ଭୁବନେଶ୍ବର : ଆହୁରି ଶାଣିତ ହେବ ମାଓ ବିରୋଧୀ ଅଭିଯାନ। ଓଡ଼ିଶାର ମାଓ ମୁକାବିଲାକୁ କ୍ରିୟାଶୀଳ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ନକ୍ସଲ ବିରୋଧୀ ଅଭିଯାନ ଏଡିଜି ଭାବେ ସଞ୍ଜୀବ ପଣ୍ଡା ମଙ୍ଗଳବାର ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଦୁଇଟି ବିଭାଗର ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରି ମାଓ ବିରୋଧୀ ଅପରେସନ୍ର ରୂପରେଖ ପ୍ରସ୍ତୁତ କରିଛନ୍ତି। ଗୁଇନ୍ଦାକୁ ସକ୍ରିୟ କରାଯିବା ସହ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ବିଭିନ୍ନ ତଦନ୍ତକାରୀ ସଂସ୍ଥା ମଧ୍ୟରେ ସମନ୍ବୟ ରକ୍ଷା କରି ମାଓ ବିରୋଧୀ ଅପରେସନକୁ ଗତିଶୀଳ କରାଯିବ। ଓଡ଼ିଶା ପୁଲିସର ଦୁଇଟି ବିଭାଗ ଏସ୍ଓଜି ଓ ଏସଆଇଡବ୍ଲ୍ୟୁ ଭାରତବର୍ଷରେ ଖ୍ୟାତି ଅର୍ଜନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲମୁକ୍ତ ଭାରତବର୍ଷ ଗଠନ କରିବାକୁ ସବୁ ରାଜ୍ୟକୁ ନିର୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ଓଡ଼ିଶାରୁ ମାଓବାଦୀଙ୍କୁ ମୂଳୋତ୍ପାଟନ ଲାଗି ରୂପରେଖ ପ୍ରସ୍ତୁତ ହୋଇଛି। ଏସଆଇଡବ୍ଲ୍ୟୁ, ଏସ୍ଓଜି, ଡିଭିଏଫ୍, ସିଆର୍ପିଏଫ୍, ବିଏସ୍ଏଫ୍ ଭଳି କେନ୍ଦ୍ରୀୟ ସୁରକ୍ଷା ବାହିନୀ, କେନ୍ଦ୍ର ଗୁଇନ୍ଦା ବ୍ୟୁରୋ (ଆଇବି)ର ସହଯୋଗ ଓ ସହାୟତାରେ ନକ୍ସଲ ବିରୋଧୀ ଅପରେସନକୁ ଜୋରଦାର କରାଯିବ ବୋଲି ଏଡିଜି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।
ଅନୁରୂପ ଭାବେ ମାଓପ୍ରବଣ ଥିବା ଓଡ଼ିଶାର ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସୀମାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏହି ୩ ରାଜ୍ୟ ପୁଲିସ ଓ ଓଡ଼ିଶା ପୁଲିସର ସୁରକ୍ଷାବାହିନୀ ମିଳିତଭାବେ ଅପରେସନ୍ ଜାରି ରଖିଛନ୍ତି। ଓଡ଼ିଶାର କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡି ଜିଲାରେ ମାଓ ଗତିବିଧି ଅଧିକ ରହୁଥିବାରୁ ଏଠାରେ ଅପରେସନକୁ ଜୋରଦାର କରିବାକୁ ଗୁରୁତ୍ବ ଦିଆଯାଉଛି। ବିଶେଷକରି ସୀମାନ୍ତବର୍ତ୍ତୀ ସୁନ୍ଦରଗଡ଼, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ବୌଦ୍ଧ ଓ ବରଗଡ଼ ଭଳି ଜିଲାରେ ଅନ୍ୟ ରାଜ୍ୟ ପୁଲିସ ସହ ମିଳିତ ଅପରେସନ୍ ଜାରି ରହିଛି ବୋଲି ସେ କହିଛନ୍ତି। ସୁନ୍ଦରଗଡ଼ ଓ ବରଗଡ଼ ଜିଲାରେ ପୁଣି ମାଓ ଗତିବିଧି ବଢ଼ିବାରୁ ସେଠାରେ ଭିତ୍ତିଭୂମି, ନୂଆ ପୁଲିସ କ୍ୟାମ୍ପ, ଗୁଇନ୍ଦା ଓ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି। ଏଥିସହ ମାଓବାଦୀଙ୍କ ବିଷୟରେ ସୂଚନା ପ୍ରଦାନ ଲାଗି ଏକ ଟୋଲ ଫ୍ରି ନମ୍ବର ଜାରି କରାଯିବ। ଉକ୍ତ ନମ୍ବରରେ ଖବର ଦେଉଥିବା ଖବରଦାତାଙ୍କ ପରିଚୟ ଗୋପନ ରଖାଯିବା ସହ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଏଡିଜି ଶ୍ରୀ ପଣ୍ଡା କହିଛନ୍ତି। ମାଓ ବିରୋଧୀ ଅଭିଯାନ ସୁଦୃଢ଼ କରିବା ଲାଗି ଓଏସ୍ଏସ୍ଏଫ୍ ୩ଟି ବାଟାଲିୟନକୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଆତ୍ମ ସମର୍ପଣ କରୁଥିବା ମାଓବାଦୀଙ୍କୁ ପ୍ରୋତ୍ସାହନ ରାଶି ସହ ଥଇଥାନର ବ୍ୟବସ୍ଥା ହୋଇଛି। ମାଓବାଦୀ ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଏବଂ ବୀମା ରାଶିରେ ନିଜକୁ ଅନ୍ତର୍ଭୁକ୍ତ କରିବାକୁ ଏଡିଜି ଶ୍ରୀ ପଣ୍ଡା ଆହ୍ବାନ ଦେଇଛନ୍ତି।
ସକ୍ରିୟ ହେବ ଗୁଇନ୍ଦା, ଶାଣିତ ହେବ ମାଓ ମୁକାବିଲା
Popular Categories



