www.samajalive.in
Sunday, December 14, 2025
16.1 C
Bhubaneswar

ରାଜ୍ୟରେ ୧୫୦ଟି ଅତିରିକ୍ତ ଜିଲା ଜଜ୍‌‌ କୋର୍ଟ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି-ଆଇନ ମନ୍ତ୍ରୀ

ପିପିଲି: ଆଇନଜୀବୀମାନଙ୍କ ପାଇଁ ଆମ ସରକାର ଯତ୍ନବାନ ଅଛନ୍ତି। ଓକିଲମାନଙ୍କ କଲ୍ୟାଣ ପାଣ୍ଠିର ସହାୟତା ରାଶିକୁ ସରକାର ଦ୍ୱିଗୁଣିତ କରିଥିବା ବେଳେ ରାଜ୍ୟରେ ୧୫୦ଟି ଅତିରିକ୍ତ ଜିଲା ଜଜ୍‌‌ କୋର୍ଟ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ବ୍ଳକରେ କୋର୍ଟ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଗ୍ରାମ୍ୟ ନ୍ୟାୟାଳୟ ବ୍ୟବସ୍ଥାକୁ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଓକିଲ କଲ୍ୟାଣ ପାଣ୍ଠିକୁ ସାଢେ ୪ଲକ୍ଷରୁ ୯ଲକ୍ଷକୁ ବୃଦ୍ଧି କରାଯାଇଛି ବୋଲି ପିପିଲି ଓକିଲ ସଂଘର ରୌପ୍ୟ ଜୟନ୍ତୀ ସମାରୋହକୁ ଉଦ୍‌‌ଘାଟନ କରିବା ଅବସରରେ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି।

ପିପିଲି ଓକିଲ ସଂଘର ସଭାପତି ରାଜକିଶୋର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରୌପ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଯୋଗଦେଇ ନିଜ ଅଭିଭାଷଣରେ କହିଥିଲେ ଯେ, ଓକିଲାତି ହେଉଛି ଏକ ମହତ ବୃତ୍ତି। ଲୋକଙ୍କୁ ନ୍ୟାୟ ଦେବାରେ ଓକିଲ ମାନଙ୍କର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ରାଜ୍ୟର ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖି କରିବା ନିମନ୍ତେ ଏବଂ ଜନସାଧାରଣଙ୍କ ନିକଟରେ ନ୍ୟାୟକୁ ପହଞ୍ଚାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଭିମୁଖ୍ୟକୁ ସରକାର ପ୍ରାଥମିକତା ଦେଇ ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି।

- Advertisement -

ବିଏନ୍‌‌ଏସ୍‌‌ ଆଇନ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବଶିଘ୍ର ଦୁଇଦିନିଆ ରାଜ୍ୟସ୍ତରୀୟ ଆଇନ ସଚେତନତା କର୍ମଶାଳା ଆୟୋଜିତ ହେବ। ପିପିଲିରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଥିବା ଅତ୍ୟାଧୁନିକ ବାର୍‌‌ ରୁମ୍‌‌ ପ୍ରତିଷ୍ଠା ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ବିକାଶରେ ଓ ଗରୀବ ଲୋକଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ପିପିଲି ଓକିଲ ସଂଘର ଆଇନଜୀବୀଙ୍କ ଗୁରୁଦାୟିତ୍ୱ ରହିଥିବା ପ୍ରକାଶ କରିଥିଲେ। ନ୍ୟାୟରୁ ବଞ୍ଚିତ ଲୋକଙ୍କୁ ସହାୟତା ପ୍ରଦାନ କରିବାକୁ ସେ ଆଇନଜୀବୀମାନଙ୍କୁ ଅନୁରୋଧ କରିଥିଲେ। ସଂଘର ସମ୍ପାଦକ ବସନ୍ତ କୁମାର ପରିଡ଼ା ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଂଘର ବିଭିନ୍ନ ଅସୁବିଧା ସଂପର୍କରେ ସଭାପତି ଶ୍ରୀ ସ୍ୱାଇଁ ଆଇନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଏହି ଅବସରରେ ସଂଘର ପରଲୋକଗମନ କରିଥିବା ୭ଜଣ ବରିଷ୍ଠ ଆଇନଜୀବୀଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍‌‌ ନିରବ ପ୍ରାର୍ଥନା କରାଯାଇଥିଲା। ୨୦୦୦ ମସିହା ଜାନୁୟାରୀ ୭ତାରିଖରେ ପିପିଲିରେ ପ୍ରଥମଶ୍ରେଣୀ ବିଚାରବିଭାଗୀୟ ଅଦାଲତ ପ୍ରତିଷ୍ଠା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ତତ୍କାଳୀନ ବିଧାୟକ ସ୍ୱର୍ଗତ ଯୁଧିଷ୍ଠୀର ସାମନ୍ତରାୟଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ଏହି ଅବସରରେ ପିପିଲି ଓକିଲ ସଂଘର ସମସ୍ତ ସଭ୍ୟ, ସଭ୍ୟାମାନଙ୍କୁ ମନ୍ତ୍ରୀ ଶ୍ରୀହରିଚନ୍ଦନ ଉପହାର ପ୍ରଦାନ କରିଥିଲେ। ପ୍ରାଚୀ ସଙ୍ଗିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories