ହାତୀମୃତ୍ୟୁର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜଙ୍ଗଲ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ୨୦୨୪ ଆରମ୍ଭରୁ ଏ ପର୍ଯ୍ୟନ୍ତ ଘଟିଥିବା ଅସ୍ୱାଭାବିକ ହାତୀମୃତ୍ୟୁର ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି ।
ଚଳିତ ବର୍ଷ ଆରମ୍ଭରୁ ରାଜ୍ୟରେ ପ୍ରାୟ ୫୦ଟି ହାତୀମୃତ୍ୟୁ ଘଟଣା ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ହୋଇଛି । ଏହା ଅତ୍ୟନ୍ତ ଉଦ୍ବେଗଜନକ । ଅସ୍ୱାଭାବିକ ହାତୀମୃତ୍ୟୁ ରୋକିବା ପାଇଁ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି । ଗଜସାଥୀ ମୁତୟନ, ରାପିଡ଼୍ ଆକ୍ସନ୍ ଟିମ୍ ବ୍ୟବସ୍ଥା ଆଦି ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସାଙ୍ଗକୁ ମଧ୍ୟ ଜଙ୍ଗଲ ବିଭାଗ ଅଧିକାରୀମାନଙ୍କ ଦକ୍ଷତା ଓ ଆନ୍ତରିକତା ଏବଂ କାର୍ଯ୍ୟକୁଶଳତାର ଅଧିକ ଆବଶ୍ୟକତା ଅନୁଭୂତ ହେଉଛି ।
ସୁରକ୍ଷିତ ପରିବେଶରେ ବାସ କରିବା ବନ୍ୟଜନ୍ତୁମାନଙ୍କ ଅଧିକାର । ସେମାନଙ୍କୁ ଆଇନଗତ ସୁରକ୍ଷା ମଧ୍ୟ ପ୍ରଦାନ କରାଯାଇଛି । ସେମାନଙ୍କ ନିରାପତ୍ତା ନିଶ୍ଚିତ କରାଯିବା ନିମନ୍ତେ ଉପଯୁକ୍ତ ସତର୍କତାମୂଳକ ପଦକ୍ଷେପ ନିଆଯିବା ସର୍ବଥା ଜରୁରୀ । ବନ ବିଭାଗ ଅଧିକାରୀମାନେ ଏଥି ନିମନ୍ତେ ଉତ୍ତରଦାୟୀ ହେବା ଆବଶ୍ୟକ । କୌଣସିମତେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ସତର୍କ କରାଇଦେଇଛନ୍ତି ।
୨୦୨୪ ଆରମ୍ଭରୁ ଏ ଯାବତ୍ ଘଟିଥିବା ଅସ୍ୱାଭାବିକ ହାତୀମୃତୁ୍ୟ ଘଟଣାଗୁଡ଼ିକୁ ବନଖଣ୍ଡୱାରୀ ପ୍ରସ୍ତୁତ କରାଯାଇ ପୁଙ୍ଖାନୁପୁଙ୍ଗ ତଦନ୍ତ କରାଯିବ । ଦୋଷୀ ବ୍ୟକ୍ତିବିଶେଷ ଓ ଅବହେଳା ପ୍ରଦର୍ଶନ କରିଥିବା ବନ ବିଭାଗ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେ ବାବଦରେ ଜଙ୍ଗଲ ମନ୍ତ୍ରୀଙ୍କୁ ଏକ ମାସ ମଧ୍ୟରେ ଜଣାଇବା ପାଇଁ ମନ୍ତ୍ରୀ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed.