ଏସିଡ ଫିଙ୍ଗିଲା ସୁନା ଦୋକାନୀ, ୨ ଗୁରୁତର
ସୋର: ଖଇରା ଥାନା ତଳଗଡ଼ିଆ ବଜାରରେ ଅଭାବନୀୟ ଘଟଣା। ଦୋକାନ ଆଗରେ ବଚସା କରିବାରୁ ଦୋକାନୀ ରାଗି ଯାଇ ସେମାନଙ୍କ ଉପରକୁ ଏସିଡ ମାଡ଼ କରିଛି। ସୁନା ଦୋକାନୀଙ୍କ ଏସିଡ ମାଡ଼ରେ ବଚସା କରୁଥିବା ୨ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଏସିଡ ମାଡ଼ରେ ଗୁରୁତର ଜଣେ ସୋର ଏବଂ ଅନ୍ୟ ଜଣେ କଟକ ସ୍ଥାନାନ୍ତର ହୋଇଛନ୍ତି। ଏସିଡ ମାଡ଼ କରି ସୁନା ଦୋକାନୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଖୁବ ଶୀଘ୍ର ଦୋକାନୀଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଗୁରୁତର ଆହତ ଦ୍ୱୟ ହେଉଛନ୍ତି ରାମଚନ୍ଦ୍ର ପାଢ଼ୀ (୪୦) ଓ ଡମ୍ବରୁଧର ମଲ୍ଲିକ (୫୦)। ଉଭୟ ଡାଲଙ୍ଗ ଗାଁର ବୋଲି ଜଣାପଡ଼ିଛି।
ଆଜି ସନ୍ଧ୍ୟାରେ ତୁଡ଼ିଗଡ଼ିଆ ବଜାରରେ ଅଶୋକଙ୍କ ସୁନା ଦୋକାନ ପାଖରେ ଅନ୍ୟ ଏକ ଦୋକାନ ସାମ୍ନାରେ ରାମଚନ୍ଦ୍ର ପାଢ଼ୀ, ଡମ୍ବରୁଧର ମଲ୍ଲିକ ଓ ଅନ୍ୟ କେତେ ଜଣ କଥାବାର୍ତ୍ତା ହେଉଥିଲେ। ସେହି ସମୟରେ ସୁନା ଦୋକାନୀ ଅଶୋକ ସେମାନଙ୍କୁ ବଡ଼ପାଟିରେ କଥାବାର୍ତ୍ତା ପାଇଁ ବାରଣ କରିଥିଲେ। ତେଣୁ ରାମଚନ୍ଦ୍ର ଓ ଅନ୍ୟମାନଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା ଏହାପରେ ଅଶୋକ ଦୋକାନକୁ ଫେରିଯାଇ ଏସିଡ୍ ଆଣିଥିଲେ ଏବଂ ରାମଚନ୍ଦ୍ର ଓ ଅନ୍ୟମାନଙ୍କ ଉପରକୁ ଲକ୍ଷ୍ୟ କରି ଫୋପାଡ଼ି ଥିଲେ। ଏସିଡ୍ ପାଣି ରାମଚନ୍ଦ୍ରଙ୍କ ମୁହଁ, ହାତ ଓ ପେଟରେ ପଡ଼ିଥିଲା। ସେହିପରି ଡମ୍ବରୁଧରଙ୍କ ପ୍ୟାଣ୍ଟ ଓ ହାତରେ ଏସିଡ୍ ପଡ଼ିଥିଲା। ଏହି ଘଟଣା ପରେ ସୁନାଦୋକାନୀ ଅଶୋକ ଦୋକାନ ବନ୍ଦ କରି ସେଠାରୁ ଫେରାର ହୋଇଯାଇଥିଲେ।
Comments are closed.