ସମାଜ ଡିଜିଟାଲ ଡେସ୍କ: ମିଛରେ ଏତେଲା ଦେଲେ ମା’। ହେଲେ ସତରେ ପୁଅକୁ ବାନ୍ଧିନେଲା ପୁଲିସ। ମିଛି ମିଛିକା ଏତଲା ମା’ପୁଅଙ୍କ ପାଇଁ ହୋଇଛି ମହଙ୍ଗା। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଫକୀରପୁର ଗାଁରେ।
ସୂଚନା ଅନୁସାରେ, ଘରୁ ମୁଖାପିନ୍ଧା ଦୁର୍ବୃତ୍ତ ସୁନା ଅଳଙ୍କାର ଲୁଟ କରିନେଇଥିବା ସମ୍ପର୍କରେ ଜଣେ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗର ତଦନ୍ତ କରିବା ସମୟରେ କୌଣସି ଦୁର୍ବୃତ୍ତ ଚୋରି କରିଥିବା ମିଥ୍ୟା ବୋଲି ଜାଣିବାକୁ ପାଇଥିଲା। ମହିଳାଙ୍କ ପୁଅ ହିଁ ସୁନାଚେନ ନେଇ ବିକ୍ରି କରିଥିବା ପୁଲିସ ପର୍ଦ୍ଦାଫାଶ କରିଥିଲା ଏବଂ ତାଙ୍କୁ ଗିରଫ କରିଥିଲା। ପୁଅ ଗିରଫ ହେବା ଜାଣି ସତ ଓଗାଳିଥିଲେ ମହିଳା। ଅନଲାଇନରେ ଗେମ୍ ଖେଳିବା ପାଇଁ ପୁଅ ଘରୁ ସୁନା ଅଳଙ୍କାର ଚୋରି କରି ବିକ୍ରି କରିଦେଇଥିଲା। ମା’ ଏହା ଜାଣିବା ପରେ ବାପାଙ୍କ ଭୟରେ ସୁନା ଲୁଟ ହୋଇଥିବା ନେଇ ଥାନାରେ ମିଥ୍ୟା ଏତଲା ଦେଇଥିଲେ। ଯାହା ତାଙ୍କ ପାଇଁ ବୁମେରାଂ ପାଲଟିଗଲା। ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଥିବା ଜଣାପଡ଼ିଛି।



