ଲାଞ୍ଜିଗଡ: ବଣ ପାହାଡ ଭିତରେ ଆଦିବାସୀ କିପରି ଜୀବନଯାପନ କରୁଛନ୍ତି, ସେମାନଙ୍କ ସମସ୍ୟା ସବୁ କ’ଣ ରହିଛି, ଏମାନଙ୍କ ପାଇଁ ସରକାର ଓ ପ୍ରଶାସନର ଦରଦ କେତେ ଏସବୁ ବିଷୟ ବଖାଣ କରୁଛି ଅପହଞ୍ଚ ଗାଁ ଆମଠାପଦର। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତର ଏକ ଆଦିବାସୀ ଗାଁ ଆମଠାପଦର ୩୦ଟି ପରିବାର ରହୁଥିବା ୨୦୦ ଶହରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ସମସ୍ୟାର ଚାରି ଛକରେ ବନ୍ଧା ପଡିଛି। ପଞ୍ଚାୟତ ମୁଖ୍ୟାଳୟ ଠାରୁ ମାତ୍ର ୪ କିମି ଦୂରରେ ଥିବା ବେଳେ ଶିକ୍ଷା, ପାନୀୟଜଳ, ବିଜୁଳି ସବୁ ଦୃଷ୍ଟିରୁ ଅବହେଳିତ ହୋଇ ରହିଛି ଏହି ଗାଁ।
ଗାଁର ସମସ୍ୟା ହେଉଛି ପାନୀୟ ଜଳ, ବିଜୁଳି ଓ ଶିକ୍ଷା। ଆଜିକୁ ୧୦୦ ବର୍ଷରୁ ଅଧିକ ସମୟ ଧରି ଏହି ଗାଁରେ ଲୋକେ ବସବାସ କରି ଆସୁଥିଲେ ମଧ୍ୟ ଗାଁର ମୂଖ୍ୟ ସମସ୍ୟା ହେଉଛି ପାନୀୟ ଜଳ। ଗ୍ରାମରେ ୨ ଗୋଟି ନଳକୂପ ଅଛି। ଗୋଟିଏରେ ମାତ୍ର ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ କମ ପରିମାଣରେ ପାଣି ବାହାରିବା ପରେ ଗୋଳିଆ ପାଣି ବାହାରୁଛି। ଅନ୍ୟଟିରେ ସୋଲାର ପମ୍ପ ସଂଯୋଗ କରିବା ଦ୍ବାରା ତାହା ମଧ୍ୟ ୩ ବର୍ଷ ହେଲା ଅଚଳ ହୋଇ ପଡିରହିଛି। ପ୍ରଶାସନ ନିକଟରେ ବାରମ୍ବାର ଗୁହାରି ପରେ ୨୦୧୯-୨୦ ମସିହାରେ ଗାଁରେ ୩ ଗୋଟି ଡିପ ବୋରୱେଲ ଖୋଳା ଯାଇଥିଲେ ମଧ୍ୟ ମୋଟର ସଂଯୋଗ କରାଯାଇ ନାହିଁ।ଗାଁର ୨ କିମି ଦୂରରେ ଥିବା ନାଳରୁ ପାଇପ୍ ଯୋଗେ ପାଣି ଯୋଗାଣ ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ୨୦୧୯ ମସିହାରେ ସିଣ୍ଟେସ୍କ ଟାଙ୍କି ଓ ପାଇପ ଗାଁ ମୁଣ୍ଡରେ ରଖାଯାଇଥିଲା। ଘରକୁ ଘର ଜଳ ଯୋଗାଣ ପାଇଁ ପାଣି ପଏଣ୍ଟ ମଧ୍ୟ ସ୍ଥାପନ କରାଗଲା। କିନ୍ତୁ ତାହା କୌଣସି କାମରେ ଆସିଲା ନାହିଁ। ଲକ୍ଷ ଲକ୍ଷ ଟଙ୍କାର ପାଇପ୍ ଓ ସିଣ୍ଟେକ ଟାଙ୍କି ଆଜି ପର୍ଯ୍ୟନ୍ତ ପଡିରହିଛି।



