ପ୍ରୟାଗରାଜ : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ରବିବାର ପୁଣି ଥରେ ଅଗ୍ନିକାଣ୍ଡ ଘଟିଛି। ମେଳା ପରିଚାଳନା କରୁଥିବା ଅଧିକାରୀଙ୍କ କହିବା ଅନୁଯାୟୀ ସେକ୍ଟର ୧୯ସ୍ଥିତ କଳ୍ପବାସୀ ଶିବିରରେ ଅଗ୍ନିକାଣ୍ଡ ଘଟିଛି। ରନ୍ଧନ ଗ୍ୟାସ ସିଲିଣ୍ଡର ଲିକ୍ କାରଣରୁ ଏହି ନିଆଁ ଲାଗିଛି। ଉପସ୍ଥିତ ଅଗ୍ନିଶମ ବାହିନୀ ନିଆଁକୁ ତୁରନ୍ତ ଆୟତ୍ତ କରିଥିଲେ। ଏଥିରେ କେହି ମୃତ କିମ୍ବା ଆହତ ହୋଇ ନାହାନ୍ତି। କୁମ୍ଭମେଳାର ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରମୋଦ ଶର୍ମା କହିଛନ୍ତି ଯେ ଓମ୍ ପ୍ରକାଶ ପାଣ୍ଡେ ସେବା ସଂସ୍ଥାନ ପକ୍ଷରୁ ତିଆରି ଶିବିରରେ ନିଆଁ ଲାଗିବାର ଖବର ମିଳିଥିଲା। ଖବର ମିଳିବା ପରେ ତିନିଟି ଦମକଳ ପଠାଯାଇ ନିଆଁକୁ ଆୟତ୍ତ କରାଯାଇଥିଲା। ମହାକୁମ୍ଭରେ ବର୍ତ୍ତମାନ ସୁଦ୍ଧା ତିନିଥର ଅଗ୍ନିକାଣ୍ଡ ଘଟିଲାଣି। ଏହା ପୂର୍ବରୁ ଜାନୁଆରୀ ୧୯ ଓ ଫେବୃଆରୀ ୭ରେ ଅଗ୍ନିକାଣ୍ଡ ଘଟିଥିଲା। ଜାନୁଆରୀ ୧୯ରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ସେହିପରି ଫେବୃଆରୀ ୭ରେ ସେକ୍ଟର ୧୮ର ମହାକୁମ୍ଭ ନଗରରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୨୦ଟି ତମ୍ବୁ ଘର ପୋଡି ଯାଇଥିଲା।
Popular Categories



