ଭୁବନେଶ୍ଵର: ଓଡ଼ିଶାର ଉତ୍ତରାଞ୍ଚଳରେ ଆସିଥିବା ବନ୍ୟା ଯୋଗୁଁ ଛ’ଟି ଜିଲା ଆଂଶିକ କ୍ଷତିଗ୍ରସ୍ତ ହେବା ସହିତ ୧୧ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଆଦିର ଉପ ଓ ଶାଖାନଦୀମାନଙ୍କରେ ଆସିଥିବା ଏହି ବନ୍ୟା ଯୋଗୁଁ ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର ଜିଲାର କେତେକ ତଳିଆ ଅଞ୍ଚଳରେ ପାଣି ପଶିଥିବା ସରକାରୀ ଭାବେ କୁହାଯାଇଛି। କେନ୍ଦ୍ରାପଡ଼ା ଜିଲାର ବ୍ରାହ୍ମଣୀ ଓ ଖରସ୍ରୋତା ଅବବାହିକାର ୪ଟି ବ୍ଲକ ଆଳି, ପଟ୍ଟାମୁଣ୍ଡାଇ, ରାଜକନିକା ଓ ରାଜନଗର ବ୍ଲକର କିଛି ଅଞ୍ଚଳ ମଧ୍ୟ ବନ୍ୟା ଦ୍ବାରା ପ୍ରବାହିତ ହୋଇଛି। ତେଣୁ ପ୍ରଭାବିତ ଲୋକଙ୍କ ସଂଖ୍ୟା ଆଉ ଦେଢ଼ଲକ୍ଷ ହୋଇପାରେ। ଉପର ମୁଣ୍ଡରେ ଲଗାଣ ଲଘୁଚାପ ବର୍ଷା ଯୋଗୁଁ ଆସିଥିବା ଏହି ବନ୍ୟା ଛୋଟ ଧରଣର ଏବଂ ଏହା ଦ୍ବାରା ସମ୍ପୃକ୍ତ ଜିଲାର ତଳିଆ (ଧୋଇଆ) ଇଲାକା ପ୍ରଭାବିତ ହୋଇଛି। ଏହା ଘରଭଙ୍ଗା ବନ୍ୟା ନୁହେଁ, ତେଣୁ କ୍ଷୟକ୍ଷତି ସୀମିତ ହୋଇଛି। ତେବେ ସୁବର୍ଣ୍ଣରେଖାରେ ଚଳିତବର୍ଷ କ୍ରମାଗତ ଭାବେ ପଞ୍ଚମଥର ବଢ଼ି ଆସିଥିବାରୁ ଭୋଗରାଇ, ବାଲିଆପାଳ, ବସ୍ତା ଆଦି ଧୋୟାଞ୍ଚଳର ଖରିଫ ଫସଲ ବିଶେଷ କ୍ଷତିଗ୍ରସ୍ତ ହୋଇଛି।
ଓଡ଼ିଶାରେ ଜୁଲାଇ ବନ୍ୟା ବିଶେଷ କ୍ଷତି ଘଟାଇନଥାଏ। ଅଗଷ୍ଟ ବର୍ଷା ଓ ବନ୍ୟା ଅଧିକ କ୍ଷତି ଘଟାଇଥାଏ; କାରଣ ଏହି ମାସରେ ବ୍ରାହ୍ମଣୀ, ମହାନଦୀ, ବୈତରଣୀ ସମେତ ଉଭୟ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ପ୍ରମୁଖ ନଦୀ ବ୍ୟବସ୍ଥାରେ ବଡ଼ ବଢ଼ି ଆସେ। ସେ ସମୟ ନିକଟତର। ଆହୁରି ମଧ୍ୟ ସବୁଠୁ ଅଧିକ କ୍ଷତି ଘଟାଉଥିବା ମହାନଦୀରେ ଏ ଯାଏ ବଡ଼ ବଢ଼ି ଆସିନାହିଁ। ନଦୀ ବହୁଳ ଓଡ଼ିଶାରେ ବନ୍ୟା ଏକ ସ୍ବାଭାବିକ ଘଟଣା ଏବଂ ଏଥିପାଇଁ ସବୁ ପ୍ରମୁଖ ନଦୀ ଉପତ୍ୟକାରେ ସୁରକ୍ଷିତ ନଦୀବନ୍ଧ ସହିତ ବନ୍ୟାଜଳ ନିଷ୍କାସନ ପଥର ବ୍ୟବସ୍ଥା କରାଯାଇଛି। ପ୍ରାକୃତିକ ଉପାୟରେ ବଢ଼ିପାଣିକୁ ନଦୀର ଦୁଇ ତଟବର୍ତ୍ତୀ ଇଲାକା ଦେଇ ସମୁଦ୍ରକୁ ଛାଡ଼ିବାକୁ ଯେଉଁ ନିଷ୍କାସନ ଇଲାକା ରହିଛି ତାହା ବନ୍ୟାଞ୍ଚଳ ବା ଧୋଇଆ। ଏହି ଧୋୟାଞ୍ଚଳବାସୀଙ୍କର ଅନ୍ୟ ବିକଳ୍ପ ନଥିବାରୁ ସେମାନେ ଉଚ୍ଚ ଡିହ ବାନ୍ଧି ତା’ଉପରେ ଘର କରି ରହନ୍ତି। ବର୍ଷା ଚାରିମାସ ବଢ଼ିପାଣି ଯୋଗୁଁ ସେମାନେ ବାହ୍ୟଜଗତରୁ ବଞ୍ଚିତ ହେବା ସହିତ ନାନାପ୍ରକାର ଅଭାବ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହି ସମୟରେ ଡଙ୍ଗା ସେମାନଙ୍କର ପ୍ରଧାନ ସହାୟକ ହୋଇଥାଏ। ଏହାଛଡ଼ା ପାଣି ଅଧିକ ଦିନ ରହିଲେ ଲୋକେ ପାନୀୟ ଜଳ, ଖାଦ୍ୟ ଓ ଅତ୍ୟାବଶ୍ୟକ ଦ୍ରବ୍ୟର ଅଭାବ ଅନୁଭବ କରନ୍ତି। ଫସଲ ନଷ୍ଟ ସହିତ ଚାଷବାସ ଉଜୁଡ଼ିଯାଏ।
ବଢ଼ି ଅଞ୍ଚଳରେ ମଣିଷର ଜୀବନ କିପରି କଷ୍ଟକର ତାହା କେବଳ ଅନୁଭବୀକୁ ଜଣା। ରାଜ୍ୟର ଧୋୟାଞ୍ଚଳର ସମୁଚିତ ବିକାଶ ପାଇଁ ଓଡ଼ିଶାରେ ସ୍ବତନ୍ତ୍ର ଯୋଜନା ନାହିଁ। ତେଣୁ ଶତାଧିକ ବର୍ଷ ଧରି ଏହି ଅଞ୍ଚଳର ଲୋକମାନେ ପିଢ଼ି ପରେ ପିଢ଼ି ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ସରକାରୀ ଦୟାରୁ ବନ୍ୟାବେଳେ କେତେେବଳେ ମୁଠାଏ ରିଲିଫ ତ କେବେ କିଛି ଆର୍ଥିକ ସହାୟତା ମିଳେ। ବର୍ଷା ଚାରିମାସ ଧୋୟାଞ୍ଚଳରେ ସ୍ବାସ୍ଥ୍ୟ ପରିଚ୍ଛନ୍ନତା, ଯୋଗାଯୋଗ, ପାନୀୟଜଳ, ବିଜୁଳି ଭଳି ମୌଳିକ ସମସ୍ୟା ଗୁରୁତର ଭାବେ ପ୍ରଭାବିତ ହୋଇଥାଏ। ଉପର ମୁଣ୍ଡରେ ଜଳଭଣ୍ଡାର ନିର୍ମାଣ ସତ୍ତ୍ବେ ଧୋୟାଞ୍ଚଳବାସୀଙ୍କ ବନ୍ୟା ଦୁଃଖ ଯାଇନାହିଁ କିମ୍ବା ସେମାନଙ୍କ ମୌଳିକ ସମସ୍ୟାର ସମାଧାନ ହୋଇପାରିନାହିଁ। ରିଲିଫ ଏକ ସାମୟିକ ପଦକ୍ଷେପ, ସ୍ଥାୟୀ ପ୍ରତିକାର ନୁହେଁ। ଏଥିପାଇଁ ମାଷ୍ଟର ପ୍ଲାନ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ଜରୁରୀ ମନେହୁଏ।
ବଢ଼ି ଓ ଜୀବନ
Popular Categories



