www.samajalive.in
Friday, December 5, 2025
26.1 C
Bhubaneswar

ପାଣ୍ଡିଆନଙ୍କୁ ନେଇ ମୁହାଁମୁହିଁ ବିଜେପି-ବିଜେଡି

ଭୁବନେଶ୍ବର: ଅବସରପ୍ରାପ୍ତ ଆଇଏଏସ୍‌ ଭି.କେ. ପାଣ୍ଡିଆନଙ୍କୁ ନେଇ ବିଜେପି-ବିଜେଡି ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି। ଦଳୀୟ ପାଣ୍ଠି ଆତ୍ମସାତ କରିବାକୁ ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କ ପାଖରେ ରହୁଛନ୍ତି ବୋଲି ବିଜେପି ବିଧାୟକ ସରୋଜ ପାଢ଼ୀ ଅଭିଯୋଗ କରିଥିବାବେଳେ ବିଜେଡି ପକ୍ଷରୁ ଜବାବରେ କୁହାଯାଇଛି ଯେ ସରକାରଙ୍କ ବିଫଳତାକୁ ଲୁଚାଇବା ପାଇଁ ଏହା ଅବାଞ୍ଛିତ ମନ୍ତବ୍ୟ। ବିଜେପି ବିଧାୟକ ଶ୍ରୀ ପାଢ଼ୀ ଅଭିଯୋଗ କରିଥିଲେ ଯେ, ବିଜେଡିର ଦଳୀୟ ପାଣ୍ଠି ଉପରେ ପାଣ୍ଡିଆନଙ୍କ ନଜର ରହିଛି। ଏହି ପାଣ୍ଠି ଆତ୍ମସାତ୍‌ ପାଇଁ ପାଣ୍ଡିଆନ ଛାଇ ଭଳି ନବୀନଙ୍କ ପାଖରେ ରହୁଛନ୍ତି। ଏହି ପାଣ୍ଠି ପାଇଁ ନବୀନ ପଟ୍ଟନାୟକଙ୍କର କେତେବେଳେ କ’ଣ ହେବ କେହି କହିପାରିବେ ନାହିଁ। ସାଧାରଣରେ ଚର୍ଚ୍ଚା ଯେ ଦଳୀୟ ପାଣ୍ଠି ପାଇଁ ନବୀନଙ୍କ ଜୀବନ ବି ଯାଇପାରେ। କାଳେ କିଏ ଘନିଷ୍ଠ ହୋଇଯିବ ସେଥିପାଇଁ କାହାକୁ ନବୀନଙ୍କ ପାଖ ମଧ୍ୟ ମଡ଼ାଇ ଦେଉନାହାନ୍ତି ପାଣ୍ଡିଆନ। ଯେଉଁମାନେ ନବୀନଙ୍କ ସହ ଥିଲେ ତାଙ୍କୁ ନବୀନ ନିବାସଠୁ ସେ ଦୂରେଇ ରଖିଛନ୍ତି। ଯେଉଁଠି ପାଣ୍ଡିଆନଙ୍କୁ ରାଜ୍ୟବାସୀ କି ବିଜେଡିର କେହି ନେତା ଗ୍ରହଣ କରୁନାହାନ୍ତି ସେଠି ନବୀନଙ୍କୁ ଜବରଦସ୍ତି ଭିଡ଼ି ଧରି ରଖିବା ପଛରେ କ’ଣ ସ୍ବାର୍ଥ ତାହା ଜଣାପଡ଼ିଯାଇଛି। ବିଜେଡି ପାଣ୍ଠିରେ ହଜାରେ କୋଟିରୁ ଅଧିକ ଟଙ୍କା ରହିଛି। ତାହା ଉପରେ ସମସ୍ତଙ୍କର ନଜର ରହିଛି। ସେଥିପାଇଁ କୋଟେରୀ ଗ୍ରୁପ୍‌କୁ ଧରି ବିଜେଡିରେ ଏଣ୍ଟ୍ରି ପାଇଁ ପାଣ୍ଡିଆନ ଦମ୍ପତି ଯୋଜନା କରୁଛନ୍ତି। ରାଜା ସ୍ବା‌ଇଁଙ୍କ ଭଳି ବରିଷ୍ଠ ନେତାଙ୍କୁ ପାଣ୍ଡିଆନ ଏଭଳି ବ୍ୟବହାର କରିବା କେହି ହଜମ କରିପାରୁନାହାନ୍ତି। ନବୀନ ପଟ୍ଟନାୟକଙ୍କ ଭାଇ ଆସିଥିଲେ ଓ ଦଳରେ ଯାହା ହେବ ଆମେ ବୁଝିବୁ, ତୁମେ କିଏ ବୋଲି ପାଣ୍ଡିଆନଙ୍କୁ କହିବ ବୋଲି ସେ କହିଛନ୍ତି।

ଶ୍ରୀ ପାଢ଼ୀଙ୍କ ଏହି ଅଭିଯୋଗ ପରେ ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ଓ ଦଳର ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଥିଲେ ଯେ, ଆସିକା ବିଧାୟକ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ରେକର୍ଡ ରହିଛି। ୨୦୨୨ରେ ଶ୍ରୀ ପାଢ଼ୀ ଜୁଆଖେଳରେ ସମ୍ପୃକ୍ତି ପରେ ନିରୁଦ୍ଦିଷ୍ଟ ହୋଇଯାଇଥିଲେ, ପରେ ତାଙ୍କ ପରିବାର ସଦସ୍ୟ ଥାନାରେ ଅଭିଯୋଗ କରିଥିଲେ। ଏହାର କିଛିଦିନ ପରେ ସେ ରାମେଶ୍ବରରୁ ଉଦ୍ଧାର ହୋଇଥିଲେ। ସେତେବେଳେ ନିଜର ମାନସିକ ସ୍ଥିତି ଠିକ୍ ନଥିବା ସେ ଗଣମାଧ୍ୟମକୁ କହିଥିଲେ। ବିଧାୟକ ହେବା ପରେ ବାଲି ମାଫିଆଙ୍କଠାରୁ ଜୋରଜବରଦସ୍ତି ଚାନ୍ଦା ମାଗୁଥିବାର ଅଡ଼ିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିଲା। ଆସିକା ନିର୍ବାଚନମଣ୍ଡଳୀରେ ରାସ୍ତାରେ ସେ ପିସି ମାଗିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି, ଯେଉଁଥିପାଇଁ ପ୍ରତ୍ୟେକ କ୍ଷେତ୍ରରେ ହେଉଥିବା ଦୁର୍ନୀତିରେ ସେ ସିଧାସଳଖ ସମ୍ପୃକ୍ତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏଭଳି ଜଣେ ବ୍ୟକ୍ତିଙ୍କୁ ବିଜେଡି ଓ ଓଡ଼ିଶାର ଲୋକପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ବିରୋଧରେ ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେବା ପାଇଁ ବିଜେପି ମନୋନୀତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ବିଜେପି ତରଫରୁ ବାରମ୍ବାର ଭି.କେ ପାଣ୍ଡିଆନଙ୍କୁ ନେଇ ବିଭିନ୍ନ ବିଭ୍ରାନ୍ତିକର ମନ୍ତବ୍ୟ ପ୍ରଦାନ କରାଯାଉଛି। ଓଡ଼ିଶାବାସୀ ଭଲ ଭାବରେ ଜାଣନ୍ତି ଯେ, ଶ୍ରୀ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନିକଟରୁ ନୁହଁ। ପାଣ୍ଡିଆନଙ୍କୁ ନେଇ କୁତ୍ସିତ ରାଜନୀତି ନହେଉ। ବିଜେଡି ଏକ ସଫଳ ରାଜନୈତିକ ଦଳ। ଆଗାମୀ ପଞ୍ଚାୟତ ନିର୍ବାଚନ ଓ ୨୦୨୯ ସାଧାରଣ ନିର୍ବାଚନରେ ବିଜେଡି ସଫଳତା ହାସଲ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories