ଆରଡି : ଗତ ୩ଦିନ ହେଲା ସକ୍ରିୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ ଆରଡି ତଥା ଆଖପାଖ ଅଞ୍ଚଳରେ ଲାଗି ରହିଛି ଲଗାଣ ବର୍ଷା। ଲଗାଣ ଝଡବର୍ଷାରେ ଗତକାଲି ରାତିରେ ଭାଙ୍ଗି ଯାଇଛି ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାର ତ୍ରିଶୂଳ ଦଣ୍ଡ । ଫଳରେ ତ୍ରିଶୂଳ ଦଣ୍ଡରେ ଲାଗି ହୋଇଥିବା ବାନା ଖସି ପଡିଛି। ଆଜି ଭୋର ବାବାଙ୍କ ପହିଲୁ ନୀତି ସମୟରେ ଦ୍ବାରଫିଟା ବେଳକୁ ସେବାୟତମାନେ ଏପରି ଘଟଣା ଦେଖିବାକୁ ପାଇଥିଲେ । ତୁରନ୍ତ ଏପରି ଖବର ମନ୍ଦିର ପ୍ରଶାସନକୁ ଜଣାଇଥିଲେ। ତାହାସହ ପୁଣି ଦଧି ନଉତିର ଥିବା ଅଷ୍ଟଧାତୁ ନିର୍ମିତ ତ୍ରିଶୂଳର ବାମ ପାର୍ଶ୍ବ ଅର ବଙ୍କି ଯିବା ସହ ଢଳି ରହିଛି। ପୂର୍ବରୁ ଦୀର୍ଘ ଦେଢବର୍ଷ ତଳେ ପବନବର୍ଷାରେ ତ୍ରିଶୂଳର ମଧ୍ଯଭାଗ ଅର ଭାଙ୍ଗି ଖସି ପଡିଥିଲା। ଏପରି ଖବର ପାଇବା ପରେ ରାଜ୍ଯ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ମରାମତି କରାଯାଇଥିଲା। ହେଲେ ଠିକ ଭାବେ ମରାମତି ହୋଇନଥିବାରୁ ଆଜି ପୁଣି ଏପରି ଅଘଟଣ ଦେଖାଦେଇଥିବା ସେବାୟତ କହିଛନ୍ତି । ପରେ ମନ୍ଦିରରେ ଏକ ନୂଆ ବାନା ଲାଗି ହେବା ପରେ ବାବାଙ୍କ ସକାଳଧୂପ ସହ ଅନ୍ଯାନ୍ଯ ନୀତି ସମ୍ପନ୍ନ ହୋଇଥିଲା।
Popular Categories



