ବିଜେଡି ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳରେ ସହାୟତା
ଆଠଗଡ: ସାମୁଦ୍ରିକ ବାତ୍ୟାର ମୁକାବିଲା ପାଇଁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କ ସମେତ ସମସ୍ତ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରୁଛନ୍ତି। ବିଧାୟକଙ୍କ ବ୍ଲକ ପ୍ରତିନିଧି ତଥା ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ କୁମାର ପରିଡାଙ୍କ ନେତୃତ୍ବରେ ଦଳୀୟ ନେତା, ଜିଲ୍ଲା ପରିଷଦ ସଦସ୍ୟମାନେ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ କର୍ମୀ ବ୍ଲକର ସମସ୍ତ ଅସ୍ଥାୟୀ ଆଶ୍ରୟସ୍ଥଳକୁ ଲୋକଙ୍କୁ ସ୍ଥାନାନ୍ତର କରିବାରେ ସହାୟତା କରିବା ସହ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କିପରି କରାଯାଉଛି ତାହା ଅନୁଧ୍ୟାନ କରୁଛନ୍ତି । ବିଜେଡି ନେତାମାନେ ବିଡିଓଙ୍କ ସହ ଯୋଗାଯୋଗ ରକ୍ଷା କରି ସାଧାରଣ ଲୋକ ଏବଂ ଗୃହପାଳିତ ପଶୁମାନଙ୍କ ସୁରକ୍ଷା ପାଇଁ ଯାହା ଆବଶ୍ୟକ ସେହି ଅନୁଯାୟୀ ସହଯୋଗ କରୁଛନ୍ତି । ଏପରିକି ବିଧାୟକଙ୍କ ପରାମର୍ଶ କ୍ରମେ ଦଳ ପକ୍ଷରୁ ବାତ୍ୟାରରେ ପ୍ରଭାବିତ ଲୋକଙ୍କୁ ସୁଖିଲା ଖାଦ୍ୟ ଯୋଗାଣ ପାଇଁ ବହୁ ପରିମାଣର ଚୁଡା, ଚିନି ଓ ବିସ୍କୁଟ ଆଦି ମହଜୁଦ ରଖାଯାଇଥିବା ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତଙ୍କ ସୂତ୍ରରୁ ପ୍ରକାଶ। ମଧ୍ୟ ରାତ୍ରିରେ ସାମୁଦ୍ରିକ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଥିବାରୁ ଦଳୀୟ ନେତା ଓ କର୍ମୀ ସାରା ରାତି ସଜାଗ ରହିବା ଏବଂ ଆବଶ୍ୟକ ହେଲେ ଉଦ୍ଧାର ଓ ଥଇଥାନ କାର୍ଯ୍ଯରେ ପ୍ରଶାସନକୁ ସହାୟତା କରିବାକୁ ବିଧାୟକ ଶ୍ରୀ ସ୍ଵାଇଁ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.