www.samajalive.in
Friday, December 5, 2025
27.1 C
Bhubaneswar

ନ୍ୟାୟିକ ବ୍ୟବସ୍ଥା ଓ ଜନସାଧାରଣ

ଭୁବ​‌ନେଶ୍ଵର: କିଛି ଦିନ ତଳେ ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ଭୂଷଣ ରାମକୃଷ୍ଣ ଗବଇ ହାଇଦରାବାଦସ୍ଥିତ ନଲସାର ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ଅବସରରେ ସ୍ପଷ୍ଟ ଭାଷାରେ କହିଛନ୍ତି ଯେ ଭାରତର ନ୍ୟାୟିକ ବ୍ୟବସ୍ଥାରେ ବିଭିନ୍ନ ପ୍ରକାରର ଆହ୍ୱାନ ରହିଛି, ଯାହାର ସୁଧାର ଜରୁରୀ ହୋଇ ପଡ଼ିଛି। ନ୍ୟାୟିକ ପ୍ରକ୍ରିୟା ବିଳମ୍ବ ହେଉଛି; ପୀଡ଼ିତଙ୍କୁ ଠିକ୍ ସମୟରେ ନ୍ୟାୟ ପ୍ରଦାନ କରାଯାଇ ପାରୁ ନାହିଁ। ସେ ତ୍ୱରିତ ନ୍ୟାୟ ଉପରେ ଗୁରୁତ୍ବାରୋପ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇ ନ ଥିବା ଅପରାଧୀ ଜେଲରେ ରହୁଛି। ମୋଟାମୋଟି ଭାବରେ ନ୍ୟାୟିକ ବ୍ୟବସ୍ଥା ଉପରୁ ଲୋକଙ୍କ ଆସ୍ଥା ବିଶ୍ୱାସ ତୁଟିଯାଉଛି। ନିଜ ଅନୁଭବରୁ ସତ୍ୟ ପ୍ରକାଶ କରିଛନ୍ତି ଜଷ୍ଟିସ ଗବଇ।
ଜଷ୍ଟିସ ଗବଇ ଛାତ୍ରଛାତ୍ରୀଙ୍କୁ ଅଧିକ ଜ୍ଞାନ ଆହରଣ ନିମନ୍ତେ ବିଦେଶ ଯିବା ନିମନ୍ତେ ପରାମର୍ଶ ବି ଦେଇଛନ୍ତି; କିନ୍ତୁ ୟା ସହିତ ଆମ ଜନ୍ମଭୂମି ଭାରତର ଗାଁ, ସହର, ସାମାଜିକ ବ୍ୟବସ୍ଥା, ପରଂପରାକୁ ବଜାୟ ରଖିବାକୁ ହେବ। ଇଂରେଜମାନେ ଯାହା ଯେତେ କ୍ଷତି ବା ନଷ୍ଟ କଲେ, କରି ଚାଲିଗଲେ। ଆଜିକୁ ଅଠସ୍ତରୀ ବର୍ଷ ହୋଇଗଲାଣି; କିନ୍ତୁ ଆମେ ଏ ଯାଏ ଆମ ଭାଷାକୁ ବ୍ୟବହାର କରି ପାରିଲେ ନାହିଁ। ଭାରତୀୟ ସମ୍ବିଧାନ ଆମ ଜନସାଧାରଣ ପାଇଁ ଗୀତା, ଭାଗବତ, କୋରାନ, ବାଇବେଲଠୁ ଉପରେ। ଏହି ସମ୍ୱିଧାନରେ କୁହାଯାଇଛି ଯେ ସମ୍ୱିଧାନ ଲାଗୁ ହେବାର ପନ୍ଦର ବର୍ଷ ଯାଏ ଇଂରେଜୀ ଭାଷା ବ୍ୟବହାର କରାଯିବ। ଦେବନାଗରୀ ଲିପିର ହିନ୍ଦୀ ଭାଷା ହେଉଛି କେନ୍ଦ୍ର ସରକାରଙ୍କ ଭାଷା। ଭାରତର ରାଷ୍ଟ୍ରପତିଙ୍କ ପରାମର୍ଶରେ ଉଚ୍ଚତମ ନ୍ୟାୟାଳୟର ଭାଷା ହିନ୍ଦୀ ଓ ଅନ୍ୟ ଭାରତୀୟ ଭାଷାରେ କାର୍ଯ୍ୟ କରାଯାଇ ପାରିବ। ରାଜ୍ୟଗୁଡ଼ିକର ବ୍ୟବହାର ନିମନ୍ତେ ରାଜ୍ୟ ବିଧାନସଭା ଭାଷା ଆଇନ କରିପାରିବେ। ରାଜ୍ୟପାଳଙ୍କ ପରାମର୍ଶରେ ରାଜ୍ୟ ଭାଷାରେ ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟ କରିପାରିବେ; କିନ୍ତୁ ତାହା ମଧ୍ୟ ଏ ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ। ଫଳରେ ଭାରତୀୟ ଲୋକଙ୍କର ଆସ୍ଥା ଓ ବିଶ୍ବାସ ଲାଭରୁ ବଂଚିତ ରହିଛି। ଏହା ଅତ୍ୟନ୍ତ ଦୁଃଖଦାୟକ।
ଭାଷା ହେଉଛି ଆତ୍ମାର ସ୍ୱର। ଆମ ସମ୍ୱିଧାନ ଇଂରେଜୀକୁ ମିଶାଇ କୌଣସି ବିଦେଶୀ ଭାଷାକୁ ଅଷ୍ଟମ ସିଡୁଲରେ ସ୍ଥାନିତ କରି ନାହିଁ; ସୁତରାଂ, ନ୍ୟାୟିକ ପ୍ରକ୍ରିୟାରେ ବିଦେଶୀଭାଷା ବ୍ୟବହାର ଯୋଗୁଁଁ ଆତ୍ମିକ ଭାବ ଜାଗ୍ରତ ହୋଇ ପାରୁ ନାହିଁ। ସାଧାରଣ ଲୋକଙ୍କଠାରୁ ବିଚାରପତିଗଣ ଅଲଗା ଭାବୁଛନ୍ତି ନିଜ ନିଜକୁ। ସବୁ ରାଜ୍ୟରେ ଭାରତୀୟ ଭାଷାରେ ଆଇନ ପାଠ ପଢା ହେଉ ନାହିଁ। ଏହା ହିଁ ପ୍ରମୁଖ ଦୁର୍ବଳତା ବିଚାର ପ୍ରକ୍ରିୟାରେ। ଅଧସ୍ତନ ଅଦାଲତଗୁଡ଼ିକରେ ଅଦାଲତ ଅବମାନନା ଆଳରେ ଲୋକଙ୍କୁ ଡରାଇ ଧମକାଇ ରଖୁଥିବାର ଦେଖାଯାଉଛି। କାହାର କ’ଣ ଯାଉଛି କହି ଲୋକେ ଭୟରେ ସତ୍ୟ ପ୍ରକାଶ କରୁ ନାହାନ୍ତି। ‘ସତ୍ୟମେବ ଜୟତେ’ ଫୁସକି ଯାଉଛି। ମିଛ ଆରୋପ ପ୍ରତ୍ୟାରୋପ ଭିତରେ ମିଛ ଫଳାଫଳ ଆସିବା ସ୍ୱାଭାବିକ। ତ୍ୱରିତ ନ୍ୟାୟ ପ୍ରଦାନ ଆଳରେ ସତ୍ୟ କେଉଁଠି ହଜି ଯାଉଛି। ଅଦାଲତ ପାଖରେ ସମୟ ନାହିଁ ଧୈର୍ଯ୍ୟ ସହିତ ସତ୍ୟ ମହିମା ଗାନ କରିବାକୁ। ମିଛ ବାଦପତ୍ର, ମିଛ ଲିଖିତ ଜବାବ, ମିଛ ଇଜହାର ଗୋଟେ ନାଟକର ଦୃଶ୍ୟ ପରିବେଷଣ ହେଲା ଭଳି ଲାଗୁଛି। ସମାଜର ପ୍ରକୃତ ସମସ୍ୟା ସମାଧାନ ହୋଇ ପାରୁ ନାହିଁ। ଗୋଟେ ଦୃଷ୍ଟିରୁ ବର୍ତ୍ତମାନ ବିଚାର ପ୍ରକ୍ରିୟା ବିଫଳତା ମୁହାଁ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଅନ୍ୟ ଏକ କାରଣ ହେଉଛି ଅର୍ଥଗତ। ଲୋକଙ୍କ ଟିକସ ଟଙ୍କାରେ ନ୍ୟାୟିକ ବ୍ୟବସ୍ଥାର ସମସ୍ତେ ଚଳୁଛନ୍ତି। ଗରିବ ଲୋକଟିଏ ନ୍ୟାୟ ପାଇବାରୁ ବଂଚିତ ହେଉଛି ସମସ୍ତ ଆଇନ ସହାୟତା ପ୍ରଦାନ କରାଯାଉଥିବା ସତ୍ତ୍ୱେ; କିନ୍ତୁ କାହିଁକି? ଆନ୍ତରିକତାର ଅଭାବ ନିଶ୍ଚୟ। ଲୋକଦେଖାଣିଆ ସଂସ୍କାର କାମ ଦେବ ନାହିଁ। ପ୍ରଧାନ ବିଚାରପତି ଠିକ୍ ଭାବରେ ନ୍ୟାୟିକ ବ୍ୟବସ୍ଥାର ଦୁର୍ବଳ ଦିଗ ପ୍ରତି ଆଙ୍ଗୁଳି ଉଠାଇଛନ୍ତି। ଘରେଘରେ ଗାଁଗାଁରେ ନ୍ୟାୟ ପ୍ରଦାନ ଆମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେବା ଦରକାର। ଆଜିର ଇଣ୍ଟରନେଟ୍ ଯୁଗରେ ଏହା ସହଜ ହୋଇ ପାରିବ। ଲୋକଙ୍କ ଭାଷାରେ ଲୋକେ ଘରେ ବସି ମାମଲାର ସବୁ ସଂପର୍କିତ କାର୍ଯ୍ୟ କରିପାରିବେ, ସୁବିଚାର ପାଇ ପାରିବେ। ସତ୍ୟ ଆଧାରିତ ଏବଂ ନିରପେକ୍ଷ ବିଚାର ମିଳିଲେ ହିଁ ଗଣତନ୍ତ୍ରର ମୂଳ ମଜଭୁତ ହେବ; ଜନଗଣର ଜୟଗାନ ହେବ; ମାତୃଭୂମି ଟେକ ବଜାୟ ରହିବ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories