ଫୁଲବାଣୀ: ଗତ କିଛିଦିନ ହେଲା ସମଗ୍ର କନ୍ଧମାଳ ଜିଲାରେ କୁହୁଡ଼ି ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଯାନ ବାହାନ ଚଳାଚଳରେ ସମସ୍ୟା ଉପୁଜୁଥିବା ବେଳେ ଫିରିଙ୍ଗିଆ ବ୍ଲକର ଗାମ୍ବେରିଗୁଡା ଓ କୁଡୁକି ଘାଟିରେ ଗୋଟିଏ ରାତିରେ ୨ଟି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ ଫିରିଙ୍ଗିଆ ପଟୁ ଫୁଲବାଣୀ ଅଭିମୁଖେ ଯାଉଥିବା ଏକ ଧଳା ରଙ୍ଗର କାର ଗାମ୍ବେରିଗୁଡା ନିକଟରେ ଗଛରେ ଧକ୍କା ହେବାରୁ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗାଡିଟି ଦ୍ରୁତଗତିରେ ଥିବାରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗାଡିର ଆଗ ଓ ପଛପଟ ନମ୍ବର ପ୍ଲେଟ ନ ଥିବାରୁ ଗାଡି ମାଲିକର ପ୍ରକୃତ ପରିଚୟ ଜଣା ପଡ଼ିନାହିଁ। ସେହିଭଳି ସେହି ଗାମ୍ବେରିଗୁଡା ନିକଟ କୁଡୁକି ଘାଟିରେ ଏକ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପଡିଥିଲା। ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନାହିଁ। ଫିରିଙ୍ଗିଆ ପୁଲିସ ପହଞ୍ଚି କାର ଓ ଟ୍ରକକୁ ଜବତ କରିଛି।



