www.samajalive.in
Saturday, December 6, 2025
26.1 C
Bhubaneswar

ପରିବେଶ ସୁରକ୍ଷା କାହା ଦାୟିତ୍ଵ ?

ଭୁବନେଶ୍ଵର: ରାଜ୍ୟର ଗ୍ରାମାଞ୍ଚଳର ବିଲବାଡ଼ିରେ କାଚ ମଦ ବୋତଲ ବିକ୍ଷିପ୍ତ ଭାବେ ପଡ଼ୁଥିବା ବିଷୟ ଗତ ବିଧାନସଭା ଅଧିବେଶନ ସମୟରେ ଚମ୍ପୁଆ ବିଧାୟକ ଉଲ୍ଲେଖ କରିଥିଲେ। ଏହା ଏକ ବାସ୍ତବ ବିଷୟ। ତେବେ ଏହାର ଉତ୍ତରରେ ରାଜ୍ୟ ଆଇନ ଓ ଅବକାରୀ ମନ୍ତ୍ରୀ କହିଥିଲେ ଯେ ପ୍ଲାଷ୍ଟିକ ବୋତଲରେ ମଦ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଉଛି। ତେବେ କି ପ୍ରକାର ବୋତଲରେ ମଦ ଯୋଗାଣ କରାଯିବ ତାହା ମନ୍ତ୍ରୀ ନିର୍ଦ୍ଧାରଣ କରିପାରିବେ କି ନାହିଁ ସେ ସମ୍ପର୍କରେ ନଜାଣି କେବଳ ଏକ ଉତ୍ତର ରଖିବା ପାଇଁ ଏହା କହିଥିବା ପରି ମନେହୁଏ। ବିଧାୟକଙ୍କ ମନ୍ତବ୍ୟକୁ ଗୁରୁତର ଭାବେ ଗ୍ରହଣ କରାଯିବାର ସମୟ ଏବେ ଆସିଛି। ଗ୍ରାମାଞ୍ଚଳର ବିଲବାଡ଼ି, ଜଳାଶୟରେ ଏବେ ମଦ ବୋତଲର ଆସ୍ତରଣ ଅସ୍ୱଚ୍ଛ ପରିବେଶ ସୃଷ୍ଟି କରିବା ସହ ଜଳଜୀବଙ୍କ ପାଇଁ ବିପଦର କାରଣ ହେଲାଣି। ମଦ ପିଇ ସାରି ଭଙ୍ଗା ଟିଣ, କାଚ ଓ ପ୍ଲାଷ୍ଟିକ ବୋତଲ ଯେଉଁଠି ଇଚ୍ଛା ସେଠି ପକାଇ ଦିଆଯାଉଛି। ଏହା ସଂସ୍ପର୍ଶରେ ଆସି ଚାଷୀ, ମୂଲିଆ ଓ ଗୃହପାଳିତ ପଶୁ କ୍ଷତାକ୍ତ ହେଉଥିବା ଦେଖାଯାଉଛି। ସୁରା ପାନର ବିଳାସ ମଧ୍ୟରେ ପରିବେଶ ପ୍ରତି ଯେଉଁ ବିପଦ ଆରମ୍ଭ ହୋଇଛି ତାହା ଆଗକୁ ବଢ଼଼ିବାର ଆଶଙ୍କା ରହିଛି। ଏ କଥା ଆମେ ସମସ୍ତେ ହୃଦ୍‌‌ବୋଧ କରିବା ଉଚିତ୍‌‌। ସରକାର ଏହାର ନିରାକରଣ କରିପାରିବେ କି ? ଏହାର ଉତ୍ତର ନା। ଏ ସମସ୍ୟାର ସମାଧାନ ସରକାର କରିପାରିବେ ନାହିଁ। ଏହାର ସମାଧାନର ସୂତ୍ର ଜନତାଙ୍କ ହାତରେ ରହିଛି। ଏଥିପାଇଁ ଜନସାଧାରଣଙ୍କୁ ସଚେତନ ହେବାକୁ ପଡ଼ିବ।
ଗତ ଡିସେମ୍ବର ମାସରେ ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକରେ ରାସ୍ତା ପାର୍ଶ୍ବରେ ପଡ଼ିଥିବା ଏକ ପ୍ଲାଷ୍ଟିକ ପୁଡ଼ିଆକୁ ଖାଦ୍ୟ ଭାବି ଖାଇବା ସମୟରେ ଗାଈ ପାଟି ଭିତରେ ବିସ୍ଫୋରଣ ଘଟିଲା। ଫଳରେ ପଶୁର ଦାନ୍ତ ଓ ମାଢ଼ି ନଷ୍ଟ ହୋଇଗଲା। ଅର୍ଥାତ୍‌ ସେଇ ପୁଡ଼ିଆଟି ମଧ୍ୟରେ ବିସ୍ଫୋରକ ସାମଗ୍ରୀ ରହିଥିଲା। ଅନ୍ୟ ଏକ ଘଟଣାରେ ୨୦୨୪ ମସିହା ଫେବୃଆରୀ ମାସରେ ରାଜଧାନୀ ନିକଟବର୍ତ୍ତୀ ଚନ୍ଦକା ବନ୍ୟପ୍ରାଣୀ ଅଭୟାରଣ୍ୟର ଭରତପୁର ନିକଟରେ ଏକ ୧୫ ବର୍ଷୀୟ ହାତୀ ଖାଦ୍ୟଦ୍ରବ୍ୟ ସହ ବିସ୍ଫୋରକ ଖାଇ ପ୍ରାଣ ହରାଇଥିଲା। ବିସ୍ଫୋରଣ ଯାଗୁଁ ହାତୀର ଦାନ୍ତ ଓ ଜିଭ ନଷ୍ଟ ହୋଇଯାଇଥିଲା। ବନ୍ୟପ୍ରାଣୀ ଶିକାର ପାଇଁ କୌଣସି ବ୍ୟକ୍ତି ଏହି ବିସ୍ଫୋରକ ନିକ୍ଷେପ କରିଥାଇପାରେ; କିନ୍ତୁ ପରିବେଶ ସ୍ୱଚ୍ଛତା ପାଇଁ ଏହା କେତେ ବିପଦଜନକ ଓ ଏହାର ପରିଣତି କେତେ ନିଷ୍ଠୁର ତାହା ସମ୍ପୃକ୍ତ ବ୍ୟକ୍ତି ଭାବିବା ଉଚିତ୍‌‌। ବିସ୍ଫୋରକ ସାମଗ୍ରୀ ଏଣେତେଣେ ପକାଇବା ଉଚିତ ନୁହେଁ; କିନ୍ତୁ ଲୋକେ ପକାଉଛନ୍ତି।
କଥା ଅଛି ‘ଗାଁ ପରିମଳ ଧୋବା ତୁଠରୁ’; ଅର୍ଥାତ୍‌ ଗାଁଟି କେତେ ନିର୍ମଳ ଅଛି, ପରିବେଶ ପରିଷ୍କାର ପରିଚ୍ଛନ୍ନ ରହିଛି ନା ନାହିଁ, ତାହା ବହିରାଗତ ଆଗନ୍ତୁକ ଗ୍ରାମକୁ ପ୍ରବେଶ କରିବା ସମୟରେ ଧୋବା ତୁଠକୁ ଲକ୍ଷ୍ୟ କରି ଜାଣିପାରିଥାନ୍ତି। ଗ୍ରାମାଞ୍ଚଳରେ ଧୋବା ତୁଠ ହେଉଛି ଜଳାଶୟର ଏକ ସ୍ୱତନ୍ତ୍ର ସ୍ଥାନ ଯେଉଁଠାରେ ରଜକ ଗ୍ରାମବାସୀଙ୍କ ବସ୍ତ୍ର ସଫେଇ କରିଥାନ୍ତି। ଏହା ଏବେ ଅତୀତର କଥା। ସମ୍ପ୍ରତି ଘରେ ବସ୍ତ୍ରସଫା ଯନ୍ତ୍ର ରହିଲାଣି। ଏବେ ଉନ୍ମୁକ୍ତ ଜଳଉତ୍ସ ମଧ୍ୟ ସଙ୍କୁଚିତ ହୋଇ ଆସିଲାଣି। ଏଣୁ ନଈ ଘାଟ ପରି ଧୋବା ତୁଠ ମଧ୍ୟ ବନ୍ଦ ହୋଇଗଲାଣି। ସମୟକ୍ରମେ ରଜକ ମଧ୍ୟ ଲୁଗା ସଫା ବୃତ୍ତି ଛାଡ଼ି ଅନ୍ୟ ବୃତ୍ତି ଆପଣେଇଲେଣି। ଏକଦା ଦଶାହ ଶୁଦ୍ଧିକ୍ରିୟା ତୁଠର ପାଲଟା କପଡ଼ା ରଜକ ନେଉଥିଲେ। ଏବେ ସେ କପଡ଼ା ନେବାର ଆଉ ଆବଶ୍ୟକତା ପଡ଼ୁନାହିଁ। କୌଳିକ ବୃତ୍ତିରେ ପରିବର୍ତ୍ତନ ଘଟିଛି। ଆର୍ଥିକ ଅବସ୍ଥାରେ ଉନ୍ନତି ହୋଇଛି। ଏହା ସ‌େ‌ତ୍ତ୍ବ ପରମ୍ପରା କ୍ରମେ ଆମେ କୌଣସି ଜଳାଶୟ ନିକଟରେ ଶୁଦ୍ଧିକ୍ରିୟା ସମାପ୍ତ ପରେ ନୂଆ ବସ୍ତ୍ର ପରିଧାନ କରି ପାଲଟା ବସ୍ତ୍ର ଜଳାଶୟ ନିକଟରେ ପକାଇ ଦେଉ ଆସୁଛୁ। ଏହି ବସ୍ତ୍ର ସେହି ସ୍ଥାନରେ ପଡ଼ିରହୁଛି। ଏହା ପବନରେ ଉଡ଼ୁଛି ତ, କେତେବେଳେ ପାଣିରେ ଭାସୁଛି। ରାଜ୍ୟର ବହୁ ଜଳାଶୟ ନିକଟରେ ଏ ପ୍ରକାର ସ୍ଥିତି ଏବେ ପରିଲକ୍ଷିତ ହେଉଛି, ଯାହା ଏକ ଅସ୍ୱଚ୍ଛ ପରିବେଶ ସୃଷ୍ଟି କରୁଛି। ଏଣୁ ପରିବର୍ତ୍ତିତ ବ୍ୟବସ୍ଥାକୁ ଚାହିଁ ପରମ୍ପରାରେ ପରିବର୍ତ୍ତନ ହେବା ଆବଶ୍ୟକ। ଏହି ବସ୍ତ୍ର ଏବେ ଜଳାଶୟ ନିକଟରେ ନିକ୍ଷେପ ନକରି ଜନସାଧାରଣ ନିଜେ ଏହାକୁ ପୁନଃ ବ୍ୟବହାର କରିବା ଆବଶ୍ୟକ ବା ନିଜ ଉଦ୍ୟମରେ ଏହାକୁ ନଷ୍ଟ କରିବା ଉଚିତ। ପରିବେଶ ଅସ୍ୱଚ୍ଛ କରିବାରେ ପରମ୍ପରାକୁ ଅନେକାଂଶରେ ଦାୟୀ କରାଯାଇପାରେ।
ଆମ ଦେଶ ବା ରାଜ୍ୟ ଗ୍ରାମବହୁଳ ଅଟେ। ଗ୍ରାମକୁ ଘେରି ରହିଥାଏ ସୁନ୍ଦର ପ୍ରାକୃତିକ ପରିବେଶ। ନଈ, ପୋଖରୀ, ଚାଷଜମି, ବୃକ୍ଷଲତା, ଉଦ୍ୟାନ ମଧ୍ୟରେ ରହିଥାଏ ଗ୍ରାମ ପରିବେଶ। ଜୀବନ ଶୈଳୀରେ ପରିବର୍ତ୍ତନ ଓ ଆର୍ଥିକ ଉତ୍‌‌ଥାନ ଫଳରେ ଗ୍ରାମ୍ୟ ପରିବେଶ କ୍ରମଶଃ ନଷ୍ଟ ହେବାକୁ ଆରମ୍ଭ ହେଲାଣି। ପଞ୍ଚାୟତରେ ପ୍ରତିଷ୍ଠା ହେଲାଣି କଲ୍ୟାଣମଣ୍ଡପ। ଏଠାରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଭୋଜିରେ ଆଉ ପତ୍ର ଉପଯୋଗ ହେଉନାହିଁ। ଫଳରେ ସହରାଞ୍ଚଳ ପରି ପ୍ଲାଷ୍ଟିକ ପାଣି ବୋତଲ, ଗ୍ଲାସ, ଥର୍ମୋକୁଲ ଠୋଲା ଓ ଥାଳି ଆଦିର ବ୍ୟବହାର କରାଯାଉଛି। ଭୋଜି ପରେ ଏଗୁଡ଼ିକ ସେହି ସ୍ଥାନରେ ଛାଡ଼ି ଦିଆଯାଉଛି ବା ରାସ୍ତା କଡ଼ରେ ଖୋଲା ସ୍ଥାନରେ ଗଦେଇ ଦିଆଯାଉଛି। ପରବର୍ତ୍ତୀ ସମୟରେ ଏଗୁଡ଼ିକ ପବନରେ ଉଡ଼ି ଆଖପାଖ ବିସ୍ତୀର୍ଣ୍ଣ ଅଞ୍ଚଳର ପରିବେଶକୁ ନଷ୍ଟ କରୁଥିବା ଦେଖାଯାଉଛି। ପଲିଥିନ ଜରିର ବ୍ୟବହାର ବୃଦ୍ଧି ପାଇଚାଲିଛି। ସହରାଞ୍ଚଳରେ କଠିନ ବର୍ଜ୍ୟ ସଂଗ୍ରହ / ନଷ୍ଟ କରିବା ନିମନ୍ତେ ସ୍ୱାୟତ୍ତ ଶାସନ ସଂସ୍ଥା ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଗ୍ରାମାଞ୍ଚଳରେ ଏ ବ୍ୟବସ୍ଥା ନାହିଁ। ଏହି କାରଣରୁ ସହରାଞ୍ଚଳ ତୁଳନାରେ ଗ୍ରାମ ପରିବେଶ ଅଧିକ ଅସ୍ୱଚ୍ଛ ହେବାରେ ଲାଗିଛି। ଆଗକୁ ଏହା ଏକ ମାରାତ୍ମକ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି।
ଏମିତି ଦେଖିବାକୁ ଗଲେ ପରିବେଶ ସୁରକ୍ଷା ବା ସ୍ୱଚ୍ଛ ପରିବେଶ ଏକ ମାନସିକତା। ପରିବେଶ ସ୍ୱଚ୍ଛ ରହିଲେ ଜୀବନ ଧାରଣ ମାନର ସୂଚକାଙ୍କ ବୃଦ୍ଧି ପାଇବ। ପ୍ରାଚୀନ ପୁସ୍ତିକା ଓଡ଼ିଆ ‘ଲକ୍ଷ୍ମୀ ପୁରାଣ’ରୁ ଏହା ଆମେ ଜାଣିବା ଆବଶ୍ୟକ। ସ୍ୱଚ୍ଛତା ପାଇଁ ଦିନେ ନୀଚ ବୃତ୍ତି କରି ସ୍ୱଳ୍ପ ଆୟ କରୁଥିବା ଶ୍ରୀୟାର ଘର ପରିପୂର୍ଣ୍ଣ ହୋଇଥିଲା। ବଳରାମ ଦାସଙ୍କର ଏହି ବାର୍ତ୍ତା ଏବେ ବି ଆମ ଠାକୁର ଘରେ ରହିଛି। ଏହି ବିଷୟବସ୍ତୁ ଏକ କଳ୍ପନା ହୋଇପାରେ, କିନ୍ତୁ ବାର୍ତ୍ତା ବେଶ୍‌ ସ୍ପଷ୍ଟ ଓ ସୁଦୂରପ୍ରସାରୀ। ଏବେ ଆମ ଆଖପାଖକୁ ଦେଖିଲେ ଏହାର କାର୍ଯ୍ୟକାରିତା ନଥିବା ପରି ମନେ ହୁଏ।
ଏଣୁ ସ୍ୱଚ୍ଛତାର ବାର୍ତ୍ତା ଅତୀତରେ ଥିଲା, ଏବେ ରହିଛି; କିନ୍ତୁ ଜନ ସଚେତନତା ସ୍ତର କେତେ ବୃଦ୍ଧି ପାଉଛି ତାହା ଲକ୍ଷ୍ୟ କରିବାର ଆବଶ୍ୟକତା ରହିଛି। ଘଟଣାରୁ ଜଣାପଡ଼ୁଛି ଶିକ୍ଷା ବଢ଼଼ିଛି, ସଚେତନତା ବୃଦ୍ଧି ପାଉ ନାହିଁ। ଏଠାରେ ଏକ ଉଦାହରଣ ଦିଆଯାଇପାରେ। ୧୯୮୦ ଦଶକରେ କଟକ ଜିଲାର କଣ୍ଟାପଡ଼ା ବ୍ଲକରେ ଗ୍ରାମ ସଫେଇ ଓ ଚାରା ରୋପଣରୁ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମୂଳଦୂଆ ପଡ଼ିଥିଲା। ନେତାଜୀ ସ୍ମାରକୀ ପାଠାଗାର ଭାବେ ନାମିତ ଏହି ଅନୁଷ୍ଠାନର ତତ୍କାଳୀନ ସ୍ୱେଚ୍ଛାସେବୀଗଣ ଏବେ ପ୍ରାୟତଃ ଷାଠିଏ ବର୍ଷ ଅତିକ୍ରାନ୍ତ କଲେଣି। ୨୦୨୪ ମସିହାରେ ହଠାତ୍‌‌ ଦେଖିବାକୁ ମିଳିଲା ସେମାନେ ଗାଁ କେନାଲ ରାସ୍ତା ସଫେଇରେ ମନୋନିବେଶ କରିଛନ୍ତି। ଏହା ବୋଧହୁଏ ସେମାନଙ୍କ ସହଜାତ ପ୍ରବୃତ୍ତି ଥିଲା। ପୂର୍ବରୁ ବିଦ୍ୟାଳୟ ସଫେଇ ଛାତ୍ରଛାତ୍ରୀଙ୍କ ଦ୍ୱାରା ହେଉଥିଲା। ସରକାର ଏହାକୁ ବନ୍ଦ କରିଦେଲେ। ଗ୍ରାମ ସଫେଇ ଯୁବକ ସଂଘ ବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ହେଉଥିଲା। ଏହା ଦ୍ୱାରା ସ୍ୱଚ୍ଛତା ସମ୍ପର୍କରେ ଏକ ସାର୍ବଜନୀନ ପରିବେଶ ସୃଷ୍ଟି ହୋଇପାରୁଥିଲା। ପିଲା ଦିନରୁ ଛାତ୍ରଟିଏ ସ୍ୱଚ୍ଛତା ଓ ନିଜ ପରିବେଶ ସମ୍ପର୍କରେ ଜାଣିପାରୁ ଥିଲା। କ’ଣ ପାଇଁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଶୌଚାଳୟ ସଫା କରିବେ ନାହିଁ ? ସ୍ୱଚ୍ଛତା ଶିକ୍ଷକ, କର୍ମଚାରୀ କରିବେ; ଛାତ୍ରଛାତ୍ରୀ ଉପଭୋଗ କରିବେ। ଏ ପ୍ରକାର ସରକାରୀ ନୀତିକୁ ଶିକ୍ଷାବିହୀନ ପାଠ ବୋଲି କୁହାଯାଇପାରେ। ଆସନ୍ତାକାଲିର ନାଗରିକ ପରିବେଶ ଓ ସ୍ୱଚ୍ଛତା ପ୍ରତି ବିମୁଖ ରହିବାର କାରଣ ହିଁ ସରକାରୀ ନୀତି। ବାସ୍ତବରେ ପରିବେଶ ସୁରକ୍ଷା ଏକ ବ୍ୟାବହାରିକ କଥା, ପାଠ୍ୟକ୍ରମ ବିଷୟବସ୍ତୁରେ ସୀମିତ ନୁହେଁ। ଦେଶରେ ସ୍ୱଚ୍ଛ ଭାରତ ଅଭିଯାନରେ ୨୦୧୪- ୨୦୨୪ ମସିହା ମଧ୍ୟରେ ପ୍ରାୟ ୯୦ ହଜାର କୋଟି ବ୍ୟୟ ହୋଇ ସାରିଲାଣି। ଏଥିମଧ୍ୟରୁ ସ୍ୱଚ୍ଛତା ସମ୍ପର୍କରେ ସଚେତନତା, ଶିକ୍ଷା ଓ ସୂଚନା ବାବଦକୁ ପ୍ରାୟ ୧ ହଜାର କୋଟି ଟଙ୍କା ବ୍ୟୟ ହୋଇଛି। ଏହା ସତ୍ତ୍ବେ ସଚେତନତା ହାର ନିରୁତ୍ସାହଜନକ ଥିବା ପରି ମନେ ହେଉଛି।
ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବେଠାରୁ ପ୍ରତି ଗ୍ରାମରେ ଗଠନ ହେଉ ପରିବେଶ ସମିତି। ସରକାରୀ ପୃଷ୍ଠପୋଷକତାରେ ଗ୍ରାମରେ ନିଯୁକ୍ତି କରାଯାଉ ସ୍ୱଚ୍ଛ/ ପରିବେଶ ମିତ୍ର। ଗାଁ ପରିମଳ ଦାୟିତ୍ୱ ସ୍ୱଚ୍ଛ ମିତ୍ରଙ୍କ ଉପରେ ନ୍ୟସ୍ତ କରାଯାଉ। ଗ୍ରାମାଞ୍ଚଳରୁ କଠିନ ଓ ଅଣଜୈବ ବିଘଟିତ ଦ୍ରବ୍ୟ ସଂଗ୍ରହ ପାଇଁ ପଞ୍ଚାୟତକୁ ଦାୟିତ୍ୱ ଦିଆଯାଉ। ଏହା ହେଲେ ପରିବେଶ ଅସ୍ୱଚ୍ଛତା ଅନ୍ତତଃ ଆଉ କିଛି ଦିନ ବିଳମ୍ବିତ ହୋଇଯିବ, ନଚେତ୍‌‌ ଖୁବ୍‌‌ ଶୀଘ୍ର ଚାଷ ଜମି ବର୍ଜ୍ୟ ଖାତରେ ପରିଣତ ହୋଇଯିବ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories