ସମାଜ ଡିଜିଟାଲ ଡେସ୍କ: ନ୍ୟୁୟର୍କ ସହର ଅନ୍ତର୍ଗତ ମିଡଟାଉନ ମାନହଟନରେ ଆତତାୟୀର ଆଖିବୁଜା ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୁଲିସ ଅଧିକାରୀ ରହିଛନ୍ତି। ବ୍ଲାକଷ୍ଟୋନ ଇନଭେଷ୍ଟମେଣ୍ଟ କମ୍ପାନୀର କାର୍ଯ୍ୟାଳୟ କୋଠାରେ ଏହି ଗୁଳିକାଣ୍ଡ ଘଟିଛି। ଏହି ଘଟଣାରୁ ୬ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଆତତାୟୀ ଜଣକ ଏକ ବନ୍ଧୁକ ଧରି କାର୍ଯ୍ୟାଳୟ ଭିତରକୁ ପଶି ଆଖିବୁଜା ଗୁଳି ଚଳାଇଥିଲେ। ଫଳରେ ଲୋକମାନେ ଭୟଭୀତ ଅବସ୍ଥାରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ଗୁଳିମାଡ଼ରେ ଘଟଣାସ୍ଥଳରେ ହିଁ ୪ ଜଣ ପ୍ରାଣ ହରାଇଥିଲେ। ଖପରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆତତାୟୀକୁ କାବୁ କରିବାକୁ ଉଦ୍ୟମ କରିଥିଲା। ହେଲେ ଆତତାୟୀ ଗୁଳିରେ ଜଣେ ପୁଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା। ଶେଷରେ ଆତତାୟୀ ବି ପୁଲିସ ଗୁଳିରେ ନିହତ ହୋଇଥିଲା। ତା’ଠାରୁ ପୁଲିସ ବନ୍ଧୁକ ଏବଂ ଗୁଳି ଜବତ କରିଛି।



