ବାତ୍ୟା ପରେ ବିଜୁଳି ଯନ୍ତ୍ରଣା, ବିଦ୍ୟୁତ ସଂଯୋଗ ପାଇଁ କଇଥଖୋଲା ପଞ୍ଚାୟତବାସୀଙ୍କ ଧାରଣା

ଧାମରା: ଧାମରା ଅଞ୍ଚଳରେ ବାତ୍ୟା “ଦାନା” ଅଞ୍ଚଳବାସୀ ମୁହଁ ରୁ ଦାନା ଛଡାଇ ନେଇଥିବା ବେଳେ ଏଥିରୁ ବାଦ ପଡ଼ି ନାହାନ୍ତି କଇଥଖୋଲା ପଂଚାୟତବାସୀ। ଗୋଟିଏ ପଟରେ ଦାନା ଚାଷୀ କୂଳର ମେରୁ ଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଦୀର୍ଘ ୪ ଦିନ ହେବ କଇଥଖୋଲା ପଂଚାୟତରେ ବିଦ୍ୟୁତ ସରବରାହ ହୋଇ ପାରି ନାହିଁ। ଫଳରେ ଏହି ବିଦ୍ୟୁତ ସଂଯୋଗ ଦାବିରେ ଆଜି ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତୁରନ୍ତ ବିଦ୍ୟୁତ ସରବରାହ କରିବାକୁ ଟିପିଏନଓଡିଏଲ ର ଶତାଧିକ କର୍ମଚାରୀ ବିଦ୍ୟୁତ ସରବରାହ ସ୍ୱାଭାବିକ କରିବାକୁ ଦିନରାତି ଏକାକାର କରି ଦେଇଥିଲେ ମଧ୍ୟ ଧାମରା ୮ ପଂଚାୟତର ସମସ୍ତ ରାଜସ୍ୱ ଗ୍ରାମକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ସ୍ୱାଭାବିକ କରି ପାରି ନାହାନ୍ତି।

ଫଳରେ ଆଜି ସନ୍ଧ୍ୟା ୫ଟା ଠାରୁ ଖବର ଲେଖା ହେବା ପର୍ଯ୍ୟନ୍ତ ଶତାଧିକ ସ୍ଥାନୀୟ ବାସିନ୍ଦା କିଶୋର ପ୍ରସାଦ ଶିବ ମନ୍ଦିର ନିକଟରେ ଠାରେ ଟାୟାର ଜଳାଇ ଧାରଣା ଦେଇଛନ୍ତି।ଏହାସହିତ ଆନ୍ଦୋଳନକାରୀ ଧାମରା- ଜାମୁଝାଟି ମୁଖ୍ୟ ରାସ୍ତାକୁ ବନ୍ଦ କରି ରଖିଥିଲେ। ଅନ୍ୟ ପକ୍ଷରେ ଏହି ବିଦ୍ୟୁତ ସରବରାହ ସ୍ୱାଭାବିକ କରିବାକୁ ଟାଟା ପାଓାର ୨୪ଘଂଟା ନିଜର ସମସ୍ତ କର୍ମଚାରୀଙ୍କୁ ନିୟୋଜିତ କରିଥିବା ବେଳେ ମଧ୍ୟ ଏହି ସମସ୍ତ ରାଜସ୍ୱ ଗ୍ରାମକୁ ବିଦ୍ୟୁତ ସରବରାହ ସ୍ୱାଭାବିକ କରିବା ପାଇଁ ଆଉ କିଛି ଦିନ ଲାଗିଯିବ ବୋଲି ଟିପିଏନଓଡିଏଲର ଉପଖଣ୍ଡ ଅଧିକାରୀ ରାଜେଶ ଘଡେଇ ମତବ୍ୟକ୍ତ କରିଛନ୍ତି।

ଅନ୍ୟ ପକ୍ଷରେ ସାଧାରଣ ଜନତା ନିଜର ନ୍ୟାୟ ପାଇଁ ରାଜରାସ୍ତା କୁ ଓହ୍ଲାଇ ଥିବା ବେଳେ ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ସ୍ଥାନୀୟ ବାସିନ୍ଦାଙ୍କୁ ବୁଝାଇବାକୁ ନିଜର ପ୍ରଚେଷ୍ଟା ଜାରୀ ରଖିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ରାସ୍ତା ରୋକ ଜାରୀ ରହିଥିବା ବେଳେ ରାସ୍ତାରେ ଦୁଇ ପାଶ୍ୱର୍ରେ ଶତାଧିକ ଲୁହା ଏବଂ କୋଇଲା ବୋଝେଇ ଟ୍ରକ ଟିପ୍ପର ରାସ୍ତା ରେ ଯାତାୟତ ବନ୍ଦ କରି ଦେଇଥିବା ଦେଖିବାକୁ ମିଳିଥିଲା।

Comments are closed.