www.samajalive.in
Monday, December 8, 2025
14.1 C
Bhubaneswar

ଯୁଦ୍ଧ ସରି ନାହିଁ; ଅରି ମରି ନାହିଁ

ଭୁବନେଶ୍ଵର:  ଯୁଦ୍ଧସମ ସ୍ଥିତିରେ ଅସ୍ତ୍ରବିରତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦେଇଥିବା ବାର୍ତ୍ତାରେ ଦେଶବାସୀଙ୍କୁ ଉଦ୍‌ବୁଦ୍ଧ କରିବାକୁ ସ୍ବଭାବ ସୁଲଭ ବାକ୍‌ପଟୁତା ଓ ଆଳଙ୍କାରିକତା ପ୍ରଦର୍ଶନ କରିବାବେଳେ ଆମର ସେନା ଓ ବୈଜ୍ଞାନିକଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି। ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶପ୍ରେମର ବାର୍ତ୍ତା ଦେଇ ଦେଶବାସୀଙ୍କୁ କିପରି ଉଦ୍‌ବୁଦ୍ଧ କରାଯାଏ ସେ କଥା ପ୍ରଧାନମନ୍ତ୍ରୀ ଭୁଲିନାହାନ୍ତି। ମୋଦୀଙ୍କ ବାର୍ତ୍ତାର ବିଶ୍ଳେଷଣରୁ ଏହାର ଉଦ୍ଦେଶ୍ୟ ସ୍ପଷ୍ଟ ଜାଣିହୁଏ। ଅପରେସନ ସିନ୍ଦୂରର ଗୁରୁତ୍ବ ଓ ଆବଶ୍ୟକତା ପ୍ରତିପାଦନ କରିଥିବାବଳେ ସେ ସ୍ପଷ୍ଟ କରି ଦେଇଛନ୍ତି ଯେ ପାରମ୍ପରିକ ଶତ୍ରୁ ପାକିସ୍ତାନ ବିରୋଧରେ ପହଲଗାଓଁ ଘଟଣା ପ୍ରେକ୍ଷାପଟରେ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା ତାହାର ଅବସାନ ଘଟିନାହିଁ। ଏହା କେବଳ ସ୍ଥଗିତ ରହିଛି। ଲକ୍ଷ୍ୟ ପୂରଣ ହୋଇନାହିଁ।
ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ ସ୍ପଷ୍ଟ କରି ଦେଇଛନ୍ତି ଯେ ପାକିସ୍ତାନ ପୁଣି ବଦମାସି କଲେ ପୁନର୍ବାର ନିର୍ମମ କାର୍ଯ୍ୟାନୁଷ୍ଠାନ ହେବ ଏବଂ ଘରେ ପଶି ପାକ୍‌ ଉପରେ ଆକ୍ରମଣ କରାଯିବ। ପାକିସ୍ତାନ ପାଇଁ ସେ ଭାରତର ଆଭିମୁଖ୍ୟକୁ ସ୍ପଷ୍ଟ କରି ଦେଇ କହିଛନ୍ତି ଯେ ଅପରେସନ ସିନ୍ଦୂର ଏବେ ଭାରତର ନୀତି ପାଲଟିଛି ଏବଂ ଅପରିବର୍ତ୍ତିତ ରହିବ। ତେଣୁ ପାକିସ୍ତାନ ଭବିଷ୍ୟତରେ ଆକ୍ରମଣ କଲେ ମୁହଁତୋଡ ଜବାବ ଦିଆଯିବ। ଆମର ସାମରିକ ସାମର୍ଥ୍ୟ ଓ ଉନ୍ନତ ଟେକ୍‌ନୋଲୋଜି ମାଧ୍ୟମରେ ମାତ୍ର ତିନିଦିନ ମଧ୍ୟରେ ପାକିସ୍ତାନ କିପରି ହତାଶ ହେଲା ତାହାର ଏକ ତୁଳନାତ୍ମକ ଚିତ୍ର ଦେବା ଅବସରରେ ମୋଦୀ ସ୍ପଷ୍ଟ କରିଦେଇଛନ୍ତି ଯେ ଇସଲାମାବାଦର ଆଣବିକ ବ୍ଲାକ୍‌ମେଲ ଆଉ ଚଳିବ ନାହିଁ। ଆତଙ୍କବାଦ ଓ ଆଲୋଚନା ଏକ ସମୟରେ ଚାଲିବ ନାହିଁ କିମ୍ବା ରକ୍ତ ଓ ପାଣି ଏକ ସମୟରେ ବୋହିବା ସମ୍ଭବ ନୁହେଁ। ମୋଦୀ ଆହୁରି ସ୍ପଷ୍ଟ କରି ଦେଇଛନ୍ତି ଯେ ପାକିସ୍ତାନ ସହିତ ଏଣିକି ଆଉ କାଶ୍ମୀର ନେଇ ଆଲୋଚନା ହେବ ନାହିଁ। ଯଦି କଥାବାର୍ତ୍ତା ହେବ ପାକ୍‌ ଅଧିକୃତ କାଶ୍ମୀରକୁ ଫେରାଇ ଆଣିବାକୁ ଆଲୋଚନା ହେବ। ଏହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା। ସନ୍ତ୍ରାସବାଦର ଅବସାନ ପାଇଁ ମଧ୍ୟ ଭାରତ ଆଉ ପାକିସ୍ତାନ ସହିତ ଆଲୋଚନା କରିବ ନାହିଁ; ବରଂ ଏହାର ଉପଯୁକ୍ତ ଜବାବ ଦିଆଯାଇ କାଶ୍ମୀରର ଭୂଗୋଳ ବଦଳାଇ ପାକିସ୍ତାନରେ ପଶି ତା’ ଛାତି ଉପରେ ଜବାବ ଦିଆଯିବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ଭାଷଣରେ କାଶ୍ମୀର ପ୍ରସଙ୍ଗର ଏକ ନୂଆ ଦିଗକୁ ବିଶ୍ବ ସମ୍ମୁଖରେ ଉପସ୍ଥାପନ କରିବା ସହ ତୃତୀୟ ରାଷ୍ଟ୍ରଙ୍କ ଭୂମିକା ଓ ଦକ୍ଷିଣ ଏସିଆର ଭୂରାଜନୀତିକ ସ୍ଥିତିକୁ ସ୍ପଷ୍ଟ କରିଦେଇଛନ୍ତି। ମୋଦୀ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ କଥା କହିବା ସହିତ ବିକଳ୍ପ ଖୋଲା ରଖିଛନ୍ତି; କାରଣ ସେ ଜାଣିଛନ୍ତି ଯେ ପାକିସ୍ତାନକୁ ସହଜରେ ବିଶ୍ବାସ କରାଯାଇନପାରେ। ସେ ଦେଶର ନୀତି, ମୂଲ୍ୟବୋଧ, ବ୍ୟବସ୍ଥିତ ଶାସନତନ୍ତ୍ର ଆଦି କିଛି ନାହିଁ। ସେଠା ସରକାର ସେନା ଓ ଆତଙ୍କବାଦର ଗୋଲାମ ପାଲଟିଛି। ତେଣୁ ଏକ ହତାଶ ରାଷ୍ଟ୍ରରେ ସେନା ଓ ସନ୍ତ୍ରାସବାଦ କବଳରୁ ପାକିସ୍ତାନ ନ ମୁକୁଳିବା ଯାଏ ଭାରତ ପ୍ରସ୍ତୁତ ହୋଇରହିବ।
ସୋମବାର ଦୁଇ ଦେଶର ଡିଜିଏମ୍‌ଓ ସ୍ତରୀୟ ବୈଠକରେ ତିନିଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ତଦନୁସାରେ ସୀମାରେ ଗୋଟିଏ ମଧ୍ୟ ଗୁଳି ଫୁଟିବ ନାହିଁ, ସୀମାନ୍ତରେ ଉତ୍ତେଜନା ହ୍ରାସ ସହ ଆଗୁଆ ଅଞ୍ଚଳରୁ ଦୁଇ ପକ୍ଷ ସୈନ୍ୟସାମନ୍ତ ପ୍ରତ୍ୟାହାର କରିବେ। ଏହା ସତ୍ତ୍ବେ ଏହି ଅଗ୍ରଲେଖ ଲେଖିବାବେଳକୁ ଜାମ୍ମୁ-କାଶ୍ମୀରର ସାମ୍ବା ଓ ଆଉ କେତେକ ଅଞ୍ଚଳରେ ପାକିସ୍ତାନୀ ଡ୍ରୋନ୍‌ର ଉଡ଼ାଣ ଓ ବିସ୍ଫୋରଣର ଶବ୍ଦ ଶୁଭୁଥିବାର ରିପୋର୍ଟ ମିଳିଛି। ମୋଦୀ ତ କହିଛନ୍ତି ଯେ ସାମରିକ କାର୍ଯ୍ୟାନୁଷ୍ଠାନ ସରିନାହିଁ; ଏହା କେବଳ ସ୍ଥଗିତ ରହିଛି। ସେଥିରୁ ପାକିସ୍ତାନ କ’ଣ ବୁଝୁଛି ଏବେ ଦେଖାଯାଉ। ଯୁଦ୍ଧ ନା ଶାନ୍ତି କ’ଣ ଆବଶ୍ୟକ ତାହା ଏବେ ବିଶ୍ବର ଶରଣାପନ୍ନ ହୋଇଥିବା ପାକିସ୍ତାନ ଉପରେ ନିର୍ଭର କରେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories