ଚାଷୀଙ୍କ ପାଖରେ କୃଷି ଯନ୍ତ୍ରପାତି ପହଞ୍ଚାଇବାରେ ‘କୃଷି ମେଳା’ ସର୍ବୋକୃଷ୍ଟ ମାଧ୍ୟମ: ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର: ଚାଷ ହେଉଛି ସମ୍ବଲପୁରର ଅର୍ଥନୀତି। କୃଷି ହିଁ ଏଠାକାର ସାଂସ୍କୃତିକ ଓ ସାମାଜିକ ଏକତାର ମୂଳ ଉପାଦାନ। ସମ୍ବଲପୁରର ଜନସାଧାରଣ ବିଶେଷ ଭାବରେ ‘ଅନ୍ନଦାତା’ଙ୍କ ପାଖରେ ଆଧୁନିକ କୃଷି ଯନ୍ତ୍ରପାତି ପହଞ୍ଚାଇବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା’ର ଆୟୋଜନ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
‘ସୁଶାସନ ଦିବସ’ ଅବସରରେ ସମ୍ବଲପୁର ଜିଲ୍ଲାର ଅଇଁଠାପାଲିଠାରେ “ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା, କୃଷି ମହୋତ୍ସବ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୪-୨୫” ରେ ଯୋଗଦେଇ ଶ୍ରୀ ପ୍ରଧାନ ଚାଷୀମାନଙ୍କୁ ଆଧୁନିକ କୃଷି ଉପକରଣ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ଚାଷ ସମେତ ସମ୍ବଲପୁରରେ ବୁଣାକାର ଓ ଅନ୍ୟାନ୍ୟ ଶିଳ୍ପସମୂହ ଅଛି। ସମ୍ବଲପୁରକୁ ଆଧୁନିକ ଅର୍ଥନୀତି ଭାବେ ଗଢିତୋଳିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ସୁନ୍ଦର, ସମୃଦ୍ଧ ଏବଂ ସମ୍ପନ୍ନ ସମ୍ବଲପୁର ତିଆରି କରିବା ଆମର ଲକ୍ଷ୍ୟ ରହିଥିବା ବେଳେ ଚାଷ ଏହାର ମୂଳଦୂଆ ଭାବେ କାମ କରିବ। ଚାଷୀ, ମହିଳା, ଯୁବ, ପଛୁଆ ବର୍ଗର ଲୋକମାନେ ଏସବୁ କ୍ଷେତ୍ରରେ ନେତୃତ୍ୱ ନେବେ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକ ଓ ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.