ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣର ୧୨ ଦିନ ପରେ ଭାରତ ପକ୍ଷରୁ ବିମାନ ଆକ୍ରମଣ କରାଯାଇ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ପଦକ୍ଷେପକୁ ଦେଶବ୍ୟାପୀ ପ୍ରଶଂସା କରାଯାଇଛି। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି। କଂଗ୍ରେସ ଆକ୍ରମଣକୁ ସମର୍ଥନ କରିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆକମ୍ରଣ ସମ୍ପର୍କରେ ଟୁଇଟ କରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ଲାଗି ପାଇଲଟଙ୍କୁ ସାଲ୍ୟୁଟ କରୁଛି ବୋଲି ରାହୁଲ କହିଛନ୍ତି। ସେହିପରି ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ମଧ୍ୟ ଏହି ଆକ୍ରମଣକୁ ସମର୍ଥନ ଜଣାଇଛନ୍ତି। ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ଆରଜେଡି ନେତା ତେଜସ୍ବୀ ଯାଦବ ଆକ୍ରମଣକୁ ପ୍ରଶଂସା କରି ଯବାନଙ୍କୁ ସାଲ୍ୟୁଟ କରୁଛି ବୋଲି କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରତିକ୍ରିୟାରେ କହିଛନ୍ତି, ଭାରତୀୟ ଯବାନମାନଙ୍କ ପରାକ୍ରମକୁ ସଲାମ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଭରସା ରହିଛି। ପୂର୍ବତନ ସେନା ମୁଖ୍ୟ ଜେ.ଜେ. ସିଂହ କହିଛନ୍ତି, ଭାରତ ଏକ ଦାୟିତ୍ଵ ସମ୍ପନ୍ନ ରାଷ୍ଟ୍ର। ଏହାର ମୁଖ୍ୟମାନେ କେବେ ଭୁଲ ନିଷ୍ପତ୍ତି ନେବେନାହିଁ।



