ସମାଜ ଡିଜିଟାଲ ଡେସ୍କ: ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲାଞ୍ଚ ନେଇ ଘରକୁ ଫେରୁଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯାଜପୁର ଜିଲା କୁଆଖିଆ ସେକସନର ଜରକା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣା। ତାଙ୍କ ନିକଟରୁ ଭିଜିଲାନ୍ସ ଟିମ ୨ ଲକ୍ଷ ୩ ହଜାର ୯୪୦ ଟଙ୍କା ଜବତ କରିଛି।
ସୂଚନା ଅନୁସାରେ, କନିଷ୍ଠ ଯନ୍ତ୍ରୀ ଭୀମସେନ ଠିକାଦାରଙ୍କଠାରୁ ଲାଞ୍ଚ ନେଇ ନିଜ କାର୍ଯ୍ୟାଳୟରୁ ଜନ୍ମସ୍ଥାନ ଖୋର୍ଦ୍ଧା ଜିଲା ବାଲିଅନ୍ତାର ବେଣ୍ଟପୁରଶାସନକୁ ଫେରୁଥିବା ସମ୍ପର୍କରେ ଭିଜିଲାନ୍ସ ବିଭାଗକୁ ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଥିଲା। ତାହାକୁ ଆଧାର କରି ଭିଜିଲାନ୍ସର ଏକ ଟିମ ୧୬ ଜାତୀୟ ରାଜପଥର ଟାଙ୍ଗୀ ଟୋଲ ଗେଟ୍ ନିକଟରେ ଭୀମସେନଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ଗାଡ଼ିରୁ ୨ ଲକ୍ଷ ୩ ହଜାର ୯୪୦ ଟଙ୍କା ମିଳିଥିଲା। ଅଧିକାରୀମାନେ ଭୀମସେନଙ୍କୁ ଟଙ୍କାର ଉତ୍ସ ବିଷୟରେ ପଚାରିଥିଲେ। କିନ୍ତୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଭିଜିଲାନ୍ସ ଅଧିକାରୀମାନେ ଟଙ୍କା ସହିତ ଗାଡ଼ିକୁ ଜବତ କରିବା ସହିତ ପଚରାଉଚରା ପାଇଁ ସାଥୀରେ ନେଇଥିଲେ। ଏହା ପରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୀମସେନଙ୍କ ୩ଟି ଠିକଣାରେ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।



