ସମାଜ ଡିଜିଟାଲ ଡେସ୍କ: ବର୍ମିଂହାମ ଟେଷ୍ଟରେ ଟିମ ଇଣ୍ଡିଆ ଘରୋଇ ଇଂଲଣ୍ଡ ଦଳକୁ ୬୦୮ ରନର ବିଜୟ ଲକ୍ଷ୍ୟ ଦେଇଛି। ୨ୟ ଇନିଂସରେ ଭାରତ ୬ ଉଇକେଟ ବିନିମୟରେ ୪୨୭ ରନ କରି ପାଳି ଘୋଷଣା କରିଛି। ଫଳରେ ପ୍ରଥମ ପାଳିରେ ୧୮୦ ରନରେ ଆଗୁଆ ଥିବା ଟିମ ଇଣ୍ଡିଆ ମୋଟ ୬୦୭ ରନରେ ଆଗୁଆ ରହିଥିଲା। ଅଧିନାୟକ ଶୁବମନ ଗିଲ୍ଙ୍କ ଲଢ଼ୁଆ ୧୬୧ ରନ ଗୁରୁତ୍ଵପୂର୍ଣ୍ଣ ପାଳି ଭାରତକୁ ମଜଭୁତ ସ୍ଥିତିରେ ରଖିବାରେ ସହାୟକ ହୋଇଥିଲା। ଏତେ ବଡ଼ ଟାର୍ଗେଟ ହାସଲ କରିବା ଘରୋଇ ଦଳ ପାଇଁ କଷ୍ଟକର ହେବ ନିଶ୍ଚୟ। ଆସନ୍ତା କାଲି ଅନ୍ତିମ ଦିବସ ଥିବାରୁ ଟିମ ଇଣ୍ଡିଆକୁ ଏହି ମ୍ୟାଚରେ ବିଜୟଲାଭ ପାଇଁ ଇଂଲଣ୍ଡକୁ ସମୟ ପୂର୍ବରୁ ଅଲଆଉଟ କରିବାକୁ ପଡ଼ିବ।
୨ୟ ପାଳିରେ ଭାରତ ପକ୍ଷରୁ ଗିଲ୍ ସର୍ବାଧିକ ୧୬୧ ରନ କରିଥିବାବେଳେ ରବୀନ୍ଦ୍ର ଜାଡେଜା ୬୯ ଏବଂ ରୁଷଭ ପନ୍ତ ୬୫ ରନର ଯୋଗଦାନ କରିଥିଲେ। ଯାହାଫଳରେ ଭାରତ ବଡ଼ ସ୍କୋର କରିପାରିଥିଲା। ଅନ୍ୟପଟେ ୬୦୮ ରନର ଟାର୍ଗେଟକୁ ପିଛା କରି ୨ୟ ଇନିଂସ ଆରମ୍ଭ କରିଥିବା ଘରୋଇ ଦଳ ୧୧ ରନରେ ଏହାର ପ୍ରଥମ ଉଇକେଟ ହରାଇଛି। ଇଂଲଣ୍ଡର ଓପନର ବ୍ୟାଟ୍ସମ୍ୟାନ ଜ୍ୟାକ କ୍ରଲିଙ୍କ ଉଇକେଟ ନେଇ ମହମ୍ମଦ ସିରାଜ ଭାରତକୁ ଏହି ସଫଳତା ଦେଇଛନ୍ତି।



