ନବରଙ୍ଗପୁର: ମାଆଙ୍କ ଅନ୍ତେଷ୍ଟି କ୍ରିୟାରେ ନିଜ ସାନଝିଅ ଦେଲେ ମୁଖାଗ୍ନି। ଏଭଳି ଘଟଣା ଉମରକୋଟଠାରେ ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ସାମ୍ବାଦିକ ତଥା ଜଣେ ବରିଷ୍ଠ ଆଇନଜୀବୀ ହରିହର ଶତପଥୀଙ୍କ ଧର୍ମପତ୍ନୀଙ୍କ କୁନ୍ତଳା ଶତପଥୀ(ଶାନ୍ତି)ଙ୍କ ମୃତ୍ୟୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଘଟିଛି। ତାଙ୍କର କେବଳ ଦୁଇଟି ଝିଅ ଥିବାବେଳେ ବଡ଼ ଝିଅ ବିବାହିତା । ଦୀର୍ଘଦିନ ଧରି କୁନ୍ତଳା କୁମାରୀଙ୍କର ବ୍ରେନ ଟ୍ୟୁମର ବ୍ୟାଧିରେ ପୀଡ଼ିତ ରହିଥିଲେ। ଦୁଇଦିନ ପୂର୍ବେ କୁନ୍ତଳାଙ୍କୁ ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତି ତାଙ୍କର ମୃତ୍ୟୁ ଘଟିଛି । ହେଲେ ସମାଜର ରିତିନୀତି ଅନୁସାରେ ଅନ୍ତ୍ୟେଷ୍ଟୀ କ୍ରିୟା କର୍ମ ହିନ୍ଦୁ ଧର୍ମର ବ୍ରାହ୍ମଣ ପରିବାରରେ ଥିବା ନିୟମାନୁସାରେ କେବଳ ପୁଅ ସମ୍ପନ୍ନ କରିବାର ଅଧିକାର ଥିବାବେଳେ କୁନ୍ତଳାଙ୍କ ଶେଷ କୃତ୍ୟ କାର୍ଯ୍ୟ ତାଙ୍କ ସାନ ଝିଅ ଆଇନଜୀବୀ ଲୋପାମୁଦ୍ରା ଶତପଥୀ ସମ୍ପନ୍ନ କରିଛନ୍ତି।
ତାଙ୍କ କହିବା ଅନୁଯାୟୀ ପୁଅ ନଥିବା ବାପା ମାଆଙ୍କ ଶେଷକୃତ୍ୟ କରିବାର ଅଧିକାର ଜନ୍ମିତ ଝିଅର ରହିଛି ଏହା ଶାସ୍ତ୍ର ମତରେ ବିଧାନ ଅଛି । ସମାଜରେ ଏହି ବାର୍ତ୍ତା ପ୍ରଦାନ କରିବା ସହ ତାଙ୍କ ମାଆଙ୍କ ଆତ୍ମାର ଶାନ୍ତି ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି ଲୋପାମୁଦ୍ରା । ଏହାକୁ ଶ୍ମଶାନ ଗାମୀ କିଛି ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଥିବା ବେଳେ ଉମରକୋଟ ସହରରେ ଝିଅଙ୍କର ଏହି କାର୍ଯ୍ୟ ନେଇ ଚର୍ଚ୍ଚା ହେଉଛି । ଡଙ୍ଗରଭେଜାରେ ତାଙ୍କର ପୈତୃକ ଘର ହୋଇଥିବାବେଳେ ସେ ରାଜ୍ୟ ଶିକ୍ଷକ ସଂଘ ସଭାପତି ବାଲା ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ହରି ତ୍ରିପାଠୀଙ୍କର ଭଉଣୀ ଅଟନ୍ତି । ବିଭିନ୍ନ ମହଲରେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି ।



