www.samajalive.in
Monday, December 8, 2025
27.1 C
Bhubaneswar

ଜଙ୍ଗଲରୁ ହଟିବେ ଜନଜାତି

ନୂଆଦିଲ୍ଲୀ : ଜଙ୍ଗଲ ଅଧିକାର ଆଇନ-୨୦୦୬ ଅଧୀନରେ ଯେଉଁ ଆଦିବାସୀ (ଏସ୍‌ଟି) ତଥା ଅନ୍ୟ ପାରମ୍ପରିକ ବନବାସୀ (ଓଟିଏଫ୍‌ଡି) ଲୋକଙ୍କର ଜମି ମାଲିକାନା ଦାବି ଖାରଜ ହୋଇଛି ସେମାନଙ୍କୁ ଜଙ୍ଗଲ ଅଞ୍ଚଳରୁ ହଟାଇବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏ ନେଇ ବିଚାରପତି ଅରୁଣ ମିଶ୍ର, ନବୀନ ସିହ୍ନା ଓ ଇନ୍ଦିରା ବାନାର୍ଜୀଙ୍କ ପୀଠ ରାଜ୍ୟଗୁଡିକୁ ଜୁଲାଇ ୨୭ ପର୍ଯ୍ୟନ୍ତ ସମୟସୀମା ପ୍ରଦାନ କରିଛନ୍ତି। ଏହି ଆଇନର ବୈଧତା ଉପରେ ପ୍ରଶ୍ନ କରି ‘ୱାଇଳ୍ଡଲାଇଫ ଫାଷ୍ଟ’ ଭଳି କେତେକ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ କରାଯାଇଥିବା ଆବେଦନ ଉପରେ ପୀଠ ଶୁଣାଣି କରି ଫେବୃଆରୀ ୧୩ ଏହି ନିର୍ଦେଶ ଜାରି କରିଛନ୍ତି। ପୀଠ କହିଛନ୍ତି କୌଣସି ପରିସ୍ଥିତିରେ ନିର୍ଦେଶର ଉଲ୍ଲଙ୍ଘନ ହେଲେ କୋର୍ଟ ତାହାକୁ ଗୁରୁତ୍ବର ସହ ଗ୍ରହଣ କରିବେ। ନିଷ୍କାସନ ପରବର୍ତ୍ତି ସ୍ଥିତି ଏବଂ ଏହି ସମ୍ପ୍ରଦାୟର କୌଣସି ବ୍ୟକ୍ତି ନିର୍ଦେଶ ଉଲ୍ଲଙ୍ଘନ ପୂର୍ବକ ଜଙ୍ଗଲରେ ଜବରଦଖଲ କରୁଛନ୍ତି କି ନାହିଁ ତାହା ଉପଗ୍ରହ ମାଧ୍ୟମରେ ତଦାରଖ କରିବାକୁ ଭାରତୀୟ ବନ ସର୍ବେକ୍ଷଣ (ଏଫଏସ୍‌ଆଇ)କୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଦାବି ଖାରଜ ହେବା ସତ୍ତ୍ବେ କାହିଁକି ସମ୍ପୃକ୍ତ ଲୋକଙ୍କୁ ନିଷ୍କାସିତ କରାଯାଇ ନାହିଁ ସେ ସମ୍ବନ୍ଧରେ ମଧ୍ୟ ପୀଠ ରାଜ୍ୟଗୁଡିକୁ ଜବାବ ଲୋଡିଛନ୍ତି। କୋର୍ଟଙ୍କ ଏହି ନିର୍ଦେଶ ଦ୍ବାରା ଓଡ଼ିଶା ସମେତ ମଧ୍ୟପ୍ରଦେଶ ଓ କର୍ଣ୍ଣାଟକର ବନବାସୀ ବିଶେଷ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୭ରେ ହେବ।
ବନବାସୀଙ୍କ ସହିତ ହୋଇଆସୁଥିବା ଅନ୍ୟାୟ ଦୂର କରିବା ଉଦ୍ଦେଶ୍ୟରେ ୨୦୦୬ରେ ସଂସଦରେ ଜଙ୍ଗଲ ଅଧିକାର ଆଇନ ଗୃହୀତ ହୋଇଥିଲା। ଏଥିରେ ଜଙ୍ଗଲ ସମ୍ପଦକୁ ନିଜର ଜୀବନଜୀବିକା ଭାବେ ଗ୍ରହଣ କରିଥିବା ଆଦିବାସୀ ଓ ବନବାସୀମାନଙ୍କର ଜଙ୍ଗଲ ଓ ବନସମ୍ପଦ ଉପରେ ଅଧିକାର
ସ୍ପଷ୍ଟ କରାଯାଇଥିଲା। ଆବେଦନକାରୀ ସ୍ବେଚ୍ଛାସେବୀ ସଂଗଠନଗୁଡିକ ଆଇନଟିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବା ସହିତ ଏହା ଅଧିନରେ ଯେଉଁ ବନବାସୀଙ୍କ ଦାବି ଖାରଜ ହୋଇଛି ସେମାନଙ୍କୁ ଜଙ୍ଗଲ ଅଞ୍ଚଳରୁ ନିଷ୍କାସିତ କରିବାକୁ ନିବେଦନ କରିଥିଲେ। ଏ ସମ୍ବନ୍ଧରେ ରାଜ୍ୟଗୁଡିକ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠ ଅନୁସାରେ ଏସ୍‌ଟି ଓ ଓଟିଏଫ୍‌ଡି ବର୍ଗର ଲୋକଙ୍କ ପକ୍ଷରୁ କରାଯାଇଥିବା ୧୧,୭୨,୯୩୧ଟି ଜମି ମାଲିକାନା ଦାବିକୁ ଜଙ୍ଗଲ ଅଧିକାର ଆଇନ ଅଧିନରେ ବିଭିନ୍ନ କାରଣରୁ ଖାରଜ କରାଯାଇଛି। ଖାରଜ ହୋଇଥିବା ମୋଟ ଦାବି ମଧ୍ୟରୁ ପ୍ରାୟ ୨୦% କେବଳ ଓଡ଼ିଶା, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକର ବୋଲି ଜଣାପଡିଛି।
ସୁପ୍ରିମକୋର୍ଟଙ୍କ ଏହି ରାୟକୁ ନେଇ ଏବେ ରାଜନୈତିକ ବିବାଦ ମୁଣ୍ଡ ଟେକିଛି। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରାଯିବା ବେଳେ ବିଜେପି ନିରବ ଦ୍ରଷ୍ଟା ସାଜିଥିଲା ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଶୁଣାଣି ଦିନ କେନ୍ଦ୍ର ସରକାରଙ୍କ ଓକିଲ କୋର୍ଟରେ ଅନୁପସ୍ଥିତ ଥିଲେ ବୋଲି ‘କ୍ୟାମ୍ପେନ ଫର ସର୍ଭାଇଭାଲ ଆଣ୍ଡ ଡିଗନିଟି (ଜୀବନ ରକ୍ଷା ଓ ଆତ୍ମସମ୍ମାନ ଅଭିଯାନ)’ ନାମକ ଏକ ଆଦିବାସୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories