www.samajalive.in
Sunday, December 14, 2025
26.1 C
Bhubaneswar

ଅମିତ ଶାହାଙ୍କୁ ହତ୍ୟା ଷଡ଼ଯନ୍ତ୍ରକାରୀ କହିଲେ କାନାଡ଼ା ମନ୍ତ୍ରୀ

ନୂଆଦିଲ୍ଲୀ: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ କାନାଡାର ଜଣେ ମନ୍ତ୍ରୀ ଗୁରୁତର ଅଭିଯୋଗ ଆଣିଥିବାବେଳେ ଭାରତ ପକ୍ଷରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ଥିବା କାନାଡା ଦୂତାବାସର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ଶୁକ୍ରବାର ଡକାଯାଇ ଭାରତ ପ୍ରତିବାଦ ଜଣାଇଛି। କାନାଡା ମନ୍ତ୍ରୀଙ୍କ ଏତାଦୃଶ ବୟାନ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ମନଗଢା ବୋଲି ଭାରତ ପକ୍ଷରୁ କୁହାଯାଇଛି। ସୂଚନା ମୁତାବକ କାନାଡା ପାର୍ଲାମେଣ୍ଟ ଷ୍ଟାଣ୍ଡି କମିଟି ବୈଠକକୁ ସମ୍ବୋଧିତ କରିବା ଅବସରରେ କାନାଡାର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଡେଭିଡ ମୋରିସନ ଅଭିଯୋଗ କରିଛନ୍ତି ଯେ କାନାଡାରେ ଥିବା ଖଲିସ୍ତାନ ଆତଙ୍କବାଦୀଙ୍କୁ ହତ୍ୟା କରିବାକୁ ଅମିତ ଶାହା ନିର୍ଦେଶ ଦେଉଛନ୍ତି।

ଏପରିକି ଏହି ପ୍ରସଙ୍ଗରେ ଆମେରିକାର ଖ୍ୟାତନାମା ସମ୍ବାଦପତ୍ର ‘ୱାଶିଂଟନ ପୋଷ୍ଟ’କୁ ଦେଇଥିବା ସାକ୍ଷାତକାରରେ ମଧ୍ୟ ମୋରିସନ ଶାହାଙ୍କ ନାମ ଉଲ୍ଲେଖ କରିିଛନ୍ତି। କାନାଡାରେ ସକ୍ରିୟ ଥିବା ଖଲିସ୍ତାନ ଆତଙ୍କବାଦୀଙ୍କୁ ଭାରତ ଯୋଜନାବଦ୍ଧ ଭାବେ ହତ୍ୟା କରୁଛି ବୋଲି ୱାଶିଂଟନ ପୋଷ୍ଟ ପ୍ରଥମେ ରିପୋର୍ଟ ପ୍ରକାଶ କରିଥିଲା। କେବଳ ଭାରତ ନୁହେଁ ଚୀନ୍‌, ରୁଷ, ଇରାନ ଓ ଉତ୍ତର କୋରିଆ ମଧ୍ୟ ଏହି ଷଡଯନ୍ତ୍ରରେ ସାମିଲ ଅଛନ୍ତି ବୋଲି କାନାଡାରେ କ୍ଷମତାସୀନ ଜଷ୍ଟିନ ଟ୍ରୁଡୋ ସରକାର ପୂର୍ବରୁ ଅଭିଯୋଗ କରିଆସୁଛନ୍ତି। ଆନ୍ତର୍ଜାତିକ ସ୍ତରରେ ଭାରତର ଭାବମୂର୍ତ୍ତି କ୍ଷୁଣ୍ଣ କରିବାକୁ କାନାଡା ସରକାରଙ୍କ ଏହା ଏକ ଚକ୍ରାନ୍ତ ବୋଲି ଭାରତ ଅଭିଯୋଗ କରିଛି।

- Advertisement -

ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କାନାଡା କୂଟନୀତିଜ୍ଞଙ୍କୁ ଏକ ପ୍ରତିବାଦ ପତ୍ର ହସ୍ତାନ୍ତର କରାଯାଇଛି। ଉପଯୁକ୍ତ ପ୍ରମାଣ ବିନା କାନାଡା ସରକାର ଭାରତ ଉପରେ ଏଭଳି ଅଭିଯୋଗ ଆଗତ କରିବା ଅତ୍ୟନ୍ତ ଲଜ୍ଜାଜନକ ଓ ଅଗ୍ରହଣୀୟ ବୋଲି କୁହାଯାଇଛି। ଯଦି କାନାଡା ସରକାର ଏଭଳି ବିବାଦୀୟ ମନ୍ତବ୍ୟରୁ ନିବୃତ୍ତ ନ ରୁହନ୍ତିି, ତେବେ ଆଗାମୀ ଦିନରେ ଦ୍ବିପାକ୍ଷିକ ସମ୍ପର୍କ ଅଧିକ ତିକ୍ତ ହେବ ବୋଲି ଭାରତ ପରୋକ୍ଷରେ ଧମକ ଦେଇଛି। ସୂଚନାଯୋଗ୍ୟ କିିଛି ମାସ ପୂର୍ବେ କାନାଡା ସରକାର ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ ବର୍ମାଙ୍କ ସମେତ କେତେକ ଭାରତୀୟ କୂଟନୀତିଜ୍ଞଙ୍କୁ ସ୍ବଦେଶ ଫେରିଯିବାକୁ ନିର୍ଦେଶ ଦେଇଥିଲେ। ପାଲଟା କାର୍ଯ୍ୟାନୁଷ୍ଠାନ ସ୍ବରୂପ ଭାରତ ସରକାର ମଧ୍ୟ ସେତେବେଳେ ନୂଆଦିଲ୍ଲୀସ୍ଥ କାନାଡା ରାଷ୍ଟ୍ରଦୂତ ଓ ଏକାଧିକ କୂଟନୀତିଜ୍ଞଙ୍କୁ ଦେଶ ଛାଡି ଚାଲିଯିବାକୁ ନିର୍ଦେଶ ଦେଇଥିଲେ। ବର୍ତ୍ତମାନ କାନାଡାରେ ଅବସ୍ଥାପିତ ଭାରତୀୟ କୂଟନୀତିଜ୍ଞଙ୍କୁ ଗତିବିଧି ଉପରେ ସେଠାକାର ସରକାର ଗୁଇନ୍ଦା ନଜର ରଖୁଛନ୍ତି ବୋଲି ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଅତ୍ୟନ୍ତ ସତର୍କତାର ସହ ଚଳିବାକୁ ଭାରତୀୟ କୂଟନୀତିଜ୍ଞଙ୍କୁ ପରାମର୍ଶ ଦିଆଯାଇଛି। କାନାଡା ପାର୍ଲାମେଣ୍ଟରେ ଦୀପାବଳି ଉତ୍ସବ ପାଳନ କରାଯିବ ବୋଲି କାନାଡା ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ତେବେ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରାଯାଇଥିବାରୁ କାନାଡାରେ ବାସ କରୁଥିବା ପ୍ରବାସୀ ଭାରତୀୟ ସମୁଦାୟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories