ପିଲା ଗଢ଼ିବାର ମନ୍ତ୍ର

ସାରଦା ପ୍ରସାଦ କର

ଘରେ ପିଲାଟିଏ ଜନ୍ମ ହେଲେ ସମସ୍ତଙ୍କର କେତେ ଆନନ୍ଦ କହିଲେ! ମାଆ ବାପାଙ୍କର ଖୁସିର ସୀମା ରହେନା। ପିଲାର ମୁହଁକୁ ଚାହିଁ କେତେ କଣ ସ୍ୱପ୍ନ ଦେଖନ୍ତି। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପିଲାଟି କେମିତି ଭଲ ମଣିଷ ହେବ। କାରଣ ପିଲା ଅପାଠୁଆ ବା ଅଧାପାଠୁଆ ହେଲେ ମାଆବାପାଙ୍କର ହୁଏତ କୋଡ଼ିଏ କି ପଚିଶ ବର୍ଷ ପାଇଁ ଚିନ୍ତା କିନ୍ତୁ ପିଲା ଯଦି ଅମଣିଷ ହୋଇଗଲା ତେବେ ସେମାନଙ୍କର ଜୀବନସାରା ଚିନ୍ତା। ତେଣୁ ଭଲ ମଣିଷଟିଏ ହେବାପାଇଁ ଯାହା ନିହାତି ଲୋଡ଼ା ତାହା ହେଉଛି ଭଲ ପରିବେଶ। ଯେମିତି ପାଣି ସେମିତି ବାଣୀ; ଯେମିତି ଅନ୍ନ ସେମିତି ମନ।

ଏହି ପ୍ରସଙ୍ଗରେ ମହାଭାରତର ଦୁଇ ବଳିଷ୍ଠ ଚରିତ୍ର କର୍ଣ୍ଣ ଓ ଅର୍ଜୁନଙ୍କୁ ବିଚାରକୁ ନିଆଯାଇ ପାରେ। କର୍ଣ୍ଣ ରୂପରେ, ଗୁଣରେ, ଦାନ ଦେବାରେ, ପରାକ୍ରମରେ ସବୁଥିରେ ଅର୍ଜୁନଙ୍କ ଠାରୁ ଥିଲେ ଆଗୁଆ ଓ ଅର୍ଜୁନ ଏ ସବୁଥିରେ ଦୁର୍ବଳ। କିନ୍ତୁ ଫଳ ହେଲା ଓଲଟା। କର୍ଣ୍ଣଙ୍କର ହେଲା ଦୁଃଖଦ ମୃତ୍ୟୁ ଆଉ ଅର୍ଜୁନ ହେଲେ ବିଶ୍ୱବିଜୟୀ କାରଣ କର୍ଣ୍ଣ ଯେଉଁମାନଙ୍କ ସହ ବସାଉଠା କରୁଥିଲେ ସେମାନେ ଥିଲେ ଶକୁନି, ଦୁର୍ଯ୍ୟୋଧନ, ଦୁଃଶାସନ ଆଦି ଦୁଷ୍ଟ ଚରିତ୍ର। ସେମାନଙ୍କର କାମ ଥିଲା ଅନ୍ୟର କ୍ଷତି କରିବା, କୁତ୍ସାରଟନା କରିବା। ଅନ୍ୟପଟେ ଅର୍ଜୁନ ସର୍ବଦା ଯାର ପାଦପଦ୍ମକୁ ଭରସାକରିଥିଲେ ସେ ହେଉଛନ୍ତି ବିଶ୍ୱନିୟନ୍ତା ହରି। ତେଣୁ କର୍ଣ୍ଣଙ୍କର ମନ୍ଦ ପରିବେଶ ତାଙ୍କୁ ଅଭାଗା କଲାବେଳେ ଅର୍ଜୁନଙ୍କର ସୁନ୍ଦର ପରିବେଶ ତାଙ୍କୁ ଭାଗ୍ୟବାନର ମୁକୁଟ ପିନ୍ଧେଇଲା। ପାଠକେ! ହାତରେ ତୁଳସୀପତ୍ର ଧରିଲେ ହାତ ଯଦି ତୁଳସୀତୁଳସୀ ବାସୁଛି ତେବେ ବିଛୁଆତି ଧରିଲେ କୁଣ୍ଡେଇ ହବାରେ ଆଶ୍ଚର୍ଯ୍ୟ କେଉଁଠି? ଏଥିପାଇଁ କୁହାଯାଇଛି “ସଂସର୍ଗ  ଯା ଦୋଷାଃ ଗୁଣାଃ ଭବନ୍ତି” ଅର୍ଥାତ୍‌‌ ସଙ୍ଗକୁ ନେଇ ରଙ୍ଗ।

ସମ୍ପ୍ରତି ବହୁତ ବଡ଼ ଘରର ପିଲାମାନେ କୁସଙ୍ଗରେ ପଡ଼ି ଅବାଟରେ ଯାଉଛନ୍ତି ଯାହା ମାଆବାପାଙ୍କର ମୁଣ୍ଡବ୍ୟଥାର କାରଣ ହୋଇଛି। ତେବେ ପିଲାକୁ ଭଲ ପରିବେଶ ଦେବ କିଏ? ଟିକେ ଭାବିଲେ! ବାହାର ପରିବେଶ ସିନା ଖରାପ ହୋଇଯାଇଛି ବୋଲି ଆମେ କହୁଛେ ହେଲେ ଘରେ କଣ ଆମେ ଏକ  ସୁନ୍ଦର ପରିବେଶ ତିଆରି କରିପାରିବାନି? ନଚେତ୍‌‌ କାଲି ସକାଳେ ଆମ ପିଲା ଯଦି ଅବାଟରେ ଯାଏ ତେବେ ଆମେ ନିଜକୁ କ୍ଷମା କରିପାରିବା ତ? ପାଠକବନ୍ଧୁ! ମାଠିଆ ଯଦି ବଙ୍କା ହୁଏ ତେବେ ଦୋଷ ମାଠିଆର ନୁହେଁ ବରଂ କୁମ୍ଭାରର। ଏକ ଅନୁକୂଳ ପରିବେଶରେ ମଞ୍ଜିଟିଏ ଯଦି ଗଛ ହୋଇ ଫୁଲଫଳ ଦେଇପାରୁଛି ମଣିଷ ଗଛ ସଫଳ ହେବନି କାହିଁକି? ତେଣୁ ଘର ପରିବେଶକୁ ସୁନ୍ଦର କରିବାକୁ ହେଲେ ପ୍ରଥମେ ମାଆବାପାଙ୍କର ଆଚରଣ, ଉଚ୍ଚାରଣ ଆଦର୍ଶଯୁକ୍ତ ହେବା ଉଚିତ୍‌‌। ମାଆବାପା ଯେତେସବୁ ଭଲକାମ କରୁଛନ୍ତି ଯଥା ଦରିଦ୍ରକୁ ସାହାଯ୍ୟ କରୁଛନ୍ତି, ରୋଗୀର ସେବା କରୁଛନ୍ତି, ଈଶ୍ୱର ଆରାଧନା କରୁଛନ୍ତି – ଏସବୁ କାମ ଦୟାକରି ପିଲାଙ୍କୁ ଦେଖାନ୍ତୁ ଓ ଶିଖାନ୍ତୁ। ଆଉ ଯଦି କିଛି ମନ୍ଦକାମ କରୁଛନ୍ତି ଯଥା ନିଶାପାଣି ଖାଉଛନ୍ତି, କୁଭାଷାରେ କାହାକୁ ଗାଳି ଦେଉଛନ୍ତି, ସମାଲୋଚନା କରୁଛନ୍ତି ଏସବୁ ଯେତେ ସମ୍ଭବ ପିଲାଙ୍କଠାରୁ ଦୂରେଇ ରଖନ୍ତୁ କାରଣ ପିଲା ମାତ୍ରେହିଁ ଅନୁକରଣ ପ୍ରିୟ। ସେ ତା ମାଆବାପାଙ୍କର କାର୍ଯ୍ୟକଳାପକୁ ନିରୀକ୍ଷଣ କରି ସେହି ଅନୁସାରେ ବ୍ୟବହାର କରେ।

ଏହା ପ୍ରମାଣସିଦ୍ଧ ଯେ ମାଆବାପା ଯଦି ପ୍ରତିଟି ସନ୍ଧ୍ୟାରେ ଠାକୁର ଘରେ ବସି ପ୍ରାର୍ଥନା କରନ୍ତି, ପିଲା ନିଶ୍ଚୟ ହାତଯୋଡ଼ି ବସି ଗାଇବ ‘ଅଖିଳ ବ୍ରହ୍ମାଣ୍ଡ ପତି ମୋ ଜୀବନ ସ୍ୱାମୀ’। ମାଆବାପା ଯଦି ସେମାନଙ୍କ ଗୁରୁଜନଙ୍କୁ ମଥା ଲଗାଇ ପ୍ରଣାମ କରୁଥିବେ ତେବେ ପିଲା କେବେହେଲେ ଲଜ୍ଜାବୋଧ କରିବନିତା ନିଜ ମାଆବାପାଙ୍କୁ ମୁଣ୍ଡିଆ ମାରିବାକୁ। ସବୁଦିନ ଅନ୍ତତଃ ଥରୁଟିଏ ପିତାମାତା ଯଦି ପିଲା ସହ ବସି ଏକାଠି ଖାଉଥିବେ ତେବେ ତାହା ସେମାନଙ୍କ ଭିତରେ ଥିବା ନିବିଡ଼ତାକୁ ଆହୁରି ବଢ଼ାଇ ଦେବ ଏହା ନିଃସନ୍ଦେହ। ଅନ୍ୟ ପକ୍ଷରେ ମାଆବାପା ଯଦି ସବୁବେଳେ ଅଯଥା ଅଶାନ୍ତି କରି ଘରର ସୌନ୍ଦର୍ଯ୍ୟକୁ ବିଷାକ୍ତ କରନ୍ତି ପିଲା ଉପରେ ନିଶ୍ଚୟ କୁପ୍ରଭାବ ପଡ଼ିବ। ସେହିପରି ମୋବାଇଲ୍‌‌ରେ ଉଭୟ ଯଦି ବୁଡ଼ି ଯାଆନ୍ତି ତେବେ ପିଲା ମଧ୍ୟ ଠିକ୍‌‌ ତାହାହିଁ କରିବ କାରଣ ସେ ଅନୁଭବ କରିବ ଯେ ତା ପାଖରେ ବସି କଥାପଦେ ହେବା ପାଇଁ ମାଆବାପାଙ୍କର ସମୟ ନାହିଁତେଣୁ ପିଲା ଧୀରେଧୀରେ ସେମାନଙ୍କଠାରୁ ଦୂରେଇ ଯାଇ କୁସଙ୍ଗରେ ପଡ଼ିବ। ଏଥିରେ ପିଲାର ଦୋଷ କେଉଁଠି? ମାଆବାପାଙ୍କର ସଚେତନତାର ଅଭାବହିଁ ପିଲା ପାଇଁ କ୍ଷତି ପହଞ୍ଚାଏ।

ଏବେ ପ୍ରାୟତଃ ଦେଖାଯାଉଛି ମାଆବାପାମାନେ ସବୁ ଅଭାବକୁ ନିଜେ ମୁଣ୍ଡେଇ ପିଲାର ପ୍ରତିଟି ଜିଦିକୁ ପୂରଣ କରିବାକୁ ପ୍ରାଣପଣେ ଲାଗିପଡ଼ୁଛନ୍ତି ଯାହା ତାର ଭବିଷ୍ୟତ ପାଇଁ ବିସ୍ଫୋରଣର କାରଣ। ଦୟାକରି ପିଲାକୁ ଅଭାବ ଶିଖାନ୍ତୁ ତେବେ ତାର ସ୍ୱଭାବ ସୁଧୁରି ଯିବ କାରଣ ଅଭାବ ଅପେକ୍ଷା ଅଶାନ୍ତି ବଡ଼ ଭୟଙ୍କର। ଯେଉଁ ପିଲା ଅଭାବ କଣ ବୁଝିଯାଇଥାଏ ସେ ସମସ୍ତ ପ୍ରତିକୂଳ ପରିସ୍ଥିତିରେ  ବି ନିଜକୁ ଚଳେଇନିଏ। କିନ୍ତୁ ଜିଦି କରି ସବୁ ହାସଲ କରୁଥିବା ପିଲା ବଡ଼ ହେଲେ ମାଆବାପାଙ୍କ ଗଳା କାଟିବାକୁ ବି ପଛାଏ ନାହିଁ। ପାଠକେ!ପିଲାକୁ ଭଲ ପାଆନ୍ତୁ ମନା ନାହିଁ ; କିନ୍ତୁ ଧୃତରାଷ୍ଟ୍ର ପରି ନୁହେଁ ନ ହେଲେ ପିଲା ଦୁର୍ଯ୍ୟୋଧନ ପରି କୁଳାଙ୍ଗାର ହେବା ସାରହେବ। ସେଥିପାଇଁ ଚାଣକ୍ୟ କହିଛନ୍ତି – “ଲାଳନେ ବହବୋ ଦୋଷାଃ ସ୍ତାଡ଼ନେ ବହବୋଗୁଣାଃ”।

ମନେ ପଡ଼ିଯାଏ କାହାଣୀଟିଏ। ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥାଏ ପିଲାଟି। ଯେଉଁଦିନ ପ୍ରଥମକରି ଅନ୍ୟପିଲାର ପେନ୍‌‌ସିଲ ଚୋରିକରି ଆଣି ତା’ମାଆକୁ ଦେଖାଇଲା ମାଆ ଖୁସି ହୋଇ କହିଲା – ଭଲ କରିଛୁ। ପୁଣି କିଛି ଦିନ ପରେ କଲମ ବି ଚୋରିକଲା। ମାଆ ପିଲାକୁ ଉତ୍ସାହ ଦେଇ କହିଲା “କାହାକୁ କହିବୁନି”। ଲୁଚେଇ ରଖିଥା। ଲେଖିବୁ। ଧୀରେ ଧୀରେ ସେହି ପିଲା ବଡ଼ହୋଇ କୁଖ୍ୟାତ ଚୋର ହେଲା ଓ ଦୁଷ୍କର୍ମ ବି କଲା। ଚୋର ଘର କଣ ସବୁଦିନ ଅନ୍ଧାର ରହେ? ଦିନେ ପୁଲିସ୍‌‌ ହାତରେ ବନ୍ଧାପଡ଼ି, ନିସ୍ତୁକ ମାଡ଼ ଖାଇ ଜେଲ୍‌‌ ଯାଆନ୍ତେ ବିକଳ ହୋଇ କହିଲା “ମୁଁ ମୋ ମାଆକୁ ଟିକେ ଦେଖିବି”। ପୁଲିସ୍‌‌ ତା ମାଆକୁ ବି ଡ଼କାଇଲେ। ସମସ୍ତେ ଭାବିଲେ ଏତେବଡ଼ ଦଣ୍ଡପାଇଛି ବୋଲି ମାଆକୁ ଦେଖି ନିଶ୍ଚୟ ପୁଅ କାନ୍ଦିବ; କିନ୍ତୁ ମାଆ ଆସି ପାଖରେ ଠିଆ ହୁଅନ୍ତେ ହାତରେ ହାତକଡ଼ି ପଡ଼ିଥିବାରୁ ପୁଅ ନିଜ ଦାନ୍ତରେ ମାଆର କାନକୁ କାମୁଡ଼ି ରକ୍ତାକ୍ତ କରିଦେଲା ଓ ଚିତ୍କାରକରି କହିଲା ଆଜି ମୋର ଏ ଦଶା କେବଳ ତୋରି ପାଇଁ। ଯେଉଁଦିନ ମୁଁ ପ୍ରଥମକରି ଚୋରିକଲି ସେହିଦିନ ଯଦି ତୁ ମୋର କାନ ମୋଡ଼ି ଆକଟ କରିଥାଆନ୍ତୁ ମୁଁ ଆଜି ନର୍କକୁ ଯାଇ ନଥାନ୍ତି। ତୋ ଅନୁଶାସନର ଅଭାବ ମୋତେ ସଇତାନ୍‌‌ ସଜେଇ ଦେଲା। ପୁଅ ଚିତ୍କାର କରି କରି ହାଜତ ଭିତରକୁ ପଶି ଯାଉଥିବାବେଳେ ମାଆକୁ ଯେମିତି ଶୁଣାଯାଉଥିଲା –

“ଗଢିଲା ବେଳେ ତ ଗଢିଲୁ ନାହିଁ/ ଏବେ ଲୁହ ଗଡ଼଼ାଉଛୁ କଣ ପାଇଁ ”?

Comments are closed.