ରାୟଗଡ଼ା: ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେବେ ରାୟଗଡ଼଼ା ଜିଲା ପଦ୍ମପୁର ପୁଲିସ ଚଢ଼ାଉ କରି ୧ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।
ବିଶେଷ ସୂତ୍ରରୁ ଖବର ମିଳିବା ପରେ ଜିଲା ଆରକ୍ଷୀ ଅଧୀକ୍ଷକ ସ୍ୱାତି ଏସ. କୁମାରଙ୍କ ନିର୍ଦ୍ଦେଶରେ ଶୁକ୍ରବାର ଗୁଣପୁର ଏସଡିପିଓ ବାବୁଲି ନାୟକ ଓ ପଦ୍ମପୁର ଥାନା ଅଧିକାରୀ ଧରଣୀଧର ପ୍ରଧାନଙ୍କ ନେତୃତ୍ଵରେ ଶାରିଗୁଡା କାଜୁ ଜଙ୍ଗଲରେ ପୁଲିସ ଚଢଉ କରିଥିଲେ। ଏହି ସମୟରେ ସେହି ଗାଁର ତିନି ଜଣ ବ୍ୟକ୍ତି ବିପୁଳ ପରିମାଣର ଗଂଜେଇ ବାହାର ରାଜ୍ୟକୁ ଚାଲାଣ ପାଇଁ ଗାଡିକୁ ଅପେକ୍ଷା କରିଥିବା ବେଳେ ପୁଲିସ ଟିମ ସେମାନଙ୍କୁ କାବୁ କରିଥିଲେ। ଯାଞ୍ଚ ବେଳେ ୪୩ଟି ଜରି ବସ୍ତାରେ ଥିବା ଗଂଜେଇକୁ ଜବତ କରିଛି ପୁଲିସ। ଏହି ମାମଲାରେ ପୁଲିସ ପଦ୍ମପୁର ଥାନା ଶାରିଗାଡା ଗାଁର ରେଲି ଶବର, ମାର୍କ ମାଝୀ ଓ ଅଶ୍ୱିନୀ ଶବରକୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ ଜବତ ହୋଇଛି। ପଦ୍ମପୁର ତହସିଲଦାର ତଥା ମାଜିଷ୍ଟ୍ରେଟ ଶଙ୍କର ବାଗଙ୍କ ଉପସ୍ଥିତିରେ ଗଂଜେଇ ଓଜନ କରାଯାଇଥିଲା। ଜବତ ଗଂଜେଇର ଓଜନ ୧୦ କୁଇଣ୍ଟାଲ ୨୦ କିଲୋଗ୍ରାମ। ଏହାର ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ କହିଛି। ଚଢଉରେ ପଦ୍ମପୁର ଥାନା ଏସଆଇ ହେମନ୍ତ କୁମାର ବରିହା, ନରସିଂହ ବେହେରା, କେନ୍ଦୁଗୁଡା ଫାଣ୍ଡି ଅଧିକାରୀ ଝସକେତନ ସାହୁଙ୍କ ସମେତ ଏପିଆର ଫୋର୍ସ ଓ ପୁଲିସ ଟିମ ସାମିଲ ଥିଲେ। ଏହି ଗଂଜେଇ ସେମାନେ ନିଜ ଗାଁରେ ଚାଷ କରିଥିଲେ। ଏହି ଗଂଜେଇ ମୁମ୍ବାଇ, ଦିଲ୍ଲୀ, କଲକାତାକୁ ଚାଲାଣ ହୋଇଥାନ୍ତା ବୋଲି ପୁଲିସ ପ୍ରକାଶ କରିଛି।



