ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେନଗାଁର ମାତ୍ର ଚାରି ବର୍ଷ ବୟସର ନିଷ୍ପାପ ଶିଶୁ ପ୍ରକାଶ। ସେଦିନ ଥିଲା ମଙ୍ଗଳବାର। ସମୟ ପ୍ରାୟ ସକାଳ ୧୦ଟା ହେବ। ମାଆ ବାଲମତି ଚୁଲିରେ ଭାତ ରୋଷେଇ ପାଣି ବସେଇଦେଇ କିଛି ସମୟ ପାଇଁ କୁଆଡେ ବାହାରକୁ ଯାଇଥିଲେ। ଏହି ସମୟରେ ଘର ନିକଟରେ ଖେଳୁଥିଲା ପ୍ରକାଶ। ଖେଳୁଖେଳୁ ଶୋଷ ଲାଗିବାରୁ ଘର ଭିତରକୁ ପଶିଥିଲା। ଦୁର୍ଭାଗ୍ୟବଶତଃ ଚୁଲିରେ ବସିଥିବା ଗରମ ପାଣି ତା’ ଉପରେ ଢାଳି ହୋଇଗଲା। ଅତିମାତ୍ରାରେ ଗରମ ପାଣି ଉପରେ ପଡିଯିବାରୁ ଶରୀରର ମୁହଁ, ବେକ, ଛାତି, ପେଟ ଆଦି ବିଭିନ୍ନ ଅଂଶରୁ ଛାଲ ଉତୁରି ଯାଇଥିବାବେଳେ ଅତ୍ୟନ୍ତ ଗୁରୁତର ପ୍ରକାଶକୁ ବାପା ଅଜିତ ହରିଜନଙ୍କ ସହିତ ପରିବାର ଲୋକେ ପ୍ରଥମେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ତେବେ ମଙ୍ଗଳବାରରୁ ଆଜିକୁ ସାତ ଦିନ ବିତିଯାଇଥିଲେ ମଧ୍ୟ ପ୍ରକାଶର ଚିକିତ୍ସା ଚାଲିଛି ସତ, କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ। କୁଲିମଜୁରୀ କରି ପରିବାର ପୋଷୁଥିବା ଅଜିତ ନିଜର ଗୋଟିଏ ବୋଲି ପୁଅର ଚିକିତ୍ସା ପାଇଁ ଧାରକରଜ କରି ସର୍ବସ୍ୱାନ୍ତ ହେଲେଣି। ବର୍ତ୍ତମାନ ଡାକ୍ତରମାନେ ଏଠାରେ ଭଲ ହେବା ମୁସ୍କିଲ, କୌଣସି ବଡ଼ ହସ୍ପିଟାଲ କିମ୍ବା ବେସରକାରୀ ହସ୍ପିଟାଲକୁ ନେଇଯାଅ ବୋଲି କହିବାରୁ ତାଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି। ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟସେବା ଯୋଜନା ଥିଲେ ମଧ୍ୟ ଅଜ୍ଞତାବଶତଃ ସେସବୁର ଲାଭ ଉଠାଇ ପାରୁନାହାନ୍ତି ଅଜିତଙ୍କ ପରିବାର। ଶେଷରେ ଜିଲ୍ଲାପାଳଙ୍କୁ ସହାୟତା ପାଇଁ ନିବେଦନ କରିବାରୁ ସରପଞ୍ଚ, ସମିତି ସଭ୍ୟଙ୍କଠାରୁ ଲେଖାଇଆଣ ବୋଲି କହିବାରୁ ସେ ଆହୁରି ହରଡ଼ଘଣାରେ ପଡିଛନ୍ତି। ପରିବାରରେ ସ୍ୱାମୀ, ସ୍ତ୍ରୀ ଓ ଗୋଟିଏ ବୋଲି ପୁଅ ହୋଇଥିବାରୁ ପୁଅକୁ ଛାଡ଼ି କୌଣସି ସ୍ବେଛାସେବୀ ସଂଗଠନ, ବ୍ୟକ୍ତିବିଶେଷ ସହାୟତାର ହାତ ବଢ଼ାଇବାକୁ ଆକୁଳ ଗୁହାରି କରିଛନ୍ତି।
ଗରମ ପାଣି ପଡ଼ି ଶିଶୁ ଗୁରୁତର: ୭ ଦିନ ହେଲା ଚାଲିଛି ଚିକିତ୍ସା, ସହାୟତା ପାଇଁ ବାପା-ମାଆଙ୍କ ଗୁହାରି
Popular Categories



