www.samajalive.in
Thursday, December 11, 2025
18.1 C
Bhubaneswar

କାଳିଆ ଯୋଜନାରେ ୩୦ଲକ୍ଷ ଛୋଟ, ଭୂମିହୀନ ଓ ଭାଗ ଚାଷୀ ଉପକୃତ ହେବେ: ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ/ହିନ୍ଦୋଳ : ଓଡ଼ିଶାର ଚାଷୀଭାଇଙ୍କ ଉନ୍ନତି ପାଇଁ କାଳିଆ ଯୋଜନା ରାଜ୍ୟ ସରକାରଙ୍କର ଏକ ଐତିହାସିକ ପଦକ୍ଷେପ। ଏହି ଯୋଜନା ଦେଶକୁ ବାଟ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ପଞ୍ଚୁପଡ଼ାଠାରେ ଅନୁଷ୍ଠିତ ଏକ ବିଶାଳ ସମାବେଶରେ ଉଦ୍‍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ଯୋଜନା ଦ୍ୱାରା ଛୋଟ ଚାଷୀ, ଭାଗ ଚାଷୀ ଓ ଭୂମିହୀନ ୩୦ଲକ୍ଷ ଚାଷୀ ଉପକୃତ ହୋଇପାରିବେ। ଚାଷୀଙ୍କୁ ସହାୟତା ଯୋଗାଇଦେବାପାଇଁ କାଳିଆ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ
୫ହଜାର ଟଙ୍କା ଦିଆଯାଇଥିବାବେଳେ ବିନା ସୁଧରେ ସେମାନଙ୍କ ପାଇଁ ଋଣ ବ୍ୟବସ୍ଥା ମଧ୍ୟ ହୋଇଛି। ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ପଚାରିଥିଲେ, ଆପଣମାନେ ଖୁସି ତ? ଜନସାଧାରଣଙ୍କ ପ୍ରତି ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମଞ୍ଚାସୀନ କେତେକ ପୁରୁଷ, ମହିଳା ଚାଷୀ ଓ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଜଣେ ମଧ୍ୟବିତ୍ତ ବର୍ଗର ମହିଳା ଚାଷୀ ପ୍ରଥମେ ଉଦ୍‍ବୋଧନ ଦେଇ ସେ କାଳିଆ ଯୋଜନାର ପ୍ରଶଂସା କରିବାସହ ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ଅଭିନବ ପ୍ରୟାସ ବୋଲି କହିଥିଲେ। ଏପରିକି ୯ମ ଶ୍ରେଣୀରେ ପାଠ ପଢ଼ୁଥିବା ତାଙ୍କ ଝିଅକୁ କାଳିଆ ଛାତ୍ର ବୃତ୍ତି ପ୍ରଦାନ କରିବାକୁ ନିବେଦନ ରଖିଥିଲେ। ମୁଖ୍ୟମନ୍ତ୍ରୀ ତତ୍‍କ୍ଷଣାତ୍‍ ଘୋଷଣା କରି କହିଥିଲେ ଯେ ଏପ୍ରିଲ୍‍ ୧ରେ ଦ୍ୱିତୀୟ ପର୍ଯ୍ୟାୟର ଛାତ୍ରବୃତ୍ତି ପ୍ରଦାନ କରାଯିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଓ ଅନୁଗୋଳ ଜିଲାର ୨୦୮୨ କୋଟି ଟଙ୍କାର ୧୩୯ ପ୍ରକଳ୍ପ ଉଦ୍‍ଘାଟିତ କରିଥିଲେ। ହିନ୍ଦୋଳ ବ୍ଲକ ଖଜୁରିଆକଟା ସ୍ଥିତ ୧୩୨/୩୩ କେଭି ଗ୍ରିଡ ସହ ହିନ୍ଦୋଳ ଓ ଓଡ଼ାପଡ଼ା ଅଂଚଳବାସୀଙ୍କ ସକାଶେ ବସୁଧା ଯୋଜନାରେ ପାନୀୟଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମୁଖ୍ୟମନ୍ତ୍ରୀ ୨୦ ଜଣ ସଫଳ ଚାଷୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ।
ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କୌଣସି ନେତୃବୃନ୍ଦଙ୍କୁ ମଞ୍ଚରେ ଦେଖିବାକୁ ମିଳିନଥିଲା। ଏହି ସମାବେଶରେ ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ କୁମାର ଜେନା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡଃ ନୃସିଂହ ଚରଣ ସାହୁ, ଢେଙ୍କାନାଳ ସାଂସଦ ତଥାଗତ ସତପଥୀ, ଢେଙ୍କାନାଳ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସରୋଜ କୁମାର ସାମଲ, ହିନ୍ଦୋଳ ବିଧାୟିକା ସୀମାରାଣି ନାୟକ, ପାଲଲହଡ଼ା ବିଧାୟକ, ଅନୁଗୋଳ ଜିଲା ଯୋଜନା କମିଟି ଅଧ୍ୟକ୍ଷ ମହେଶ ସାହୁ, ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ସଞ୍ଜିବ କୁମାର ସାହୁ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ସୁଧୀର ସାମଲ, ରାଜ୍ୟ ସେବା ସମବାୟ ସମିତି ସଭାପତି ଅକ୍ଷୟ କୁମାର ମହାନ୍ତି, ହିନ୍ଦୋଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ଓଡାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ସସ୍ମିତା ମହାନ୍ତି, ହିନ୍ଦୋଳ ବ୍ଲକ ବିଜେଡି ସଭାପତି ବରୁଣ କୁମାର ସର, ହିନ୍ଦୋଳ କୃଷିସୂଚନା ଓ ପରାମର୍ଶକେନ୍ଦ୍ର ସଭାପତି ପ୍ରଦୀପ କୁମାର ସାହୁ ପ୍ରମୁଖ ବହୁ ବିଜେଡି ନେତୃବୃନ୍ଦ ମଞ୍ଚ ସମ୍ମୁଖରେ ସାଧାରଣଙ୍କ ଜନତାଙ୍କ ମଧ୍ୟରେ ତାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସ୍ଥାନରେ ବସିଥିବାର ଦେଖିବାକୁ ମିଳିଥିଲା।
ରାଜ୍ୟ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ତଥା ସିନେ ଅଭିନେତା କୁନା ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ। ଢେଙ୍କାନାଳ ଜିଲାପାଳ ନିଖିଲ ପୱନ କଲ୍ୟାଣ, ଅନୁଗୋଳ ଜିଲାପାଳ ମନୋଜ ମହାନ୍ତି, ଢେଙ୍କାନାଳ ଏସ୍‍ପି ଅନୁପମା ଜେମ୍ସ, ଅନୁଗୋଳ ଏସ୍‍ପି ମିତ୍ରଭାନୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଅପରାହ୍ଣ ୩ଟାରେ ସଭାସ୍ଥଳରେ ନିର୍ମିତ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ୍‍ରେ ଅବତରଣ କରିଥିଲେ। ସେଠାରୁ ସିଧାସଳଖ ଯାଇ ଢେଙ୍କାନାଳ ଓ ଅନୁଗୋଳ ଜିଲାର ୧୩୯ଟି ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରିଥିଲେ। ଏହି ସମାବେଶରେ ଲକ୍ଷାଧିକ ଲୋକଙ୍କ ସମାବେଶ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଅବିଭକ୍ତ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରୁ ଜନସାଧାରଣ ଓ ଚାଷୀମାନେ ଆସୁଥିବାବେଳେ ଓଡ଼ାପଡ଼ା ଓ ତେଲିଭୂଇଁରେ ବିବାଦମାନ ପରିସ୍ଥିତି ସୃଷ୍ଟି ହୋଇ ରାସ୍ତାରୋକ ହୋଇଥିଲା। ଫଳରେ ସଭାସ୍ଥଳକୁ ଆସିବାକୁ ଥିବା ଲୋକମାନେ ସେଠାରେ ଅଟକି ରହିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories