ଭୁବନେଶ୍ବର : ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ ଦାବି ଉପରେ ଅଗ୍ରାଧିକାର ଭିତ୍ତିରେ ବିଚାର କରିବାକୁ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ବିକାଶ ଓ ଅଭିବୃଦ୍ଧିରେ ଓଡ଼ିଶା ଆଗଉଛି। ଓଡ଼ିଶାେର ଗଚ୍ଛିତ ପ୍ରଭୂତ ପ୍ରାକୃତିକ ସମ୍ପଦ ବିଶେଷକରି ଲୁହାପଥର ଓ ଅନ୍ୟାନ୍ୟ ଖଣିଜ ସାମଗ୍ରୀ ବର୍ଷ ବର୍ଷ ଧରି ଦେଶ ନିର୍ମାଣରେ ଉଲ୍ଲେଖନୀୟ ଅବଦାନ ରଖିଆସୁଛି। ରାଜ୍ୟରେ ଗଚ୍ଛିତ କୋଇଲା ଦେଶର ଶକ୍ତି ନିରାପତ୍ତା କ୍ଷେତ୍ରରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ରେଳବାଇ ଓଡ଼ିଶାରୁ ସବୁଠୁ ଅଧିକ ଅର୍ଥ ପାଉଛି।
ଏସବୁ ସତ୍ତ୍ବେ କେନ୍ଦ୍ରରେ କ୍ଷମତାରେ ରହୁଥିବା ସରକାର କ୍ରମାଗତ ଓଡ଼ିଶାକୁ ଅବହେଳା କରିଆସୁଛନ୍ତି। ବିେଶଷ କରି ଟେଲି ଯୋଗାଯୋଗ, ରେଳ ସଂଯୋଗ,ଜାତୀୟ ରାଜପଥ, ବିମାନ ଆଦି କେନ୍ଦ୍ରୀୟ କ୍ଷେତ୍ରରେ ଓଡ଼ିଶା ଦେଶର ସବୁଠୁ ତଳେ ରହିଛି। କ୍ରମାଗତ ଭାବେ କେନ୍ଦ୍ରୀୟ ଅବହେଳା ଏବଂ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟରେ ଓଡ଼ିଶା କ୍ଷତିଗ୍ରସ୍ତ ହେଉଥିବାରୁ ତାଙ୍କ ସରକାର ସ୍ବତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ପାଇଁ ଦାବି କରିଆସୁଛି ବୋଲି ନବୀନ ଯୁକ୍ତି ଦର୍ଶାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ତିନି ପୃଷ୍ଠାର ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ଅଭିବୃଦ୍ଧି ହାର ଦେଶର ଅଭିବୃଦ୍ଧି ହାରଠୁ ଅଧିକ ରହିଛି। ସ୍ବତନ୍ତ୍ର ପାହା ମାନ୍ୟତା ମିଳିଲେ ଏଠାରେ ଶିଳ୍ପ ବିକାଶ ତ୍ବରାନ୍ବିତ ହେବା ସହ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ ବାତ୍ୟା ‘ତିତଲି’ ପ୍ରଭାବରେ ଫସଲ ପ୍ରଭାବିତ ହେବା ସହିତ ବାସଗୃହ, ସଡ଼କ, ସେତୁ, ବିଦ୍ୟୁତ୍ ସରବରାହ, ପାନୀୟ ଜଳ ଓ ଜଳସେଚନ ବ୍ୟବସ୍ଥା ଭଳି ଭିତ୍ତିଭୂମି ଉଜୁଡ଼ି ଯାଇଥିଲା। ରାଜ୍ୟ ସରକାର ଲୋକଙ୍କ ଧନଜୀବନ ରକ୍ଷା ପାଇଁ ନିରାପତ୍ତା ଓ ଉଦ୍ଧାର କାର୍ଯ୍ୟ ହାତକୁ ନେଇଥିଲେ । ତେବେ ବାତ୍ୟା ପରେ ପୁନଃନିର୍ମାଣ ଓ ଥଇଥାନ କାର୍ଯ୍ୟ ପାଇଁ ସମ୍ବଳର ସଙ୍କଟ ଦେଖାଦେଇଛି।
ଓଡ଼ିଶାରେ ୧୯୦୦ ମସିହାରୁ ୨୦୧୮ ମଧ୍ୟରେ ପ୍ରତି ବର୍ଷକ ଅନ୍ତରରେ ରାଜ୍ୟ ବନ୍ୟା, ବାତ୍ୟା, ଘୂର୍ଣ୍ଣିଝଡ଼ ଓ ମରୁଡ଼ିକୁ ସାମ୍ନା କରୁଛି। ରାଜ୍ୟର ୮୦ଭାଗ ଭୌଗୋଳିକ ଅଞ୍ଚଳ ଏବଂ ପ୍ରାୟ ୯୦ପ୍ରତିଶତ ଲୋକ ବନ୍ୟା, ବାତ୍ୟା, ସାମୁଦ୍ରିକ ଝଡ଼, ମରୁଡ଼ି ଆଦି ବିପର୍ଯ୍ୟୟରେ ଘୋର କ୍ଷତିଗ୍ରସ୍ତ ହେଉଛନ୍ତି। ସମ୍ପ୍ରତି ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି କେନ୍ଦ୍ର ଅର୍ଥ ଆୟୋଗଙ୍କ ସୁପାରିସ ଢ଼ାଞ୍ଚାରେ ତିଆରି ହୋଇଛି। କେନ୍ଦ୍ର ଓ ରାଜ୍ୟ ଅଂଶରେ ପ୍ରତି ରାଜ୍ୟର ବାର୍ଷିକ କର୍ପସ ପାଣ୍ଠି ଧାର୍ଯ୍ୟ େହଉଛି। ଏଥିରେ କେବଳ ତତ୍କାଳ ଉଦ୍ଧାର ଓ ଥଇଥାନ ପ୍ରତି ଦୃଷ୍ଟି ଦିଆଯାଉଛି; କିନ୍ତୁ ବାସ୍ତବ କ୍ଷତି ଏସଡ଼ିଆରଏଫ ଓ ଏନଡ଼ିଆରଏଫରେ ମିଳୁଥିବା ସହାୟତାଠାରୁ ଢ଼େର ଅଧିକ। ବିକଳ୍ପ ବାଟ ନଥିବାରୁ ରାଜ୍ୟ ସୀମିତ ସମ୍ବଳରେ ଏହାକୁ ଭରଣା କରୁଛି। ଅନେକ ଆହ୍ବାନ ସତ୍ତ୍ବେ ଓଡ଼ିଶା ସାମାଜିକ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଆଗଉଛି। ଗତ ୬ବର୍ଷ ଭିତରେ ଓଡ଼ିଶାର ମୋଟ ଘରୋଇ ଉତ୍ପାଦ ପ୍ରାୟ ୫୦ଭାଗ ବଢ଼ିଛି।
ଦାରିଦ୍ର୍ୟ ୨୦୦୪-୦୫ରୁ ୨୦୦୧-୧୨ ପର୍ଯ୍ୟନ୍ତ ୭ବର୍ଷରେ ୨୪.୬୧ଭାଗ କମିଛି। ଓଡ଼ିଶା ନିଜସ୍ବ ଖାଦ୍ୟ ସୁରକ୍ଷା ଓ ସ୍ବାସ୍ଥ୍ୟ ନିରାପତ୍ତା ଯୋଜନା କାର୍ଯ୍ୟକାରୀ କରିଛି। ୨୦୧୧ରେ କାର୍ଯ୍ୟକାରୀ ହୋଇଥିବା ମମତା ଯୋଜନାରେ ଏ ପର୍ଯ୍ୟନ୍ତ ୩୧ଲକ୍ଷ ମହିଳା ଉପକୃତ ହୋଇଛନ୍ତି। ମିଶନ ଶକ୍ତି କାର୍ଯ୍ୟକ୍ରମରେ ୬ଲକ୍ଷ ଏସଏଚଜି ଜରିଆରେ ୭୦ଲକ୍ଷ ସଦସ୍ୟାଙ୍କୁ ଆୟର ପନ୍ଥା ଯୋଗାଇଦିଆଯାଇଛି। କ୍ରମାଗତ ଭାବେ ଦୁଇ ବର୍ଷ ଧରି ଗ୍ରାମାଞ୍ଚଳ ଯୁବକଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ପୁରସ୍କାର ପାଇଆସୁଛି।
ବିଭିନ୍ନ ଯୋଜନାରେ ୨୦୧୪-୧୫ରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୨୦ଲକ୍ଷ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଧାର୍ଯ୍ୟ ସମୟ ଭିତରେ ଦେଶରେ ଏହା ସର୍ବାଧିକ ବୋଲି ସେ ଦାବି କରିଛନ୍ତି। ୨୦୧୬-୧୭ରେ ଭାରତ ସରକାରଙ୍କଠାରୁ ପୁରସ୍କୃତ ହୋଇଛି। ୨୦୧୭-୧୮ ବର୍ଷରେ ପିଏମଜିଏସୱାଇ ଅଧୀନରେ ରାଜ୍ୟ ମୋଟ ୩ଟି ପୁରସ୍କାର ପାଇଛି।
୨୦୦୦ ମସିହାରୁ ରାଜ୍ୟରେ ବିଦ୍ୟୁତ୍ ଉପଭୋକ୍ତା ସଂଖ୍ୟା ୧୬ ଲକ୍ଷ ଥିବାବେଳେ ଏବେ ସେ ସଂଖ୍ୟା ୭୨ଲକ୍ଷରେ ପହଞ୍ଚିଛି। ୨୦୧୪ଠାରୁ ରାଜ୍ୟରେ ଅତିରିକ୍ତ ୮ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରାଯାଇପାରିଛି। ଓଡ଼ିଶା ପାଞ୍ଚ ଥର କୃଷି କର୍ମଣ ପୁରସ୍କାର ପାଇଛି।
ଏସବୁ ଭିତରେ କେନ୍ଦ୍ର ଅବହେଳାରୁ ପଛରେ ଥିବା ଓଡ଼ିଶାର ଦାବି ସ୍ବତନ୍ତ୍ର ଭାବେ ବିଚାର ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଛନ୍ତି।
ସ୍ବତନ୍ତ୍ର ପାହ୍ୟା ଦାବି ଅଗ୍ରାଧିକାର ଭିତ୍ତିରେ ବିଚାର ହେଉ : ମୁଖ୍ୟମନ୍ତ୍ରୀ
Popular Categories



