କଟକ : ତହସିଲ୍ କାର୍ଯ୍ୟାଳୟରୁ ବିଭିନ୍ନ ପ୍ରମାଣପତ୍ର ପାଇଁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସର୍ଭିସ୍ ପ୍ଲସ୍ ସର୍ଭର ମନ୍ଥର ଯୋଗୁଁ ପ୍ରମାଣପତ୍ର ତ୍ବରିତ ପ୍ରସ୍ତୁତ ହୋଇପାରୁ ନାହିଁ। ଏ ସଂକ୍ରାନ୍ତରେ ତହସିଲ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ କ୍ରମାଗତ ଭାବେ ରାଜସ୍ବ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଲୋକେ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଠିଆ ହେଉଥିବା ଦେଖିବାକୁ ମଳୁଛି। ଫଳରେ କର୍ମଚାରୀମାନେ ଅଯଥାରେ ଲୋକଙ୍କ ଅସନ୍ତୋଷର ଶିକାର ହେଉଛନ୍ତି। ଏହା କେବଳ କଟକ ସଦର ତହସିଲରେ ନୁହେଁ ରାଜ୍ୟର ବିଭିନ୍ନ ଜିଲାର ତହସିଲ୍ କାର୍ଯ୍ୟାଳୟର ସମାନ ଅବସ୍ଥା। ଗୋଟିଏ ପଟେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରୁଥିବାବେଳେ ରାଜସ୍ବ ବିଭାଗର ପଦାଧିକାରୀ, ଏନ୍ଆଇସିର ଅଧିକାରୀମାନେ ଅଚିନ୍ତାରେ ଅଛନ୍ତି। ଏ ସଂକ୍ରାନ୍ତରେ ଆବେଦନକାରୀ ଓ କେତେକ ବୁଦ୍ଧିଜୀବୀ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ତହସିଲ୍ କାର୍ଯ୍ୟାଳୟରେ ୨୦୧୯ରେ ଇ-ଗଭର୍ଣ୍ଣାନ୍ସ ପ୍ରୋଜେକ୍ଟକୁ ତତ୍କାଳୀନ ସରକାର ଲାଗୁ କରିଥିଲେ। ଉଦ୍ଦେଶ୍ୟ ଥିଲା ଯେ, ଲୋକେ ତହସିଲ କାର୍ଯ୍ୟାଳୟକୁ ବାରମ୍ବାର ନ ଦୌଡ଼ି ଘରେ ବସି ଅନ୍ଲାଇନ୍ ଜରିଆରେ ବିଭିନ୍ନ ଆବଶ୍ୟକ ପ୍ରମାଣପତ୍ର ଆବେଦନ କରିପାରିବେ ଓ ତତ୍ସହିତ ଅନ୍ଲାଇନ୍ ଜରିଆରେ ହିଁ ପ୍ରମାଣପତ୍ର ଡାଉନ୍ଲୋଡ୍ କରିପାରିବେ। ଏହି ପରିପ୍ରେକ୍ଷୀରେ କଟକ ସଦର ତହସିଲ୍ କାର୍ଯ୍ୟାଳୟରେ ମଧ୍ୟ ଲାଗୁ କରାଯାଇଥିଲା। ଇ-ସର୍ଭିସ୍ ପ୍ଲସ୍ ନାମକ ଏକ ସଫ୍ଟେୱୟାର ଜରିଆରେ ପ୍ରମାଣପତ୍ର ପାଇଁ ଆବେଦନ କରାଯାଉଛି ଓ ଏହି ସଫ୍ଟେୱୟାର ଜରିଆରେ ତହସିଲ କାର୍ଯ୍ୟାଳୟର କର୍ମଚାରୀ ଯାଞ୍ଚ କରିବା ପରେ ପ୍ରମାଣପତ୍ର ପ୍ରଦାନ କରିଥାନ୍ତି। ବିଶେଷକରି
ଇନ୍କମ ସାର୍ଟିଫିକେଟ୍, ଇକୋନୋମିକ ୱିକର (ଇଡବ୍ଲ୍ୟୁସି), ବାସସ୍ଥାନ ପ୍ରମାଣପତ୍ର, ଲିଗାଲ ହେୟାର, ଜାତିଗତ ପ୍ରମାଣପତ୍ର, ଓବିସି, ଏସ୍ଇବିସି, ଏସ୍ଟି, ଏସ୍ସି, ଗାର୍ଡିଆନସିପ୍ ପ୍ରମାଣପତ୍ର ପ୍ରଭୃତି ବହୁସଂଖ୍ୟାରେ ଲୋକେ ଆବେଦନ କରୁଛନ୍ତି। ଏହିସବୁ ପ୍ରମାଣପତ୍ର ବିଭିନ୍ନ ଜରୁରୀ କାର୍ଯ୍ୟରେ ବିନିଯୋଗ ହେଉଥିବାରୁ ଜନସେବା କେନ୍ଦ୍ର (ସିଏସ୍ସି) ଅଥବା ବ୍ୟକ୍ତିଗତ ଭାବେ ଅନ୍ଲାଇନ୍ ମାଧ୍ୟମରେ ଲୋକେ ଆବେଦନ କରିଥାନ୍ତି। ତହସିଲ୍ କାର୍ଯ୍ୟାଳୟ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ ପାଇଁ ଧାର୍ଯ୍ୟ ସମୟ ରଖାଯାଇଛି। ଏହି ସମୟ ଅବଧି ମଧ୍ୟରେ କାର୍ଯ୍ୟାଳୟ ପକ୍ଷରୁ ଆବେଦନକାରୀଙ୍କୁ ସୂଚନା ଦିଆଯିବ; କିନ୍ତୁ ଦୁଇରୁ ତିନିମାସ ହେବ ସର୍ଭର ମନ୍ଥର ଯୋଗୁଁ ପ୍ରମାଣପତ୍ର ତିଆରି ପାଇଁ ବିଳମ୍ବ ହେଉଛି। ପ୍ରାୟ ଗୋଟିଏ ପ୍ରମାଣପତ୍ର ତିଆରି ପାଇଁ ତହସିଲର ସାର୍ଟିଫିକେଟ୍ ବିଭାଗ କର୍ମଚାରୀ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଘଣ୍ଟା ଘଣ୍ଟା ସର୍ଭର ମନ୍ଥରତା କାରଣରୁ ପ୍ରମାଣପତ୍ର ଇସ୍ୟୁ ହୋଇପାରୁ ନାହିଁ। ପରିସ୍ଥିତି ଏଭଳି ହେଉଛି ଯେ ଲୋକେ ବାଧ୍ୟ ହୋଇ କାର୍ଯ୍ୟାଳୟକୁ ଆସୁଛନ୍ତି।
ବିଶେଷକରି ଦିନରେ ସର୍ଭିସ୍ ପ୍ଲସ୍ ସଫ୍ଟୱୟାରରେ ଅଧିକ ସମସ୍ୟା ସୃଷ୍ଟି ହେଉଛି। ଏହି ସମସ୍ୟା ସଂକ୍ରାନ୍ତରେ କର୍ମଚାରୀମାନେ ଆବେଦନକାରୀଙ୍କୁ ବୁଝାଇବା ହିଁ ସାର ହେଉଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବିନିଯୋଗ କରି ଏହି ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା; ହେଲେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ପାଖରେ ଏ ସୂଚନା ଥିବା ସତ୍ତ୍ବେ କେବଳ ଚିଠି ଆଦାନ ପ୍ରଦାନରେ କାର୍ଯ୍ୟ ଚାଲିଛି।
ଏ ସଂକ୍ରାନ୍ତରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ସମସ୍ୟା ସଂକ୍ରାନ୍ତର ମୁଁ ଅବଗତ ଅଛି। ବହୁ ସ୍ଥାନରେ ନେଟ୍ୱାର୍କ ସମସ୍ୟା ଯୋଗୁଁ ଏପରି ପରିସ୍ଥିତି ଉପୁଜୁଛି। ବିଶେଷକରି ୱାର୍କିଂ ଆୱାର ବା କାର୍ଯ୍ୟ ସମୟରେ ସର୍ଭର ମନ୍ଥର ହୋଇଯାଉଛି। ଯେତିକି କ୍ଷମତା ଅଛି ତା’ଠାରୁ ଅଧିକ କାର୍ଯ୍ୟ ଯୋଗୁଁ ସଫ୍ଟୱେୟାର ମନ୍ଥର ହେଉଛି। ବହୁ ଜାଗାରେ ଜନସେବା କେନ୍ଦ୍ରଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ଅନଲାଇନ୍ ହୋଇଗଲାଣି। ତେଣୁ ବିଭାଗୀୟ ମନ୍ତ୍ରୀଙ୍କ ସହିତ କଥା ହୋଇସାରିଛି।
+କନେକ୍ଟିଭିଟି ସମସ୍ୟାକୁ ଦୂର କରିବା ପାଇଁ ଟେଲିକମ କମ୍ପାନୀମାନଙ୍କ ସହ ଆଲୋଚନା ହୋଇ ବିଭିନ୍ନ ଅଞ୍ଚଳରେ ୪୦୦ରୁ ଅଧିକ ଟାୱାର ଲଗାସରିଲାଣି। ୩ଜିରୁ ୪ଜି ଓ ୫ଜିକୁ ପରିବର୍ତ୍ତନ କରାଯାଉଛି। ଉପାନ୍ତ ଅଞ୍ଚଳରେ ସମସ୍ୟା ଦୂର ପାଇଁ ପଦକ୍ଷେପ ନିଆଯାଉଛି। ଯେଉଁ ସ୍ଥାନରେ କନେକ୍ଟିଭିଟି ସମସ୍ୟା ରହିଛି ସେଠାକାର ଜିଲାପାଳ ଓ ତହସିଲଦାରଙ୍କୁ ନିର୍ଦେଶ ଦିଆଯାଇଛି ଯେ ଟେଲିକମ୍ କମ୍ପାନୀମାନଙ୍କ ସହ କଥା ହୋଇ ପଦକ୍ଷେପ ନେବାକୁ। ସମସ୍ୟା ଦୂର ପାଇଁ ତ୍ବରିତ ପଦକ୍ଷେପ ନିଆଯାଉଛି।



