଥନୀତି ଲାଗି ବୁମେରାଂ ହୋଇପାରେ। ତେବେ ବୁଧବାରର ଐତିହାସିକ ନିଷ୍ପତ୍ତି ୯୩ ହଜାର କୋଟି ଟଙ୍କାର ରାଜସ୍ବ କ୍ଷତି ଅର୍ଥନୀତି ଉପରେ ପକାଇବ। ରାଜ୍ୟମାନେ ମଧ୍ୟ ଏଥିଯୋଗୁଁ ରାଜସ୍ବ ହରାଇବେ। ତେଣୁ କ୍ଷତିପୂର୍ତ୍ତି ଲାଗି ମଧ୍ୟ କେନ୍ଦ୍ର ବ୍ୟବସ୍ଥା କରୁ ବୋଲି ଦାବି ରଖିଛନ୍ତି।
ଜିଏସ୍ଟିକୁ ଏକଦା ବିରୋଧୀ ଦଳ ‘ଗବ୍ଦର ସିଂହ ଟିକସ’ କହି ତାଚ୍ଛଲ୍ୟ କରିଥିଲେ। କ୍ରମାଗତ ଜିଏସ୍ଟିରେ ସଂସ୍କାର ଓ ଟିକସ ସରଳୀକରଣ କରାଯାଉଛି। ବୁଧବାର ନିଷ୍ପତ୍ତିକୁ ମଧ୍ୟ ବିରୋଧୀ ଦଳ ଆସନ୍ତା ବିହାର ଓ ପଶ୍ଚିମବଙ୍ଗ ନିର୍ବାଚନକୁ ଦୃଷ୍ଟରେ ରଖି ମୋଦୀ ସରକାର ନେଇଥିବା ଅଭିଯୋଗ ଉଠାଇଛନ୍ତି। ଯାହା ବି ହେଉ, ଟ୍ରମ୍ପ୍ଙ୍କ ଟାରିଫ୍ ମାଡ଼ ପରେ ସ୍ବଦେଶୀ ଅର୍ଥନୀତି ସମୃଦ୍ଧ ଲାଗି ଜିଏସ୍ଟି ସଂସ୍କାର ନିଷ୍ପତ୍ତି କେତେ ମୁକାବିଲା କରିବ, ତାହା ସମୟ କହିବ !



