www.samajalive.in
Friday, December 12, 2025
15.1 C
Bhubaneswar

ଲାଞ୍ଜିଗଡ଼ରେ ଡିଗ୍ରୀ କଲେଜ ଓ ଆଇଟିଆଇ ସ୍ଥାପନ ଦାବି

ଲାଞ୍ଜିଗଡ଼: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଆର୍ଥିକ ଅନୁଦାନ ସତ୍ତ୍ୱେ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଦାଦନ ସମସ୍ୟା ବଢିବାରେ ଲାଗିଛି। ମାଟ୍ରିକ, ଯୁକ୍ତ ୨ ପାସ ପରେ ସ୍ନାତକ ଶିକ୍ଷା ପାଇଁ ଦୂରଦୂରାନ୍ତରକୁ ଯାଇ ନ ପାରି ଅଞ୍ଚଳର ଛାତ୍ରଛାତ୍ରୀମାନେ ନିଜକୁ ଏକ ପ୍ରକାର ଶିକ୍ଷିତ ବେକାରୀ ଭାବେ ଅନୁଭବ କରୁଛନ୍ତି। ଏଣୁ କୌଣସି କାମଧନ୍ଦା ନ ପାଇ ଲାଞ୍ଜିଗଡ଼ ବ୍ଲକର ଶହ ଶହ ଶିକ୍ଷିତ ଯୁବକ ଯୁବତୀ ପ୍ରତିବର୍ଷ ଦାଦନମୁହାଁ ହେବା ଚିନ୍ତାଜନକ। ଲାଞ୍ଜିଗଡ଼ ଏକ ଶିଳ୍ପାଞ୍ଚଳ ଅଞ୍ଚଳ ଓ ଅନ୍ୟାନ୍ୟ ଅନୁଷ୍ଠାନ ଥିଲେ ମଧ୍ୟ ଅଞ୍ଚଳର ଯୁବକ ଯୁବତୀ ଉଚ୍ଚ ଶିକ୍ଷା ତଥା ବୈଷୟିକ ଶିକ୍ଷାଣଉ ବଞ୍ଚିତ ଥିବାରୁ ନିଜ ଅଞ୍ଚଳରେ ନିଯୁକ୍ତି ପାଇବାରେ ସୁଯୋଗ ମିଳିପାରୁନାହିଁ। ଲାଞ୍ଜିଗଡ଼ ବ୍ଲକ ୨୬ ଗୋଟି ପଞ୍ଚାୟତର ୪୭୩ ଗ୍ରାମରେ ପ୍ରାୟ ୪୭ ହଜାରରୁ ଊର୍ଦ୍ଧ୍ବ ଲୋକେ ବସବାସ କରୁଥିବାବେଳେ ଏଥି ମଧ୍ୟରୁ ୧୬ ଗୋଟି ପଞ୍ଚାୟତ ଅତି ଦୁର୍ଗମ ଓ ୮୦ ପ୍ରତିଶତ ଆଦିବାସୀ ଓ ହରିଜନ ଗରିବ ଶ୍ରେଣୀର ଲୋକେ ବସବାସ କରନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ଏମାନଙ୍କ ପାଇଁ ଠିକ ଭାବେ କାମ ଯୋଗାଇ ନ ପାରିବା ଯୋଗୁଁଁ ବର୍ତ୍ତମାନ ୧୫ ହଜାରରୁ ଊର୍ଦ୍ଧ୍ବ ଲୋକେ ଦେଶର ବିଭିନ୍ନ ରାଜ୍ୟରେ ଦାଦନ ଖଟୁଛନ୍ତି। ସେହିପରି ଅଞ୍ଚଳର ଶତାଧିକ ଶିକ୍ଷିତ ଯୁବକ ଯୁବତୀମାନେ କେରଳ, କର୍ଣ୍ଣାଟକ, ତାମିଲନାଡୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଛତିଶଗଡ଼, ଗୁଜରାଟ ଆଦି ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଅଭିଯୋଗ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ଼ଠାରେ ଡିଗ୍ରୀ ମହାବିଦ୍ୟାଳୟ ଓ ଆଇଟିଆଇ ସ୍ଥାପନ ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରି ଆସୁଛନ୍ତି।

ଗତ ୨୦୨୨ ମସିହା ଜୁନ ୧୩ ତାରିଖ ଦିନ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଦିନିକିଆ ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଆସିଥିଲେ। ଏହି ସମୟରେ ଲାଞ୍ଜିଗଡ଼ ସରପଞ୍ଚ ସରସ୍ୱତୀ ମୁଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ସ୍ୱାଗତ ଜଣାଇବା ସହିତ ଆଲୋଚନା କରି ଲାଞ୍ଜିଗଡ଼ଠାରେ ଥିବା ଯୁକ୍ତ ୨ ଆଦିବାସୀ ଓ ହରିଜନ ଉନ୍ନୟନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଡିଗ୍ରୀ ମହାବିଦ୍ୟାଳୟରେ ରୂପାନ୍ତରିତ କରିବା ପାଇଁ ଲିଖିତ ଭାବେ ଜଣାଇଥିଲେ। ଯାହା ଫଳରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟୁଷିତ ଅଞ୍ଚଳର ଶହ ଶହ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀମାନେ ଦାଦନ ମୁହାଁ ନହୋଇ ଉଚ୍ଚ ଶିକ୍ଷା ଲାଭ କରିପାରିବେ। ଅନ୍ୟପକ୍ଷରେ ଲାଞ୍ଜିଗଡ଼ରେ ୨୧ ବର୍ଷ ହେଲା ଏକ କାରଖାନା ରହିଥିବାବେଳେ ଶିକ୍ଷିତ ଯୁବକ ଯୁବତୀଙ୍କ ବୈଷୟିକ ଶିକ୍ଷା ପାଇଁ ଏକ ଆଇଟିଆଇ ସ୍ଥାପନ ନିମନ୍ତେ ବାରମ୍ବାର ଦାବି ହୋଇଛି। ସରକାରଙ୍କ ଘୋଷଣା ଅନୁଯାୟୀ ଲାଞ୍ଜିଗଡ଼ ବ୍ଲକରେ ଆଇଟିଆଇ ସ୍ଥାପନ ପାଇଁ ଦୀର୍ଘ ଦିନ ଦାବି କରି ଆସୁଥିବା ଲାଞ୍ଜିଗଡ଼ ଅଞ୍ଚଳର ଯୁବ ସଂଗଠନ ଓ ବୁଦ୍ଧିଜୀବୀମାନେ ପ୍ରଥମରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତତ୍କାଳୀନ ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ତତ୍କାଳୀନ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ତତ୍କାଳୀନ ବିଭାଗୀୟ ସଚିବ ହେମନ୍ତ ଶର୍ମାଙ୍କୁ ଚିଠି ମାଧ୍ୟମରେ ଲିଖିତ ଅଭିଯୋଗ କରିଥିଲେ। ଲାଞ୍ଜିଗଡ଼ଠାରେ ଆଇଟିଆଇ ସ୍ଥାପନ କରାଗଲେ ଶହ ଶହ ଯୁବକ ଯୁବତୀ ବୈଷୟିକ ଶିକ୍ଷା ଲାଭ କରିବା ସହିତ ନିଜ ଅଞ୍ଚଳରେ ଶିଳ୍ପ କାରଖାନାରେ ନିଯୁକ୍ତିରେ ସୁଯୋଗ ପାଇ ପାରିବେ ବୋଲି ଲାଞ୍ଜିଗଡ଼ ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି। ନଚେତ ଏହା ଏକ ବଡ ଧରଣର ଆନ୍ଦୋଳନର ରୂପ ନେବ ବୋଲି ଲାଞ୍ଜିଗଡ଼ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ, ଲାଞ୍ଜିଗଡ଼ ନିକଟସ୍ଥ ଜଗନ୍ନାଥପୁର ମୌଜାରେ ଆଜିକୁ ୧୦ ବର୍ଷ ହେଲା ଆଇଟିଆଇ ସ୍ଥାପନ ପାଇଁ ଜମି ଚିହ୍ନଟ କରାଯାଇଥିବାବେଳେ ପ୍ରସ୍ତାବିତ ସ୍ଥାନର ଆଇଟିଆଇ ସ୍ଥାପନ ପାଇଁ ନୂତନ ଡବଲ ଇଞ୍ଜିନ ମୋହନ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଲାଞ୍ଜିଗଡ଼ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories