ବୁର୍ଲା : ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ୭୦ ବର୍ଷରେ ପ୍ରଥମ ଥର ଛାତ୍ରଛାତ୍ରୀଙ୍କ ପାଇଁ ଡ୍ରେସ୍ କୋଡ୍ ଲାଗୁ କରାଯାଇଛି । ଏଣିକି ପ୍ରଥମ କରି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ନିର୍ଦ୍ଧାରିତ ଏହି ୟୁନିଫର୍ମ ପରିଧାନ କରିବେ । ଏଥିରେ ସ୍ନାତକୋତ୍ତର ଓ ପିଏଚଡ଼ିକୁ ଛାଡ଼ି ୯୨୦ ଜଣ ଛାତ୍ରଛାତ୍ରୀ ସାମିଲ ହେବେ । ଏଥିରେ ଚଳିତ ଶିକ୍ଷାବର୍ଷରେ ନୁଆକରି ଆରମ୍ଭ ହେଉଥିବା ବିଟେକ ସେଫ୍ଟି ଓ ଫାୟାର ଇଞ୍ଜିନିୟରିଙ୍ଗ, ବାୟୋ ମେଡ଼ିକାଲ ଇଞ୍ଜିନିୟରିଙ୍ଗ ଏବଂ ମେକାନିକାଲ ଓ ସ୍ମାର୍ଟ ମେନୁଫେକ୍ଚରିଙ୍ଗ ଛାତ୍ରଛାତ୍ରୀ ମଧ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଧାର୍ଯ୍ୟ ପୋଷାକ ପରିଧାନ କରିବେ । ଆସନ୍ତା ୧୮ ତାରିଖରୁ ଚଳିତ ଶିକ୍ଷାବର୍ଷର ନବାଗତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ରିପୋର୍ଟିଙ୍ଗ ଆରମ୍ଭ ହେବ, ସେହି ଦିନ ଠାରୁ ନୁଆ ଡ୍ରେସ କୋଡ କାର୍ଯ୍ୟକାରୀ ହେବ ବୋଲି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ ଦୀପକ କୁମାର ସାହୁ କହିଛନ୍ତି । ତେବେ ନୁଆ ୟୁନିଫର୍ମ ତିଆରି କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ସମୟ ଦିଆଯିବ । ଛାତ୍ରଛାତ୍ରୀ ମାନେ ଆକାଶୀ ରଙ୍ଗର ସାର୍ଟ ବା କାମିଜ ଓ ଛାତ୍ରୀମାନେ ନେଭି ନୀଳ ରଙ୍ଗର ସାଲୱାର ଓ ପ୍ୟାଣ୍ଟ ପରିଧାନ କରିବେ । ବିଶ୍ୱବିଦ୍ୟାଳୟର ପରୀକ୍ଷାଗାର, ଗବେଷଣାଗାର, ବ୍ୱାର୍କ ସପରେ ଅଧ୍ୟୟନ ସମୟରେ ସୁରକ୍ଷା ଦୃଷ୍ଟିରୁ ଛାତ୍ରୀମାନଙ୍କ ପାଇଁ ଦୁପଟ୍ଟା ବଦଳରେ ନେଭି ନିଳ ରଙ୍ଗର ୱେଷ୍ଟ କୋଟ ଧାର୍ଯ୍ୟ କରାଯାଇଛି ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାନତା, ନିରପେକ୍ଷତା, ଶୃଙ୍ଖଳା ପାଇଁ ଏହି ଡ୍ରେସ କୋଡ ପ୍ରଜୁଯ୍ୟ । ସୂଚନା ଥାଉକି, ବର୍ତ୍ତମାନ ୫୦ ପ୍ରତିଶତ ଛାତ୍ରଛାତ୍ରୀ ଫର୍ମାଲ ପରିଧାନରେ ବିଶ୍ୱବିଦ୍ୟାଳୟକୁ ଆସୁଛନ୍ତି । ତେବେ ସୁବିଧା ଅସୁବିଧା ସମୟରେ କ୍ୟାମ୍ପସ ଭିତରେ ଏବଂ ବାହାରେ ଛାତ୍ରଛାତ୍ରୀ ମାନଙ୍କୁ ଚିହ୍ନଟ କରିବା ପାଇଁ ଏହା ସହାୟକ ହୋଇପାରିବ । ଦେଶର ଅନେକ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଡ୍ରେସ କୋଡ ରହିଛି ଯାହାକି କ୍ୟାମ୍ପସକୁ ଏକ ସାର୍ବଜନୀନ ଓ କର୍ପୋରେଟ ଲୁକ ପ୍ରଦାନ ସହିତ ନିଯୁକ୍ତି ଦାତା କମ୍ପାନୀ ଓ ଶିଳ୍ପ ମାନଙ୍କୁ ବିଶ୍ୱବିଦ୍ୟାଳୟର ଭାବମୂର୍ତ୍ତି ଓ ପରିବେଶ ନେଇ ଏକ ଅନନ୍ୟ ଅନୁଭୁତି ପ୍ରଦାନ କରିବ । ନିର୍ଦ୍ଧାରିତ ଡ୍ରେସ କୋଡ ବାବଦରେ ଛାତ୍ରଛାତ୍ରୀ ମାନଙ୍କ ମତାମତ ନିଆଯାଇ ଏହାର ରଙ୍ଗ ସମ୍ପର୍କରେ ଚାରିମାସ ଧରି ପରୀକ୍ଷା ନିରୀକ୍ଷା ପରେ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା ବୋଲି କୁଳପତି ପ୍ରଫେସର ସାହୁ କହିଛନ୍ତି । ସେହିଭଳି ବିଶ୍ୱବିଦ୍ୟାୟର ଶିକ୍ଷକ, ଶିକ୍ଷୟତ୍ରୀ, ଡ଼ିନ ବିଭିନ୍ନ ବିଭାଗରେ ମୁଖ୍ୟ ବିଭିନ୍ନ କାର୍ଯ୍ୟକ୍ରମର ମୁଖ୍ୟ ଓ ଅନ୍ୟ ଅଧିକାରୀ ମାନଙ୍କ ସହିତ ଡ୍ରେସ କୋଡ ନିଷ୍ପତ୍ତି ନିଅଯାଇଥିବା ଆଲୋଚନା କରାଯାଇଥିବା ସେ କହିଛନ୍ତି । ଆସନ୍ତା ଶିକ୍ଷାବର୍ଷ ଠାରୁ ଏହି ଡ୍ରେସ କୋଡ ଜାରି ରହିବ ବୋଲି ସେ କହିଛନ୍ତି ।



