ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାର ଶେଷ ସାଧାରଣ ବଜେଟରେ ଆୟକର ଦାତାଙ୍କ ପାଇଁ ବଡ଼ ଧରଣର ରିଆତି ଘୋଷଣା କରିଛନ୍ତି। ଏହାଦ୍ୱାରା ୩ କୋଟି ବେତନଭୋଗୀ ଓ ପେନସନ୍ ଉପଭୋକ୍ତା ଉପକୃତ ହେବେ। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ଅନ୍ତରୀଣ ବଜେଟ୍ରେ ଆୟ କର ଛାଡ଼ ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହିତ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ୧.୫ ଲକ୍ଷ ଟଙ୍କାର ନିବେଶ ପର୍ଯ୍ୟନ୍ତ ଆୟକର ଦେବାକୁ ପଡ଼ିବ ନାହିଁ। ଅର୍ଥାତ୍ ବାର୍ଷିକ ୬.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ଆୟ କର ଦେବାକୁ ପଡ଼ିବ ନାହିଁ। ସେହିପରି ବାର୍ଷିକ ୨.୪ ଲକ୍ଷ ଟଙ୍କା ଘର ଭଡ଼ା ଉପରେ ଟିଡିଏସ୍ କଟିବ ନାହିଁ। ପୂର୍ବରୁ ଏହି ସୀମା ୧.୮ ଲକ୍ଷ ଟଙ୍କା ଥିଲା। ଆବାସିକ ଗୃହ କିଣାବିକାରେ ମିଳୁଥିବା ୨ କୋଟି ଟଙ୍କାର ପୁଞ୍ଜି ଲାଭ ଉପରେ ମଧ୍ୟ କର ଦେବାକୁ ପଡ଼ିବ ନାହିଁ। ଆୟକର ନିୟମ ୮୦(ଆଇ)ବିଏରେ ମିଳୁଥିବା ରିଆତି ଅବଧିକୁ ୨୦୧୯-୨୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଜିଏସଟିରେ ପଞ୍ଜିକୃତ ଏମ୍ଏସଏଏମ୍ସି କ୍ଷେତ୍ର ପାଇଁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣରେ ୨% ସୁଧ ରିଆତି ମିଳିବ। ସେହିପରି ବ୍ୟାଙ୍କ ଓ ଡାକଘର ଜମା ଉପରେ ମିଳୁଥିବା ସୁଧ ଆୟ ଉପରେ ଟିଡିଏସ୍ ସୀମା ୧୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଷ୍ଟାଣ୍ଡାର୍ଡ ଡିଡକସନ୍କୁ ୪୦ ହଜାର ଟଙ୍କାରୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।



