ଟିଟିଲାଗଡ଼: ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୁଡଭେଲା ଗ୍ରାମର ହୃଦାନନ୍ଦ ନାଗ ଅହମ୍ମଦାବାଦଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ସ୍ୱତନ୍ତ୍ର ଅଲିମ୍ପିକ୍ସରେ ବ୍ୟାଡ଼ମିଣ୍ଟନ ଖେଳରେ ସ୍ଵର୍ଣ୍ଣ ପଦକ ହାସଲ କରି ଗୌରବ ଆଣିଛନ୍ତି। ସ୍ୱତନ୍ତ୍ର ଅଲିମ୍ପିକ୍ସ ଓଡିଶା ପକ୍ଷରୁ ହୃଦାନନ୍ଦ ଭାଗ ନେଇ ବ୍ୟାଡ଼ମିଣ୍ଟନ ସିଙ୍ଗଲ ବିଭାଗରେ ଏହି ପଦକ ଜିଣିଛନ୍ତି। ଦିବ୍ୟାଙ୍ଗ ହୋଇ ବି ସେ ନିଜର ଦକ୍ଷତା ପ୍ରଦର୍ଶନ କରି ଢେର ପ୍ରଶଂସା ସାଉଁଟିଛନ୍ତି।
ଗୁଡଭେଲା ଗ୍ରାମର ଭୀମସେନ ନାଗଙ୍କ ପୁଅ ହୃଦାନନ୍ଦ ପୂର୍ବରୁ ରାଜ୍ୟ ସ୍ତରରେ ଚମ୍ପିଆନ ହେବା ସହ ଜାତୀୟ ସ୍ତରରେ ଖେଳିଥିବା ବେଳେ ଚଳିତ ବର୍ଷ ତାଙ୍କର ପ୍ରଥମ ସଫଳତା ଉତ୍ସାହର ବିଷୟ ହୋଇଛି। ଶନିବାର ରାତିରେ ସେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ଯୋଗେ ଟିଟିଲାଗଡ଼ରେ ପହଞ୍ଚିଥିବା ବେଳେ ତାଙ୍କୁ ରେଳ ଷ୍ଟେସନରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସ୍ୱତନ୍ତ୍ର ଅଲିମ୍ପିକ୍ସ ଅନ୍ତର୍ଜାତୀୟ ପ୍ରଶିକ୍ଷକ ଉମାକାନ୍ତ ଷଡ଼ଙ୍ଗୀ, ପାୱାର ଲିଫଟିଂ ପ୍ରଶିକ୍ଷକ ସୋମନାଥ ସାହୁ, ସମାଜସେବୀ ପ୍ରମୋଦ ବଳବନ୍ତରାୟ, ଶିକ୍ଷାବିତ ଜ୍ୟୋତିପ୍ରକାଶ ଗଡତିଆ, ବ୍ୟାଡ଼ମିଣ୍ଟନ ପ୍ରଶିକ୍ଷକ ସୁରେନ୍ଦ୍ର ନେପାକ, ବିଜେଡ଼ି ଟିଟିଲାଗଡ଼ ନଗର ସଭାପତି ରଣଜିତ ପୃଷ୍ଟି, ଦୀପକ ବେହେରା ଉପସ୍ଥିତ ରହି ସ୍ୱାଗତ କରିଥିଲେ।



