କେନ୍ଦୁଝରସଦର: କେନ୍ଦୁଝର ଏଡିଜେ କୋର୍ଟର ବିଚାରପତି ମମିତା ଦାସ ଏକ ହତ୍ୟା ମାମଲାର ବିଚାର କରି ୱେଷ୍ଟସିଂଭୁମ ଜିଲା ମଞ୍ଜହରି ଥାନା ଅନ୍ତର୍ଗତ ଦୁବିଲା ଗ୍ରାମର ଅଭିଯୁକ୍ତ ଅମର ସିଂ ବିରୁଆ(୩୫)ଙ୍କୁ ଆଜୀବନ କାରାଦଣ୍ତରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ତାଦେଶ ଶୁଣାଇଛନ୍ତି।
୨୦୧୫ ମସିହା ମାର୍ଚ୍ଚ ୨୫ରେ ବାଂଶପାଳ ବ୍ଲକ ସୁଣ୍ତୁରା ଗ୍ରାମର ରାମଚନ୍ଦ୍ର ନାଏକ ଘରେ କାହାକୁ ନ ଜଣାଇ କୁଆଡେ ଚାଲିଯାଇଥିଲେ। ପରିବାର ଲୋକେ ବହୁଖୋଜା ଖୋଜି ପରେ ବସନ୍ତପୁର ରାସ୍ତାରେ ତାଙ୍କର ଗଳିତ ମୃତଦେହ ପଡ଼ିଥିବାବେଳେ ପୁଅମାନେ ଦେଖି ଚିହ୍ନିଥିଲେ। ୨୦୧୫ ମସିହା ମାର୍ଚ୍ଚ ୩୧ରେ ପୁଅ ମନ ନାଏକ କେନ୍ଦୁଝର ନୟାକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ କେସ୍ ନଂ ୧୩/୧୫ରେ ମାମଲା ରୁଜୁ କରି ତଦନ୍ତ ଚଳାଇବାସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମଙ୍ଗଳବାର କେନ୍ଦୁଝର ଏଡିଜେ କୋର୍ଟ ବିଚାରପତି ମମିତା ଦାସ ୧୯ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ଅମରକୁ ଦୋଷୀ ସାବ୍ୟସ୍ତ କରି ହତ୍ୟା ମାମଲାରେ ଉପରୋକ୍ତ ଦଣ୍ତାଦେଶ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ପ୍ରଫୁଲ୍ଲ କୁମାର ପାତ୍ର ମାମଲା ପରିଚାଳନା କରିଥିଲେ।



