ଯମୁନା ନଦୀରେ ବିଷ ମିଶାଯିବା ମନ୍ତବ୍ୟକୁ ନେଇ ବିବାଦ; କେଜ୍ରିୱାଲଙ୍କୁ କୋର୍ଟଙ୍କ ସମନ

ସମାଜ ଡିଜିଟାଲ ଡେସ୍କ: ଯମୁନା ନଦୀରେ ହରିୟାଣା ସରକାର ବିଷ ମିଶାଇ ଦେଇଥିବା ନେଇ ଆମ ଆଦମୀ ପାର୍ଟି(ଆପ) ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ମନ୍ତବ୍ୟକୁ ନେଇ ବିବାଦ ଆରମ୍ଭ ହୋଇଛି। କେଜ୍ରିୱାଲଙ୍କ ଏହି ମନ୍ତବ୍ୟକୁ ନେଇ ହରିୟାଣାର ସୋନିପତ କୋର୍ଟ ତାଙ୍କୁ ସମନ ଜାରି କରିଛନ୍ତି। ଆସନ୍ତା ଫେବୃୟାରୀ ୧୭ରେ କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦେଶ ଜାରି କରିଛନ୍ତି।

କେଜ୍ରିୱାଲ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ହରିୟାଣା ମୁଖ୍ୟମନ୍ତ୍ରୀ ନ୍ୟାୟବ ସିଂହ ସୈନି ଯମୁନା ନଦୀ କୂଳରେ ହାତରେ ପାଣି ଆଣି ପାଟିରେ ନେଉଛନ୍ତି। କିଛି ସମୟ ପରେ ତାହାକୁ ବାହାର କରିଦେଉଛନ୍ତି। ଏହାକୁ ନେଇ କେଜ୍ରିୱାଲ ପୋଷ୍ଟରେ ଲେଖିଛନ୍ତି ଯେ, ହରିୟାଣା ମୁଖ୍ୟମନ୍ତ୍ରୀ ଯମୁନା ପାଣିକୁ ପାଟିରେ ନେଇ ପୁଣି ନଦୀରେ କାଢ଼ିଦେଲେ। ମୁଁ ଯେତେବେଳେ କହିଲି ଯେ, ଆମୋନିଆ ପାଣିରେ ମିଶିବାରୁ ଯମୁନା ପାଣି ଦିଲ୍ଲୀବାସୀଙ୍କ ଜୀବନ ପ୍ରତି ବିପଜ୍ଜନକ ହୋଇପାରେ। ଏହାକୁ ନେଇ ସେ ମୋ ନାଁରେ ଏତଲା ଦେବାକୁ ଧମକ ଦେଲେ। ଯେଉଁ ବିଷାକ୍ତ ପାଣିକୁ ସେ ନିଜେ ପିଇପାରିବେ ନାହିଁ, ସେହି ପାଣି ଦିଲ୍ଲୀର ଜନତାଙ୍କୁ ପିଆଇବାକୁ ଚାହୁଁଛନ୍ତି। ମୁଁ ଏହା ହେବାକୁ ଦେବିନାହିଁ।

କେଜ୍ରିୱାଲଙ୍କ ଏହି ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଆମ ଆଦମୀ ପାର୍ଟିକୁ ଆପଦା ବା ବିପର୍ଯ୍ୟୟ ବୋଲି କହିବା ସହିତ ଆପ ଲୁଟିଆମାନେ ଯମୁନାରେ ଡୁବିଯିବ ବୋଲି କହିଛନ୍ତି।

Comments are closed.