www.samajalive.in
Sunday, December 7, 2025
23.1 C
Bhubaneswar

ଆଧୁନିକତାର ପରିଭାଷା

ଭୁବନେଶ୍ଵର:   ଏକବିଂଶ ଶତାବ୍ଦୀର ମଣିଷ ଆଧୁନିକତାର ଶୀର୍ଷରେ ପହଞ୍ଚିଛି ବୋଲି ଦାବି କରୁଛି। ମଣିଷ ପାଖରେ ଆଜି ସବୁ ପ୍ରକାର ଆମୋଦ ପ୍ରମୋଦ, ଧନ, ସମ୍ପତ୍ତି, ପ୍ରାଚୁର୍ଯ୍ୟ ସବୁ କିଛି ବିଦ୍ୟମାନ। ବୈଜ୍ଞାନିକ ଉଦ୍ଭାବନ ସାଙ୍ଗକୁ ମହାକାଶରେ ପଦାର୍ପଣ କରିବା, ଚନ୍ଦ୍ରପୃଷ୍ଠରେ ଜୀବନ ଜିଜ୍ଞାସା, ଭିତ୍ତିଭୂମିର ବିକାଶ, ରାଷ୍ଟ୍ରମାନଙ୍କର କ୍ଷମତାର ବୃଦ୍ଧି ସାଙ୍ଗକୁ ନାରୀ ସ୍ବାଧୀନତା, ସାମାଜିକ ପରିବର୍ତ୍ତନ, ଶିକ୍ଷାର ପ୍ରସାର ସବୁ କ୍ଷେତ୍ରରେ ସଫଳତାର ବାନା ଉଡାଇ ନିଜକୁ ଆଧୁନିକ ବୋଲି ଦାବି କରିବାର ପ୍ରୟାସ କରୁଛି ମଣିଷ। ସାଧାରଣ ମଣିଷର ଚାଲିଚଳନ ଆଧୁନିକ କହୁଥିବା ମଣିଷର ପସନ୍ଦ ଆସୁ ନାହିଁ। ସାଧାରଣ ମଣିଷ ଆଧୁନିକତାର ବହୁ ପଛରେ ରହିଯାଉଛି। ଥରେ ଗୋଟେ ମହାବିଦ୍ୟାଳୟରେ ‘ପଞ୍ଚାୟତିରାଜ ବ୍ୟବସ୍ଥା’ ସମ୍ବନ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ସେଠାକୁ ଜଣେ ସମିତି ସଭ୍ୟାଙ୍କୁ ମୁଖ୍ୟବକ୍ତା ଭାବରେ ନିମନ୍ତ୍ରିତ କରଯାଇଥିଲା। ତାଙ୍କୁ ଦେଖି କିଛି ଅଧ୍ୟାପକ ବନ୍ଧୁ ତାଚ୍ଛଲ୍ୟ କରିଥିଲେ ଏବଂ କହିଥିଲେ, ‘ସେ କ’ଣ କହିବ।’ ଆଲୋଚନାକୁ ଛାତ୍ରୀମାନେ ସାଜସଜ୍ଜା ହୋଇ ଆସିଥିଲେ; କିନ୍ତୁ ସମିତି ସଭ୍ୟା ଭଲ ଲୁଗା ଖ​‌େ​‌ଣ୍ଡ ବି ପିନ୍ଧି ନଥିଲେ। ଆଲୋଚନାଚକ୍ର ଆରମ୍ଭ ହେଲା। ପ୍ରଥମେ ଛାତ୍ରୀମାନଙ୍କୁ କୁହାଗଲା କହିବା ପାଇଁ। ସେମାନେ କେହି ସାହସ କଲେ ନାହିଁ l ତେଣୁ ମୁଖ୍ୟବକ୍ତାଙ୍କୁ କୁହାଗଲା କହିବା ପାଇଁ l ଦେହରେ ଭଲ ଲୁଗା ନ ଥିବା ଓ କଲେଜ ମାଟି ମାଡି ନ ଥିବା ସମିତି ସଭ୍ୟା ଛିଡା ହୋଇ କହିଲେ, ‘ପିଲାମାନେ ତମେମାନେ ଏତେ ପାଠ ପଢିଛ, ଭଲ ଡ୍ରେସ ପିନ୍ଧିଛ, ମାତ୍ର ତମ ମୁହଁରେ ଦୁଇପଦ କହିବାର ଶକ୍ତି ନାହିଁ; କିନ୍ତୁ ମୁଁ ପାଠଶାଠ ବେଶୀ ପଢିନାହିଁ, ମୁଁ ଆଜି ସାହସର ସହିତ ଛିଡା ହୋଇଛି ଦୁଇ ପଦ କହିବା ପାଇଁ l’ ତା’ ପରେ ସେ ପ୍ରାୟ ୪୦ ମିନିଟ ପଞ୍ଚାୟତ ବ୍ୟବସ୍ଥା ଉପରେ କହିଲେ। ଏହା ହିଁ ଆଜିର ପ୍ରଶ୍ନ। କଲେଜର ପାଠୁଆ ଝିଅମାନେ ବନାମ ସାଧାରଣ ମହିଳା ସମିତି ସଭ୍ୟା ମଧ୍ୟରୁ କିଏ ଆଧୁନିକ? ଆଧୁନିକତାର ପ୍ରକୃତ ଅର୍ଥ ନିରୂପଣ ଆଜିର ଆବଶ୍ୟକତା। ଆଧୁନିକତାର ପ୍ରକୃତ ଅର୍ଥ ହେଲା ପ୍ରଜ୍ଞାଯୁକ୍ତ, ଧୀଶକ୍ତି ଓ ବାକ୍‌ଶକ୍ତିବାନ ହେବା; ଖାଲି ରୂପକୁ ସାଜସଜ୍ଜା କଲେ ହେବ ନାହିଁ।
ପାଶ୍ଚାତ୍ୟ ଦେଶରେ ଆଧୁନିକତା ଚତୁର୍ଦଶ ଶତାବ୍ଦୀରୁ ଆରମ୍ଭ ହେଲାଣି। ଏହାର ଅର୍ଥ ହେଲା ଯେ ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତକ ପରିବର୍ତ୍ତନ; ଆଧୁନିକତା ସବୁବେଳେ ବିବେକ, ଜ୍ଞାନ ଓ ଯୁକ୍ତିଯୁକ୍ତ ମତ, ତତ୍ତ୍ବ ଓ ତଥ୍ୟକୁ ଗ୍ରହଣ କରେ। ବିବେକ ଓ ଜ୍ଞାନ ହେଉଛି ଆଧୁନିକତାର ଭିତ୍ତିଭୂମି l ଦାର୍ଶନିକ ରେନେ ଦେକାର୍ତ୍ତେ ଓ ଇମାନୁଏଲ କାଣ୍ଟ ମତ ଦେଇଥିଲେ ଯେ ମଣିଷ ତା’ର ଜ୍ଞାନ, ତର୍କଶକ୍ତି, ପ୍ରଜ୍ଞା ଦ୍ୱାରା ବିଶ୍ବକୁ ବୁଝିପାରିବ ଓ ପରିବର୍ତ୍ତନ ଆଣିପାରିବ। ସେହି ଦିନଠାରୁ ‘ଜ୍ଞାନୋଦୟର ଯୁଗ’ ବା ‘ଆଧୁନିକତାର ଯୁଗ’ ଆରମ୍ଭ ହୋଇଥିଲା। ଆଧୁନିକତାର ଆରମ୍ଭ ଏକ ନୂତନ ଯୁଗକୁ ଆମନ୍ତ୍ରଣ କରିଥିଲା। ଯେଉଁଥିରେ ଆଧୁନିକ ବିଜ୍ଞାନ, କାରିଗରୀ ଜ୍ଞାନକୌଶଳର ବିକାଶ ହେଲା ଯାହାକି ବିଶ୍ବକୁ ନୂତନ ଭାବେ ବୁଝିବାରେ ସହାୟକ ହେଲା। ପରେ ପରେ ପୁଞ୍ଜିବାଦ, ଶିଳ୍ପ ବିପ୍ଳବ ନଗରୀକରଣର ସୂତ୍ରପାତ ହେଲା। ଏ ସବୁର ପ୍ରଭାବ ରାଜନୈତିକ କ୍ଷେତ୍ରରେ ଜାତିଭିତ୍ତିକ ରାଷ୍ଟ୍ର ଗଠନ, ଗଣତାନ୍ତ୍ରିକ ଅନୁଷ୍ଠାନ, ପାର୍ଲାମେଣ୍ଟ, ଅମଲାତନ୍ତ୍ର ଇତ୍ୟାଦି ଗଠିତ ହେଲା।
ଭାରତର ଆଧୁନିକତା ଏହାର ବୈଜ୍ଞାନିକ ଓ କାରିଗରୀ ବିକାଶ ଯୋଗୁଁ ସମ୍ଭବ ହୋଇପାରିଛି l ବିଶେଷ କରି ସୂଚନା ପ୍ରଯୁକ୍ତିବିଦ୍ୟା, ମହାକାଶ ବିଜ୍ଞାନ ଓ ଗବେଷଣା, ବାୟୋଟେକ୍ନୋଲୋଜିର ଗୁରୁତ୍ବ ବଢିବା ଯୋଗୁଁ ଭାରତର ଆଧୁନିକୀକରଣ ତ୍ବରାନ୍ବିତ ହୋଇଛି ଏବଂ ବଡ ବଡ ସହର ସବୁ ଆଇଟି ହବ୍‌ରେ ପରିଣତ ହୋଇଛି l ଇଣ୍ଟରନେଟ ଓ ମୋବାଇଲ କାରିଗରୀ ବିଜ୍ଞାନ (ଟେକ୍ନୋଲଜି) ଭାରତୀୟଙ୍କ ଭିତରେ ସଂଯୋଗ ଯୋଡିଛି ଓ ଶିକ୍ଷା ବ୍ୟବସାୟ ଓ ଯାତାୟାତ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିଛି l ତେବେ ଭାରତର ଆଧୁନିକତା ଏକ ନିର୍ଦିଷ୍ଟ ଐକିକ ଢାଞ୍ଚାରେ ହୋଇନାହିଁ l ଅନ୍ୟ ଦେଶ ତୁଳନାରେ ଭାରତର ଆଧୁନିକତା ସ୍ବତନ୍ତ୍ର। ଏହା ପାଶ୍ଚାତ୍ୟ ଦେଶର ପ୍ରଭାବ ସହିତ ନିଜର ସ୍ବଦେଶୀ ପରମ୍ପରାର ଏକ ଅପୂର୍ବ ସମାବେଶ। ଏହା ସତ୍ତ୍ବେ ଭାରତରେ ଆଧୁନିକତାର ଅସଲରୂପ ଉଦ୍‌ଘାଟନ ହୋଇପାରୁନାହିଁ। ମଣିଷ କୁଆଡେ ଧାଉଁଛି, ତା’ର ଧନ ସମ୍ପତ୍ତି, ପ୍ରାଚୁର୍ଯ୍ୟ, ଅହମିକାପୂର୍ଣ୍ଣ ଆଧୁନିକତା ତାକୁ କୁଆଡ଼େ ନେଉଛି, ତାହା ସେ ବୁଝିବାରେ ବିଫଳ ହୋଇଛି। ଆଧୁନିକତାର ଅର୍ଥ ହେଲା ସୃଜନଶୀଳତାକୁ କଳା ଓ ବିଜ୍ଞାନ ମାଧ୍ୟମରେ ପ୍ରସ୍ଫୁଟିତ କରିବା। ସୃଜନଶୀଳ କଳା ସୃଷ୍ଟି ଦ୍ବାରା ମଣିଷର ସୃଜନଶକ୍ତି ବଢେ; କିନ୍ତୁ ସେ କଳା ନୈସର୍ଗିକ ହୋଇଥିବା ଉଚିତ। ପାଶ୍ଚାତ୍ୟ ଦେଶ ଓ ଭାରତବର୍ଷରେ କଳା ନାମରେ ଯେଉଁ ନଗ୍ନତା ସୃଷ୍ଟି କରାଯାଉଛି ତାହା ବିନାଶକାରୀ ଆଧୁନିକତା କହିଲେ ଅତ୍ୟୁକ୍ତି ହେବ ନାହିଁ।
ଆଧୁନିକତାର ଅର୍ଥ ହେଲା ପ୍ରଜ୍ଞାଯୁକ୍ତ ତର୍କ ଦ୍ବାରା ବ୍ୟବସ୍ଥାର ବିଶ୍ଳେଷଣ। ଏ କ୍ଷେତ୍ରରେ ପାଶ୍ଚାତ୍ୟ ଦେଶ ତୁଳନାରେ ଭାରତବର୍ଷ ପଛରେ ପଡ଼ିଛି କହିଲେ ଚଳେ; କାରଣ ଏବେ ବି ଯେଉଁମାନେ ନିଜକୁ ଆଧୁନିକ କହନ୍ତି ସେମାନେ ଜାତିପ୍ରଥା, ବର୍ଣ୍ଣବୈଷମ୍ୟ, ଲିଙ୍ଗବିଭେଦ, ଧାର୍ମିକ କୁସଂସ୍କାର ଇତ୍ୟାଦିରେ ବିଶ୍ବାସ କରନ୍ତି ଓ ସେଥିରେ ଭାଗୀଦାର ହୁଅନ୍ତି। ସାମାଜିକ ସମାନତା ପ୍ରହେଳିକାରେ ପରିଣତ ହୋଇଛି l ବଡ ବଡ ଆଧୁନିକ ସହରରେ ନାରୀସୁରକ୍ଷା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଗୋଟେ ପଟେ ନାରୀ ସ୍ବାଧୀନତାର ବାନା ଉଡୁଛି, ଅନ୍ୟପଟେ ଧର୍ଷଣ, ନିର୍ଯାତନା, ହତ୍ୟା ଆଧୁନିକତାକୁ ଉପହାସ କରୁଛି l
ତେଣୁ ଯୁବପିଢିକୁ ଆଜିର ଶିକ୍ଷା ବ୍ୟବସ୍ଥାରେ କେବଳ ଜ୍ଞାନକୌଶଳ କାରିଗରୀଭିତ୍ତିକ ଶିକ୍ଷା ହେଲେ ଯଥେଷ୍ଟ ହେବ ନାହିଁ; ତା’ ସହିତ ସେମାନଙ୍କୁ ଶୃଙ୍ଖଳିତ, ଦାୟିତ୍ବବାନ ହେବା ପାଇଁ ଶିକ୍ଷା ଦିଆଯିବା ଉଚିତ। ପ୍ରକୃତ ଆଧୁନିକତା ବିଜ୍ଞାନ ବା କାରିଗରୀ ଜ୍ଞାନ କୌଶଳ, ଧନ ସମ୍ପତ୍ତିର ବିକାଶକୁ ବୁଝାଏ ନାହିଁ। ଏହା ସହିତ ନୈତିକ ମୂଲ୍ୟବୋଧ ପ୍ରତିଷ୍ଠା ହେବା ଦରକାର ଯାହା କି ଆମ ବ୍ୟବହାରକୁ ନିୟନ୍ତ୍ରଣ କରିବ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories