ଆସୁଛି ନୂଆବର୍ଷ ୨୦୨୫ : ଧାଡ଼ିରେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ, ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ

ପୁରୀ ଜିଲା ପ୍ରଶାସନ ପ୍ରସ୍ତୁତି ଜୋରଦାର

ପୁରୀ : ଆସୁଛି ନୂଆ ବର୍ଷ । ଏଥର ବୁଧବାର ୨୦୨୫ ବର୍ଷର ପ୍ରଥମ ଦିନ। ନୂଆବର୍ଷର ନୂଆ ସକାଳରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆହୁରି ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ପ୍ରାୟ ୩ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଜିଲା ପ୍ରଶାସନ ପଦକ୍ଷେପ ନିଆଯାଇଛି। ତେଣୁ ଏଥର ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସହଜ ହେବ ବୋଲି ଆଶା କରାଯାଉଛି। ଶ୍ରଦ୍ଧାଳୁ ଯେମିତି ଶ୍ରୀମନ୍ଦିରକୁ ଯାଇ ସହଜରେ ଓ ଶୃଙ୍ଖଳିତ ଭାବରେ ଦର୍ଶନ କରି ଫେରିପାରିବେ ସେଥିପାଇଁ ଏବେଠାରୁ ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସି ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ସହ ଇଂରାଜୀ ନୂଆବର୍ଷ ପାଳନ ପାଇଁ ଯୋଜନା ରଖିଥିବାରୁ ଏବେଠୁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ପଡ଼ିଛି।

ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଥମେ ପୁରୀ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିଥିଲେ। ଶ୍ରଦ୍ଧାଳୁଙ୍କୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିଲେ। ମୋହନ ସରକାରଙ୍କ ଏହା ପ୍ରଥମ ନୂଆ ବର୍ଷ। ତେଣୁ ବିଜେପି ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ଶ୍ରୀମନ୍ଦିର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏଥର ଶ୍ରୀଜଗନ୍ନନାଥଙ୍କ ଦର୍ଶନ ବ୍ୟବସ୍ଥାରେକୌଣସି ସ୍ଵତନ୍ତ୍ର ବ୍ୟବସ୍ଥା ନାହିଁ । ଅଫିସର ହୁଅନ୍ତୁ କି ନେତା ସମସ୍ତେ ଗୋଟିଏ ଧାଡ଼ିରେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ଭିତର କାଠ ନିକଟରୁ ଦର୍ଶନ କରି ଫେରିବେ । ଅଧିକ ଭିଡ଼ ହେଲେ ବାହାରକାଠରେ ନିକଟରୁ ଭକ୍ତମାନଙ୍କୁ ଅଟକାଇ ଦିଆଯିବ। ଶ୍ରୀଜୀଉଙ୍କ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା ହେବ। ଏହାବ୍ୟତୀତ ଏତେ ସଂଖ୍ୟକ ଭକ୍ତ, ପର୍ଯ୍ୟଟକଙ୍କ ନିୟନ୍ତ୍ରଣ ପାଇଁ ୩୦ ପ୍ଲାଟୁନ୍ ଫୋର୍ସଙ୍କ ସମେତ
୬୦ଜଣ ଅଫିସରଙ୍କୁ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି। କୌଣସି ସ୍ଥାନରେ ଭକ୍ତଙ୍କର ଯେପରି କିଛି ସମସ୍ୟା ନ ହୁଏ ସେଥ୍ପ୍ରତି ଗୁରୁତ୍ୱ ଦିଆଯାଇଛି ।

ପୁରୀ ସହରର ୩ଟି ପ୍ରବେଶ ପଥ ଉପରେ ସ୍ୱତନ୍ତ୍ର ଫୋର୍ସ ସାଦା ପୋଷାକରେ ରହି ନଜର ରଖୁଛନ୍ତି । ଏହାବ୍ୟତୀତ ପ୍ରଶାସନ ପକ୍ଷରୁ ଏଥର ପର୍ଯ୍ୟଟକଙ୍କ ସୁବିଧା ପାଇଁ ସୂଚନା କେନ୍ଦ୍ର କରାଯାଉଛି । ବୁଧବାର ନୂଆବର୍ଷ ଥିବାରୁ ପ୍ରବଳ ଭକ୍ତ ସମାଗମ ହେବ। ମଙ୍ଗଳବାର ରାତିଠାରୁ ବୁଧବାର ପର୍ଯ୍ୟନ୍ତ ସବୁବେଳେ ଦର୍ଶନ ଚାଲୁରହିବ ।

ଟ୍ରାଫିକ୍ ବ୍ୟବସ୍ଥାରେ ଏଥର ପାର୍କିଂକୁ ଗୁରୁତ୍ଵ ଦିଆଯାଇଛି । ଜିଲା ସ୍କୁଲ ପଡ଼ିଆ, ଏସ୍‌ସିଏସ୍ କଲେଜ ପଡ଼ିଆ, ଭିଆଇପି ରୋଡ଼ ସମେତ ପୁରୀ ସହରର ବିଭିନ୍ନ ସ୍ଥାନରେ ଗାଡି ପାର୍କିଙ୍ଗ ପାଇଁ ବ୍ୟବସ୍ଥା ରହିଛି । ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ କିଭଳି ଗାଡି ପାର୍କିଙ୍ଗ ପରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ବିଶେଷ ଗୁରତ୍ୱ ଦିଆଯାଇଥିବା ଜଣାପଡିଛି ।

Comments are closed.