ଜମ୍ମୁ: ବରଫପାତରେ ୫ ଘଣ୍ଟା ଧରି ତଲାସୀ ଅଭିଯାନ ଚଳାଇବା ପରେ ଦକ୍ଷିଣ କାଶ୍ମୀର ପୁଲଓ୍ୱାମା ଜିଲାର ଦ୍ରବଗାଁରେ ସୁରକ୍ଷାକର୍ମୀମାନେ ଦୁଇ ଜଣ ଆତଙ୍କବାଦୀଙ୍କୁ ଗୁଳି କରି ନିହତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତ ଆତଙ୍କବାଦୀଙ୍କ ପରିଚୟ ମିଳିନାହିଁ । ହିଂସାକୁ ଦୃଷ୍ଟି ରଖି ପୁଲଓ୍ୱାମା ଜିଲାରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।
ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସଂଧ୍ୟା ପ୍ରାୟ ସାଢେ ୭ଟା ବେଳେ ସୁରକ୍ଷାକର୍ମୀ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳି ବର୍ଷଣ ଆରମ୍ଭ ହୋଇଥିଲା । ସୁରକ୍ଷାକର୍ମୀ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ପ୍ରାୟ ୫ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ଟଳି ପଡିଥିଲେ ।
ଏହା ପୂର୍ବରୁ ଦକ୍ଷିଣ କାଶ୍ମୀର ଅନନ୍ତନାଗ ଜିଲାର ଶେରବାଗ ପୁଲିସ ପୋଷ୍ଟ ନିକଟରେ ରବିବାର ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାଗେର୍ଟ କରି ଗ୍ରେନେଟ୍ ପକାଇଥିଲେ । ସଡକ ଉପରେ ଗ୍ରେନେଟ୍ ବିସ୍ଫୋରଣ ହେବା ପରେ ଦୁଇ ଜଣ ଯବାନଙ୍କ ସମେତ ୩ ମହିଳା ଗୁରୁତର ଭାବରେ ଆହତ ହୋଇଥିଲେ । ସେହିପରି ବୁଧବାର ଦକ୍ଷିଣ କାଶ୍ମୀରର କୁଳଗାଁରେ ପୁଲିସ ନାକାବନ୍ଦୀ କରିଥିବା ସ୍ଥାନରେ ଆତଙ୍କବାଦୀ ଗ୍ରେନେଟ ବିସ୍ଫୋରଣ କରିଥିଲେ । ଏଥିରେ ୬ ଜଣ ଆହତ ହୋଇଥିଲେ । ସୂଚନାଯୋଗ୍ୟ, ଆତଙ୍କବାଦୀମାନେ ଜାନୁଆରୀ ୨୫ ତାରିଖରୁ ଆଜି ପର୍ଯ୍ୟନ୍ତ ୨୦ରୁ ଅଧିକ ଗ୍ରେନେଟ୍ ବିସ୍ଫୋରଣ କରିଛନ୍ତି ।



