ଅବିଶ୍ରାନ୍ତ ବର୍ଷା-ପବନ ଭାଙ୍ଗିଲା ନୀଳଗିରିର ଶତାଧିକ ଘର: ବାତ୍ୟା ଆଶ୍ରୟସ୍ଥଳୀରେ ୧୨ହଜାରରୁ ଊର୍ଦ୍ଧ୍ୱ ଲୋକ, ରିଲିଫ ବାଣ୍ଟୁଛନ୍ତି ନେତା-ପ୍ରଶାସକ

ନୀଳଗିରି: ବାତ୍ୟା ‘ଦାନା’ ପାଇଁ ବାଲେଶ୍ୱର ଜିଲା ନୀଳଗିରିରେ ଅବିଶ୍ରାନ୍ତ ବର୍ଷା ଓ ପବନ ଲାଗି ରହିଛି । ଦିନ ୨ଟା ସୁଧା ନୀଳଗିରି ଅଞ୍ଚଳରେ ୯୪ମିଲିମିଟିର ବର୍ଷା ରେକର୍ଡ଼ କରାଯାଇଥିଲା । ଯାହା ପାଇଁ ନୀଳଗିରିରେ ବନ୍ୟା ଆଶଙ୍କା ଦୃଢ଼ୀଭୂତ ହେବାରେ ଲାଗିଛି । ବିଲବାଡ଼ି ପାଣିରେ ଭର୍ତ୍ତି ହୋଇ ଯାଇଥିବା ବେଳେ ସୋନନଦୀ ସମେତ ଅନ୍ୟ ନଦୀଗୁଡ଼ିକ ଫୁଲି ଉଠିଛି । ନୀଳଗିରି ଅଞ୍ଚଳଟି ପାହାଡ଼ ଜଙ୍ଗଲ ଘେରା ହୋଇଥିବା ଯୋଗୁ ବିଭିନ୍ନ ଅଞ୍ଚଳରେ ସହସ୍ରାଧିକ ଗଛ ଗଡ଼ି ଯାଇଛି । କେଉଁଠି ଗଛ ଗଡ଼ି ରାସ୍ତା ଅବରୋଧ ହୋଇଛି ତ ପୁଣି କେଉଁଠି ଗଛ ପଡ଼ି ଘର ଭାଙ୍ଗି ଯାଇଛି । ବହୁ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପାଡ଼ି ହୋଇଯାଇଛି ।

ସେପଟେ ପ୍ରଶାସନ ପକ୍ଷରୁ ୯୭ଟି ବାତ୍ୟା ଆଶ୍ରୟ ସ୍ଥଳୀ ଖୋଲା ଯାଇଥିବା ବେଳେ ଆଜି ସନ୍ଧ୍ୟା ସୁଧା ୧୨ହଜାରରୁ ଊର୍ଦ୍ଧ୍ୱ ଲୋକ ସେଠାରେ ଥଇଥାନ ହୋଇଛନ୍ତି। ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବହୁ ନେତା, ଜନପ୍ରତିନିଧି, ସ୍ୱେଛାସେବୀ ସଂଗଠନ, ଏପରିକି ପ୍ରଶାସକମାନେ ମଧ୍ୟ ବିପନ୍ନଙ୍କୁ ନିଜ ହାତରେ ଖାଦ୍ୟ ବାଣ୍ଟୁଥିବା ଦେଖିବାକୁ ମିଳିଛି । ନୀଳଗିରି ଉପଜିଲାପାଳ ଶୁଭଶ୍ରୀ ରଥ, ତହସିଲଦାର ଦୀପ୍ତିମୟୀ ବେହେରା, ଯୋଗାଣ ଅଧିକାରିଣୀ ରାଜଲକ୍ଷ୍ମୀ ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ବିପନ୍ନଙ୍କ ପାଇଁ ଯତ୍ନବାନ ହୋଇ ଉଠିଛନ୍ତି ।

Comments are closed.