www.samajalive.in
Friday, December 5, 2025
26.1 C
Bhubaneswar

ଓଡ଼ିଶା ଦରିଦ୍ର କାହିଁକି?

ଓଡ଼ିଶା ଦରିଦ୍ର କାହିଁକି- ଏହା ବାରମ୍ବାର ପଚରାଯାଉଥିବା ଏକ ପ୍ରଶ୍ନ। ଓଡ଼ିଶାର ଆର୍ଥିକ ଆହ୍ୱାନ ଅନେକ- ଢାଞ୍ଚାଗତ, ଐତିହାସିକ ଏବଂ ପରିବେଶଗତ। ଏହିସବୁ କାରଣର ମିଶ୍ରଣରୁ ଓଡ଼ିଶାରୁ ଦାରିଦ୍ର୍ୟ ଘୁଞ୍ଚୁନାହିଁ, ଯଦିଓ ବିଗତ ଦଶନ୍ଧିରେ ରାଜ୍ୟ ପ୍ରଗତି କରିଛି। ଓଡ଼ିଶା ଗରିବ ରହିବାର ମୁଖ୍ୟ କାରଣ ଗୁଡ଼ିକର ଏକ ତାଜା ବିଶ୍ଳେଷଣ ସମ୍ଭବ। ବ୍ରିଟିଶ ଶାସନ ସମୟରେ ଯେତେବେଳେ ଓଡ଼ିଶା ଏକ ବୃହତ୍‌ ପ୍ରଶାସନିକ ଅଞ୍ଚଳର ଅଂଶ ବିଶେଷ ଥିଲା, ଭିତ୍ତିଭୂମି ଏବଂ ଶିଳ୍ପ ବିକାଶ ଦୃଷ୍ଟିରୁ ଓଡ଼ିଶାକୁ ଉପେକ୍ଷା କରାଯାଇଥିଲା। ସ୍ୱାଧୀନତା ପରେ ଅନ୍ୟ ରାଜ୍ୟରେ ଶିଳ୍ପାୟନ ଉପରେ ଧ୍ୟାନ ଦେବା ବେଳେ ଓଡ଼ିଶା କୃଷି ଏବଂ ଖଣି ଉପରେ ନିର୍ଭରଶୀଳ ହୋଇ ରହିଥିଲା ଏବଂ ଉନ୍ନତିର ବିବିଧତା ଆଡ଼କୁ ଦୃଷ୍ଟି ଦିଅାଯାଇ ନଥିଲା। ଆଜି ବି ଜନସଂଖ୍ୟାର ୬୦ ପ୍ରତିଶତରୁ ଅଧିକ କୃଷି ଉପରେ ନିର୍ଭରଶୀଳ, ଯାହା ପୁଣି ବର୍ଷା-ଆଧାରିତ ଏବଂ ଜୀବିକା-ଆଧାରିତ। କମ୍ ଜଳସେଚନ (ଚାଷଯୋଗ୍ୟ ଜମିର ପ୍ରାୟ ୩୫ ପ୍ରତିଶତ), ଛୋଟ ଜମି ଏବଂ ପୁରୁଣା ଚାଷ ଅଭ୍ୟାସ ଯୋଗୁଁଁ ଓଡ଼ିଶାରେ କୃଷି ଉତ୍ପାଦନଶୀଳତା ଉଲ୍ଲେଖନୀୟ ଭାବରେ କମ୍। ମୌସୁମିର ବିଫଳତା ଏବଂ ବଜାର ଅସ୍ଥିରତା ଅର୍ଥନୀତିକୁ ବିପଦ ଭିତରକୁ ଠେଲି ଆସିଛି।

ଭୌଗୋଳିକ ସ୍ଥିତି କାରଣରୁ ଓଡ଼ିଶା ବାତ୍ୟା, ବନ୍ୟା ଏବଂ ମରୁଡ଼ି ପ୍ରବଣ – ବିଶେଷ କରି ଉପକୂଳବର୍ତ୍ତୀ ଅଞ୍ଚଳ। ୧୯୯୯ ମହାବାତ୍ୟା ଏବଂ ବାରମ୍ବାର ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଜୀବିକା ନିର୍ବାହରେ ବ୍ୟାଘାତ ସୃଷ୍ଟି କରିଆସିଛି, ଭିତ୍ତିଭୂମିକୁ ନଷ୍ଟ କରିଆସିଛି ଏବଂ ରାଜ୍ୟର ସମ୍ବଳକୁ ନଷ୍ଟଭ୍ରଷ୍ଟ କରି ଦାରିଦ୍ର୍ୟର କୁଚକ୍ରକୁ ସ୍ଥାୟୀ କରିରଖିଛି। ପ୍ରଚୁର ଖଣିଜ ସମ୍ପଦ ଥିବା ସତ୍ତ୍ୱେ (ଭାରତର ୩୫ ପ୍ରତିଶତ ଲୁହାପଥର, ୫୦ ପ୍ରତିଶତ ବକ୍ସାଇଟ୍), ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଅସମାନ ରହିଆସିଛି। ରାଜ୍ୟର ମୋଟ ଘରୋଇ ଉତ୍ପାଦନ ବା ଜିଡିପିରେ ଖଣିଖାଦାନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି ସତ; କିନ୍ତୁ ଏହା ଅଳ୍ପ କିଛି ସ୍ଥାନୀୟ ଲୋକଙ୍କୁ ହିଁ ନିଯୁକ୍ତି ଦେଇଥାଏ ଏବଂ ଲାଭ ପ୍ରାୟତଃ ରାଜ୍ୟ ବାହାରକୁ ଚାଲି ଯାଇଥାଏ। ଅପର୍ଯ୍ୟାପ୍ତ ସଡ଼କ ଏବଂ ବନ୍ଦର ଭଳି ଖରାପ ଭିତ୍ତିଭୂମି ବ୍ୟାପକ ଶିଳ୍ପ ବିକାଶରେ ବାଧା ସୃଷ୍ଟି କରିଥାଏ। ଓଡ଼ିଶାର ଜନସଂଖ୍ୟାର ପ୍ରାୟ ୨୨ ପ୍ରତିଶତ ହେଉଛନ୍ତି ଆଦିବାସୀ, ଯେଉଁମାନେ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଚାକିରିର ସୀମିତ ସୁବିଧା ଥିବା ଦୁର୍ଗମ ଅଞ୍ଚଳରେ ରହୁଛନ୍ତି। ଏହି ସମ୍ପ୍ରଦାୟଗୁଡ଼ିକ ବ୍ୟବସ୍ଥିତ ଅବହେଳାର ସମ୍ମୁଖୀନ ହୋଇ ଆସିଛନ୍ତି। ଓଡ଼ିଶାର ଉଚ୍ଚ ଦାରିଦ୍ର୍ୟ ହାର ପଛରେ ଏହି ଜନଜାତିଙ୍କ ବିକାଶ ନ ହୋଇପାରିବା ଗୋଟିଏ ବଡ କାରଣ (ଆଦିବାସୀ ଜିଲାଗୁଡ଼ିକରେ ଦାରିଦ୍ର୍ୟ ହାର ପ୍ରାୟ ୬୦ ପ୍ରତିଶତ)। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଓଡ଼ିଶା ପଛରେ ରହିଛି। ଓଡ଼ିଶାରେ ସାକ୍ଷରତା ହାର ୭୩ ପ୍ରତିଶତ ଯେତେବେଳେ କି ଜାତୀୟ ହାର ୭୪ ପ୍ରତିଶତ। ଅଳ୍ପ ଦିନ ଭିତରେ ପିଲାଙ୍କର ବିଦ୍ୟାଳୟ ଛାଡ଼ିବା ହାର ଚିନ୍ତାଜନକ, ବିଶେଷ କରି ଗ୍ରାମାଞ୍ଚଳରେ। ଅପପୁଷ୍ଟି ଏବଂ ଅପର୍ଯ୍ୟାପ୍ତ ସ୍ୱାସ୍ଥ୍ୟସେବା ତଥା ଦୁର୍ବଳ ଭିତ୍ତିଭୂମି କାର୍ଯ୍ୟବଳ ବା ଶକ୍ତିରେ ବ୍ୟାଘାତ ସୃଷ୍ଟି କରିବା ସହ ଉତ୍ପାଦକତା ଏବଂ ଆର୍ଥିକ ଅଭିବୃଦ୍ଧିକୁ ସୀମିତ କରିଆସିଛି।

- Advertisement -

ସ୍ଥାନୀୟ ନିଯୁକ୍ତି ସୁଯୋଗର ଅଭାବ କାରଣରୁ ଲକ୍ଷ ଲକ୍ଷ ଲୋକ ଅନ୍ୟ ରାଜ୍ୟକୁ ଋତୁକାଳୀନ ସ୍ଥାନାନ୍ତରଣ ହେବାକୁ ବାଧ୍ୟ ହେଉଛନ୍ତି। ଦାଦନ ଶ୍ରମିକ ଓଡ଼ିଶା ପାଇଁ ଏକ ବୋଝ। କୁଶଳୀ ଏବଂ ଅଣକୁଶଳୀ ଶ୍ରମିକଙ୍କ ଏହି ସ୍ଥାନାନ୍ତରଣ ଓଡ଼ିଶାକୁ ମାନବ ସମ୍ବଳରୁ ବଞ୍ଚିତ କରିଆସିଛି। ସ୍ଥାନୀୟ ବିକାଶ ପାଇଁ ରେମିଟାନ୍ସ ବା ପଠାଯାଉଥିବା ଧନ ପର୍ଯ୍ୟାପ୍ତ ନୁହେଁ। ଐତିହାସିକ ଦୃଷ୍ଟିରୁ ଦେଖିଲେ, ଅଦକ୍ଷ ଶାସନ, ଦୁର୍ନୀତି ଏବଂ ମନ୍ଥର ନୀତି ଯୋଜନାର କାର୍ଯ୍ୟାନ୍ୱୟନ ଓ ବିକାଶରେ ବିଳମ୍ବର ମୁଖ୍ୟ ଶତ୍ରୁ ହୋଇ ଆସିଛି। ସାମ୍ପ୍ରତିକ ସମୟରେ ସରକାରମାନେ ବିପର୍ଯ୍ୟୟ ପରିଚାଳନାରେ ଉନ୍ନତି ଆଣିଥିବା ବେଳେ ଏବଂ ପୁଞ୍ଜିନିବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରିଥିବା ବେଳେ, ଏହାର ପ୍ରଭାବ ମୁଖ୍ୟତଃ ସହରାଞ୍ଚଳରେ ହିଁ ସୀମିତ ରହିଛି। ଅନ୍ୟ ଅର୍ଥରେ ଏହା ଗ୍ରାମାଞ୍ଚଳକୁ ପଛରେ ପକାଇ ଦେଇଛି।

ଓଡ଼ିଶାର ଦାରିଦ୍ର୍ୟ ହାର ୫୭ ପ୍ରତିଶତରୁ ପ୍ରାୟ ୨୯ ପ୍ରତିଶତକୁ (ସଦ୍ୟତମ ତଥ୍ୟ) ହ୍ରାସ ପାଇଛି। ଏହାର ବଡ କାରଣ : ଉନ୍ନତ ପ୍ରଶାସନ, ଭିତ୍ତିଭୂମି କ୍ଷେତ୍ରରେ ଅଧିକ ନିବେଶ (ବନ୍ଦର ଓ ବିଦ୍ୟୁତ୍‌ ଉତ୍ପାଦନ ) ଏବଂ କୃଷକଙ୍କ ପାଇଁ ପିଏମ୍‌- କିଷାନ (ପୂର୍ବର କାଳିଆ) ଭଳି ଯୋଜନା। ରାଜ୍ୟର ଖଣିଜ ସମ୍ପଦ, ବୃଦ୍ଧି ପାଉଥିବା ଆଇଟି କ୍ଷେତ୍ର ଏବଂ ପର୍ଯ୍ୟଟନ ଅଭିବୃଦ୍ଧିକୁ ଦେଖିଲେ ବିକାଶ ଓ ଉନ୍ନତିର ସମ୍ଭାବନା ଖୁବ ଅଧିକ; କିନ୍ତୁ ସମାବେଶୀ ଅଭିବୃଦ୍ଧି ବା ସମସ୍ତଙ୍କ ଉନ୍ନତି ଏବଂ ପ୍ରତିକୂଳ ଜଳବାୟୁର ଆହ୍ୱାନ ଏବେ ବି ରହିଛି। ଓଡ଼ିଶାର ଦାରିଦ୍ର୍ୟର ମୁକାବିଲା କରିବା ଏବଂ ଏହାର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ କଣ କରାଯିବା ଦରକାର? ପ୍ରମୁଖ ରଣନୀତିସବୁ କ’ଣ ହୋଇପାରେ?

ପ୍ରଥମ, ଢାଞ୍ଚାଗତ ସାମାଜିକ ଏବଂ ପରିବେଶଗତ ଆହ୍ୱାନ ଉପରେ ଆମକୁ ଧ୍ୟାନ ଦେବା ପାଇଁ ହେବ। ଏହିଭଳି ଏକ ବହୁମୁଖୀ ଆଭିମୁଖ୍ୟର ଆବଶ୍ୟକତା ରହିଛି। ସୁବର୍ଣ୍ଣରେଖା ଏବଂ ଗଙ୍ଗାଧର ମେହେର ଜଳସେଚନ ଯୋଜନା ଭଳି ପ୍ରକଳ୍ପ ମାଧ୍ୟମରେ ଜଳସେଚନ ପରିସରକୁ ସମ୍ପ୍ରସାରିତ କରିବାକୁ ହେବ। କ୍ଷୁଦ୍ର ଜଳସେଚନ ବ୍ୟବସ୍ଥା କ୍ଷୁଦ୍ର ଚାଷୀଙ୍କୁ ସାହାଯ୍ୟ କରିପାରିବ। ଅଧିକ ଅମଳକ୍ଷମ କୃଷି, ଜଳବାୟୁ-ଅନୁକୂଳ ଫସଲକୁ ପ୍ରୋତ୍ସାହିତ କରିବା ଦରକାର। ସବସିଡିଯୁକ୍ତ ମଞ୍ଜି, ସାର ଏବଂ ଆଧୁନିକ ଉପକରଣ ଯୋଗାଇବା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମଧ୍ୟସ୍ଥଙ୍କ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ କୃଷକ ସମବାୟ ସମିତି ଏବଂ ବଜାର ସଂଯୋଗକୁ ସୁଦୃଢ଼ କରିବା, ଇ-ନାମ କିମ୍ବା ସ୍ଥାନୀୟ ମଣ୍ଡି ମାଧ୍ୟମରେ ଉନ୍ନତ ମୂଲ୍ୟ ସୁନିଶ୍ଚିତ କରିବା ନିତାନ୍ତ ଦରକାର। ଅଧିକ ଲୋକଙ୍କୁ ଆର୍ଥିକ ସହାୟତା ଏବଂ ଫସଲ ବୀମା ପ୍ରଦାନ କରିବା ପାଇଁ କୃଷି ସହାୟତା ଯୋଜନାଗୁଡ଼ିକର ସମ୍ପ୍ରସାରଣ କରାଯିବ ଆବଶ୍ୟକ। ରାଜ୍ୟରେ ଇସ୍ପାତ ଏବଂ ଆଲୁମିନିୟମ ପ୍ରକ୍ରିୟାକରଣ ଭଳି ମୂଲ୍ୟଯୁକ୍ତ ଶିଳ୍ପକୁ ପ୍ରୋତ୍ସାହିତ କରି ସ୍ଥାନୀୟ ନିଯୁକ୍ତି ସୃଷ୍ଟି କରିବା ଜରୁରୀ। ଓଡ଼ିଶାର ଖଣିଜ ସମ୍ପଦ (ଲୁହାପଥର, ବକ୍ସାଇଟ, କୋଇଲା)ର ଲାଭ ଉଠାଇବା ଦରକାର।

ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ଉପଯୋଗ କରି ହସ୍ତଶିଳ୍ପ, ବୟନଶିଳ୍ପ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି କ୍ଷେତ୍ରରେ ଏମ୍ଏସ୍ଏମ୍ଇଗୁଡ଼ିକର ବିକାଶ କରିବା ଆବଶ୍ୟକ। ଭୁବନେଶ୍ୱର ଭଳି ସହରରେ ଆଇଟି ଏବଂ ସେବା କ୍ଷେତ୍ରକୁ ସମ୍ପ୍ରସାରିତ କରିବା, କୁଶଳୀ ନିଯୁକ୍ତି ସୃଷ୍ଟି କରିବା ଏବଂ ସହରାଞ୍ଚଳ-ଗ୍ରାମାଞ୍ଚଳର ଅସମାନତା ହ୍ରାସ କରିବା ସମାନ ଭାବେ ଗୁରୁତ୍ବପୂର୍ଣ୍ଣ।
ଦୁର୍ଗମ ଅଞ୍ଚଳକୁ ବଜାର ଏବଂ ସେବା ସହିତ ଯୋଡ଼ିବା ପାଇଁ ଗ୍ରାମୀଣ ସଡ଼କ ନେଟୱର୍କର ଉନ୍ନତିକରଣ ଏବଂ ବିଦ୍ୟୁତ୍‌କରଣ ଜରୁରୀ। ବାଣିଜ୍ୟ ଏବଂ ଶିଳ୍ପ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ବନ୍ଦର ଏବଂ ରେଳ ସଂଯୋଗ (ପାରାଦ୍ବୀପ, ଧାମରା ବନ୍ଦର)କୁ ବୃଦ୍ଧି କରିବା ଆବଶ୍ୟକ। କୋଇଲା ଉପରେ ନିର୍ଭରଶୀଳତାକୁ ହ୍ରାସ କରି ଏକ ସ୍ଥାୟୀ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଅକ୍ଷୟ ଶକ୍ତି (ସୌର, ପବନ) କ୍ଷେତ୍ରରେ ନିବେଶ କରିବା ଆବଶ୍ୟକ। ବାଳିକା ଏବଂ ଆଦିବାସୀ ସମ୍ପ୍ରଦାୟର ଶିକ୍ଷା ଉପରେ ଧ୍ୟାନ କେନ୍ଦ୍ରିତ କରି ଡ୍ରପ୍ ଆଉଟ୍ ହାରକୁ ହ୍ରାସ କରିବା ପାଇଁ ଗ୍ରାମୀଣ ବିଦ୍ୟାଳୟରେ ନିବେଶ ବୃଦ୍ଧି କରିବା ନିତାନ୍ତ ଆବଶ୍ୟକ।। ଭ୍ରାମ୍ୟମାଣ ବିଦ୍ୟାଳୟ କିମ୍ବା ଡିଜିଟାଲ ଶ୍ରେଣୀଗୃହଗୁଡ଼ିକ ଦୁର୍ଗମ ଅଞ୍ଚଳରେ ପହଞ୍ଚିପାରିବ। ଆଇଟିଆଇ ଏବଂ ଘରୋଇ କ୍ଷେତ୍ର ସହିତ ଭାଗୀଦାରି ମାଧ୍ୟମରେ ସ୍ଥାନୀୟ ଶିଳ୍ପ (ଖଣି, ଆଇଟି, ପର୍ଯ୍ୟଟନ) ସହିତ ଯୋଡ଼ି ହୋଇଥିବା ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମର ସମ୍ପ୍ରସାରଣ କରିବା ପାଇଁ ପଦକ୍ଷେପ ନିଆଯିବା ଦରକାର। ପ୍ରତିଭା ପଳାୟନକୁ ରୋକିବା ଏବଂ ମାନବ ସମ୍ବଳର ଅଭିବୃଦ୍ଧି ପାଇଁ ଉଚ୍ଚ ଶିକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରୋତ୍ସାହିତ କରିବା ଦରକାର – ବିଶେଷ କରି ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ଇଞ୍ଜିନିୟରିଂ ଓ ଗଣିତ (ସ୍ଟେମ)। ଡାକ୍ତରଙ୍କ ଅଭାବ ଦୂର କରିବା ପାଇଁ ଟେଲିମେଡିସିନ୍ ବ୍ୟବସ୍ଥା ବ୍ୟାପକ ହେବା ଦରକାର। ଆଦିବାସୀ ଏବଂ ଗ୍ରାମାଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟସେବା କେନ୍ଦ୍ରର ସମ୍ପ୍ରସାରଣ କରିବା ସବୁଠାରୁ ବଡ ଆବଶ୍ୟକତା। ମଧ୍ୟାହ୍ନ ଭୋଜନ ଏବଂ ଅଙ୍ଗନବାଡ଼ି କାର୍ଯ୍ୟକ୍ରମ ମାଧ୍ୟମରେ ଅପପୁଷ୍ଟି ଦୂର କରିବା ପାଇଁ ଉଦ୍ୟମ ହେବା ଆବଶ୍ୟକ। ଶିଶୁ ଷ୍ଟଣ୍ଟିଂ ବା ବୃଦ୍ଧିରୋଧ ହାରକୁ ହ୍ରାସ କରିବା ଆବଶ୍ୟକ। (କିଛି ଜିଲାରେ ଏହା ୩୪%)। ଶେଷ-ମାଇଲ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀ (ଆଶା) ମାନଙ୍କୁ ଉପଯୁକ୍ତ ତାଲିମ ଦିଆଯିବା ଦରକାର।

ଆଦିବାସୀ ଜୀବିକା ସୁରକ୍ଷିତ କରିବା ଏବଂ ଖଣି ପ୍ରକଳ୍ପରୁ ବିସ୍ଥାପନ ହ୍ରାସ କରିବା ପାଇଁ ଜଙ୍ଗଲ ଅଧିକାର ଅଧିନିୟମ (୨୦୦୬) ଅନୁଯାୟୀ ଜମି ଅଧିକାର କାର୍ଯ୍ୟକାରୀ କରିବା ଜରୁରୀ। ଲଘୁ ବନଜାତ ଦ୍ରବ୍ୟ ଯଥା ମହୁ, ଲାଖ ଏବଂ ଔଷଧୀୟ ଉଦ୍ଭିଦ ଭଳି ଜଙ୍ଗଲ ଭିତ୍ତିକ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ଦରକାର।ସ୍ୱଚ୍ଛ ବାଣିଜ୍ୟ ବଜାର ସୁନିଶ୍ଚିତ କରିବା ବି ଆବଶ୍ୟକ। ଆଦିବାସୀ ଅଞ୍ଚଳରେ ଇକୋ-ଟୁରିଜିମ୍ ବିକଶିତ କରିବା, ନିଯୁକ୍ତି ସୃଷ୍ଟି କରିବା ସହିତ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ କରିବା ଦରକାର। ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା, ବାତ୍ୟା ଆଶ୍ରୟସ୍ଥଳ ଏବଂ ବନ୍ୟା-ପ୍ରତିରୋଧକ ଭିତ୍ତିଭୂମି ସହିତ ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ଼ କରିବା, ଓଡ଼ିଶାର ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ବିପର୍ଯ୍ୟୟ ପରିଚାଳନା ମଡେଲକୁ ବଜାୟ ରଖିବା। ବିଭିନ୍ନ ଯୋଜନାର ପ୍ରଗତି ଉପରେ ନଜର ରଖିବା ପାଇଁ ତଥ୍ୟ-ଚାଳିତ ଉପକରଣ ବ୍ୟବହାର କରାଯିବା ଦରକାର। ଆମକୁ ସୁନିଶ୍ଚିତ କରିବା ପାଇଁ ହେବ ଯେ ସରକାରୀ ସାହାଯ୍ୟ ଉଦ୍ଦିଷ୍ଟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ। ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଓଡ଼ିଶାର ପ୍ରଗତି (୫୭ ପ୍ରତିଶତରୁ ୨୯ ପ୍ରତିଶତ) ଏକ ବିରାଟ ସମ୍ଭାବନାକୁ ଇଙ୍ଗିତ କରୁଛି। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ସହ ଏକ ଉଦାର ଓ ସ୍ଥାୟୀ ନୀତି ଦ୍ୱାରା ଓଡ଼ିଶାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରାଯାଇପାରିବ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories