ରାୟପୁର ..- ବିଜେପି କାର୍ଯ୍ୟାଳୟ ମଧ୍ୟରେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘଟଣାରେ ବିଜେପିର ୪ ଜଣ କର୍ମକର୍ତ୍ତାଙ୍କୁ ପୁଲିସ ଗିରଫ କରିଛି । ହିନ୍ଦୁସ୍ତାନଟାଇମସ୍.କମ୍ରେ ବାହାରିଥିବା ଖବର ଅନୁଯାୟୀ ବିଧାନସଭା ନିର୍ବାଚନ ସମୟରେ ରାୟପୁରରୁ ବିଜେପି କାହିଁକି ହାରିଗଲା, ସେ ନେଇ ଦଳ ପକ୍ଷରୁ ସମୀକ୍ଷା କରାଯାଉଥିଲା । ଏହି ସମୟରେ ସୁମନ ପାଣ୍ଡେ ନାମକ ସାମ୍ବାଦିକ ଖବର ସଂଗ୍ରହ ପାଇଁଯାଇଥିଲେ । ରାୟପୁର ବିଜେପି ସଭାପତିଙ୍କ ସହ ଅନେକ ନେତା ସେଠାରେ ଉପସ୍ଥିତ ଥିଲେ । ଏହି ସମୟରେ ଜଣେ ନେତାଙ୍କୁ ଅନ୍ୟ କିଛି କର୍ମକର୍ତ୍ତା ଆକ୍ରମଣ କରିଥିଲେ ।
ସୁମନ ପାଣ୍ଡେ ଏହାକୁ ନିଜ ମୋବାଇଲ୍ରେ ରେକର୍ଡିଂ କରିଥିଲେ । ଏହି ସମୟରେ ବିଜେପି ଜିଲା ସଭାପତି ରାଜୀବ ଅଗ୍ରଓ୍ୱାଲା , ସ୍ଥାନୀୟ ନେତା ବିଜୟ ବ୍ୟାସ , ଉର୍ତ୍କଷ ତ୍ରୀବେଦୀ ଓ ଦୀନା ଡୋଙ୍ଗରେ ସୁମନଙ୍କୁ ଆକ୍ରମଣ କରିବା ସହ ଭିଡିଓକୁ ଡିଲିଟ୍ କରିଦେଇଥିଲେ। ସେମାନେ ମୋବାଇଲକୁ ଛଡାଇ ନେବା ସହ ସୁମନଙ୍କୁ ଏକ ଘରେ ୨୦ ମିନିଟ୍ ଧରି ତାଲା ପକାଇ ରଖିଥିଲେ।
ପରେ ସମସ୍ତ ସାମ୍ବାଦିକ ଏକାଠି ହୋଇ ବିଜେପି କାର୍ଯ୍ୟାଳୟ ମଧ୍ୟରେ ଧାରଣରେ ବସିଥିଲେ । ପୁଲିସ ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ରାୟପୁରର ଅତିରିକ୍ତ ପୁଲିସ ଅଧିକ୍ଷକ ପ୍ରଫୁଲ କୁମାର ଠାକୁର ପ୍ରକାଶ କରିଛନ୍ତି ।



